ପାକିସ୍ତାନରେ ଘୋର ଅର୍ଥନୈତିକ ସଂକଟ, ଡଲାର ତୁଳନାରେ କମିଲା ଟଙ୍କା

ଇସଲାମାବାଦ: ପାକିସ୍ତାନରେ ଆର୍ଥିକ ସଙ୍କଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଆର୍ଥିକ ସଙ୍କଟ ଯୋଗୁଁ ଏବେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ରେକର୍ଡ ହ୍ରାସ ପାଇଛି । ପାକିସ୍ତାନୀ ଟଙ୍କା ଗୋଟିଏ ଡଲାର ତୁଳନାରେ ୨୫୫ରେ ପହଞ୍ଚିଛି । ଯାହା ସର୍ବନିମ୍ନ ସ୍ତର ଅଟେ । ସରକାର ବିନିମୟ ମୂଲ୍ୟ ଉପରେ ନିଜର ଆଭିମୁଖ୍ୟ ହ୍ରାସ କରିବା ପରେ ପାକିସ୍ତାନୀ ଟଙ୍କାରେ ଏହି ହ୍ରାସ ଘଟିଛି । ଏହି ହ୍ରାସର ଅନ୍ୟତମ କାରଣ ହେଉଛି ଯେ ପାକିସ୍ତାନ ଆଇଏମଏଫର ସର୍ତ୍ତ ଅନୁସାରେ ପଦକ୍ଷେପ ନେଇଛି । ଖୋଲା ବଜାର ମୂଲ୍ୟ ଅନୁଯାୟୀ ଏହାର ଟଙ୍କା ଉପରେ ପାକିସ୍ତାନ ସରକାରଙ୍କର ହସ୍ତକ୍ଷେପ ରହୁନାହିଁ ।

ସରକାରୀ ରାଜକୋଷକୁ ଡଲାର ସହାୟତା ମିଳିବା ପାଇଁ ପାକିସ୍ତାନ ସରକାର ଏପରି କରିଥିବା କୁହାଯାଉଛି । ପୂର୍ବରୁ ବ୍ୟାଙ୍କ ଡଲାର ବିନିମୟ ପାଇଁ ସରକାରୀ ବ୍ୟାଙ୍କକୁ ଆସିବା ପରିବର୍ତ୍ତେ ଖୋଲା ବଜାରକୁ ଯାଉଥିଲେ । ଯେଉଁଠାରେ ସେମାନଙ୍କୁ ଅଧିକ ମୂଲ୍ୟ ମିଳୁଥିଲା । ପାକିସ୍ତାନର ସରକାରୀ ରାଜକୋଷରେ ଡଲାର ହ୍ରାସ ହେବାର ଏହା ମଧ୍ୟ ଏକ ବଡ଼ କାରଣ । ବିଶେଷଜ୍ଞଙ୍କ କହିବା କଥା ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ମାତ୍ର ୪.୩୪ ବିଲିୟନ ଡଲାରରେ ରହିଛି । ଯାହା ନଥିବା ସାଙ୍ଗରେ ସମାନ ବୋଲି କୁହାଯାଉଛି । ଆଇଏମଏଫ୍ ସହାୟତା ପାଇଁ ବିଭିନ୍ନ ସର୍ତ୍ତ ରଖିଥିବା ବେଳେ ପାକିସ୍ତାନ ସରକାର ଆଇଏମଏଫ ଅନୁସାରେ କାମ କରୁଛନ୍ତି ।