ଭୁବନେଶ୍ବର : ରାଜଧାନୀରେ ପୁଣି ଏକ ମର୍ଡର । ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନୃଶଂସ ସ୍ୱାମୀ । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଅଘଟଣ । ପାରିବାରିକ କନ୍ଦଳରୁ ସ୍ତ୍ରୀକୁ ମାରିଲା ସ୍ବାମୀ । ଏକ ନିର୍ମାଣଧୀନ ଆପାର୍ଟମେଣ୍ଟରେ କାମ କରୁଥିଲେ ମହିଳା । ମହିଳାଙ୍କ ଘର ନୟାଗଡ଼ । ପତ୍ନୀହନ୍ତା ସ୍ବାମୀକୁ ଥାନାରେ ଅଟକ ରଖିଛି ପୋଲିସ ।
ଦିଲ୍ଲୀରୁ ଆଜି ପୁଣି ଆରମ୍ଭ ଭାରତ ଯୋଡୋ ଯାତ୍ରା
ନୂଆଦିଲ୍ଲୀ : ଦିଲ୍ଲୀ ଯମୁନା ବଜାରସ୍ଥିତ ହନୁମାନ ମନ୍ଦିରରୁ ଆଜି ଆରମ୍ଭ ହେବ ଭାରତ ଯୋଡୋ ଯାତ୍ରା । ଏହି ଯାତ୍ରା ଉତ୍ତରପ୍ରଦେଶ ଘାଜିଆବାଦ ଅଭିମୁଖେ ଯିବ । ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ବାହାରିବାକୁ ଥିବା ଏହି ଯାତ୍ରାରେ ଭାଗ ନେବେ ବହୁ ହେଭିଓ୍ବେଟ ଓ ଶହ ଶହ କର୍ମୀ । ଉତ୍ତରପ୍ରଦେଶରେ ୧୨୦ କିଲୋମିଟର ଯାତ୍ରା ପରେ ଏହି ଅଭିଯାନ ଆସନ୍ତା ୫ ତାରିଖରେ ହରିଆଣାର ପାନିପଥରେ ପ୍ରବେଶ କରିବ ।
ଘାଜିଆବାଦ ଅତିକ୍ରମ କରିବା ପରେ ଅଭିଯାତ୍ରୀମାନେ ବାଗପତସ୍ଥିତ ମାବିକାଲାଠାରେ ରାତ୍ରୀଯାପନ କରିବେ । ଯାତ୍ରା ଅବସରରେ ବିଜେପିର କୁଶାସନ ବିରୋଧରେ ଲୋକଙ୍କୁ ସଚେତନ କରାଯିବା ସହ ଦଳକୁ ମଜଭୁତ କରିବା ଲାଗି ଆହ୍ବାନ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରୁ ପ୍ରାୟ ଅଢେଇ ହଜାର କର୍ମୀ ସାମିଲ ହୋଇଥିବା ସୂଚନା ମିଳିଛି । ଉତ୍ତରପ୍ରଦେଶର ସମସ୍ତ ୭୫ଟି ଜିଲ୍ଲାର କର୍ମୀ ବିଭିନ୍ନ ପର୍ଯ୍ୟାୟରେ ସାମିଲ ହେବେ । ଗତ ୨୪ ତାରିଖରେ ଦିଲ୍ଲୀରେ ଭାରତ ଯୋଡୋ ଯାତ୍ରା ପହଞ୍ଚିବା ପରେ କିଛିଦିନ ଲାଗି ଏହାକୁ ସ୍ଥଗିତ ରଖାଯାଇଥିଲା ।
ସେପଟେ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବା ଲାଗି ରାହୁଲ ଗାନ୍ଧି କରିଥିବା ଅନୁରୋଧକୁ ସ୍ବାଗତ କରିଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ସିଂ ଯାଦବ । ଭାରତ ଯୋଡୋ ଯାତ୍ରାର ସଫଳତା କାମନା କରିଛନ୍ତି ଅଖିଳେଶ । ଭ୍ରାତୃତ୍ବବୋଧ, ଅହିଂସା, ସହଯୋଗ, ସଂହତିର ବାର୍ତ୍ତା ନେଇ ଚାଲିଥିବା ଯାତ୍ରାକୁ ସେ ଶୁଭେଚ୍ଛା ଜଣାଇଛନ୍ତି ।
ଯାତ୍ରା ଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ଟ୍ରାଫିକ ଆଜଭାଇଜରି ଜାରି କରାଯାଇଛି । ମାର୍ଗାରେଟ ଓ୍ବାଲେ ବାବା, ହନୁମାନ ମନ୍ଦିର, ଲୋନି ବର୍ଡର, ଶାସ୍ତ୍ରୀ ପାର୍କ ମେଟ୍ରୋ ଷ୍ଟେସନ, ପୁରୁଣା ଜିଟି ରୋଡ, ଫର୍ଣ୍ଣିଟର ମାର୍କେଟ, ଅନସାରୀ ରୋଡ, ମଉଜପୁରୀ, ବାବରପୁର, ଓ୍ବାଜିରାବାଦ ରୋଡ ଆଦି ଇଲାକାରେ ପୋଲିସ ପକ୍ଷରୁ ନିରାପତ୍ତାମୂଳକ ପଦକ୍ଷେପ ନିଆଯାଇଛି ।
ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ
ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ । ଫେବ୍ରୁଆରୀ ୧ରେ ଆସିପାରେ ବଜେଟ । ଏହି ଅଧିବେଶନ ଆସନ୍ତା ଏପ୍ରିଲ ୬ ଯାଏ ଚାଲିବା ସମ୍ଭାବନା ରହିଛି । ପ୍ରଥମ ଦିନ ସଂସଦର ମିଳିତ ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଂସଦର ମିଳିତ ଅଧିବେଶନରେ ପ୍ରଥମ ଥର ଲାଗି ଉଦବୋଧନ ଦେବେ ରାଷ୍ଟ୍ରପତି । ବଜେଟ ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ । ଆସନ୍ତା ଫେବ୍ରୁଆରୀ ୧୦ ଯାଏ ଚାଲିବ ସଂସଦର ପ୍ରଥମ ପର୍ଯ୍ୟାୟ । ସଂସଦର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୬ରୁ ଆରମ୍ଭ ହୋଇ ଏପ୍ରିଲ ୬ରେ ସରିବ ।
ଜୋମାଟୋରୁ ଇସ୍ତଫା ଦେଲେ ଚତୁର୍ଥ କୋ-ଫାଉଣ୍ଡର ଗୁଞ୍ଜନ ପଟିଦାର
ନୂଆଦିଲ୍ଲୀ: ଖାଦ୍ୟ ଓ ପାନୀୟ ସାମଗ୍ରୀର ଅନଲାଇନ୍ ଡେଲିଭରି ସୁବିଧା ଦେଉଥିବା ପ୍ଲାଟଫର୍ମ ଜୋମାଟୋର କୋ-ଫାଉଣ୍ଡର ଏବଂ ଚିଫ୍ ଟେକ୍ନୋଲୋଜି ଅଫିସର ଗୁଞ୍ଜନ ପଟିଦାର ଇସ୍ତଫା ଦେଇ ଦେଇଛନ୍ତି । ଗତ କିଛି ସମୟ ହେବ କମ୍ପାନୀରୁ ଅନେକ ବଡ଼ ଅଧିକାରୀ ଇସ୍ତଫା ଦେଇ ବାହାରିଯାଇଛନ୍ତି ଏବଂ ଗୁଞ୍ଜନ ପଟିଦାର ଏହି କ୍ରମରେ ନୂଆ ନାଁ ଅଟେ । ପଟିଦାରଙ୍କ ଇସ୍ତଫାର କିଛି ସପ୍ତାହ ପୂର୍ବରୁ କମ୍ପାନୀର ଆଉ ଜଣେ କୋ-ଫାଉଣ୍ଡର ମୋହିତ ଗୁପ୍ତା ମଧ୍ୟ ଇସ୍ତଫା ଦେଇଥିଲେ । କମ୍ପାନୀର ନ୍ୟୁ ଇନିସିଏଟିଭ ହେଡ ଏବଂ ପୂର୍ବତନ ଫୁଡ ଡେଲିଭରି ଚିଫ ରାହୁଲ ଗାଞ୍ଜୁ ଏବଂ ଏହାର ଇଣ୍ଟରସିଟି ଲିଜେଡ ସର୍ଭିସେଜର ହେଡ ସିଦ୍ଧାର୍ଥ ଝବାର ମଧ୍ୟ ନିକଟରେ କମ୍ପାନୀରୁ ଇସ୍ତଫା ଦେଇଥିଲେ ।
ପଟିଦାର ଜୋମାଟୋର କିଛି କର୍ମଚାରୀମାନଙ୍କ ମଧ୍ୟରେ ସାମିଲ ଥିଲେ ଏବଂ ସେ କମ୍ପାନୀର କୋର ଟେକ ସିଷ୍ଟମକୁ ବିକଶିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । କମ୍ପାନୀ ସେୟାର ମାର୍କେଟକୁ ପଠାଇଥିବା ସୂଚନାରେ କହିଛି ଯେ ଗତ ୧୦ରୁ ଅଧିକ ବର୍ଷରେ ସେ ଜମାଟୋର ଟେକ ଲିଡରସିପ୍ ଟିମକୁ ମଧ୍ୟ ଛିଡ଼ା କରାଇଥିଲେ । ୨୦୨୨ ବର୍ଷରେ ଟେକ ସେୟାରରେ ହ୍ରାସ ମଧ୍ୟରେ ଜୋମାଟୋର ସେୟାର ନିଜର ୧୬୨ ଟଙ୍କାର ପିକରୁ ପ୍ରାୟ ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇ ସାରିଛି । ଜୋମାଟୋର ସେୟାର ଆଜି ବିଏସଇରେ ୧.୬୯ ପ୍ରତିଶତ ହ୍ରାସ ପାଇ ୬୦.୩୦ ଟଙ୍କାରେ ବନ୍ଦ ହୋଇଛି ।

