ସୁପର ୩୦ ପ୍ରତିଷ୍ଠାତାଙ୍କୁ ସୁପର ସମ୍ମାନ, ପଦ୍ମଶ୍ରୀ ପାଇବେ ଆନନ୍ଦ କୁମାର

ପାଟନା: ସୁପର ୩୦ ପ୍ରତିଷ୍ଠାତାଙ୍କୁ ସୁପର ସମ୍ମାନ । ପଦ୍ମଶ୍ରୀ ପାଇବେ ଗରିବ ପିଲାଙ୍କ ଦେବଦୂତ ଆନନ୍ଦ କୁମାର । ଅର୍ଥନୈତିକ ପଛୁଆ ବର୍ଗର ପିଲାଙ୍କ ମୁହଁରେ ଆନନ୍ଦ ଦେଉଥିବା ଆନନ୍ଦ କୁମାରଙ୍କୁ ସାଉଁଟିଛନ୍ତି ସମ୍ମାନ । ବାଲ୍ୟକାଳରୁ ଆର୍ଥିକ ଦୁର୍ଦ୍ଦଶାରେ ସଢ଼ିଥିବା ଆନନ୍ଦଙ୍କ ଗଣିତ ପ୍ରତି ଥିଲା ସ୍ବତନ୍ତ୍ର ଆଗ୍ରହ । ତାଙ୍କ ଦ୍ବାରା ରଚିତ ନମ୍ବର ଥିଓରି ମାଥମେଟିକାଲ ସ୍ପେକ୍ଟ୍ରମରେ ପ୍ରକାଶିତ ହେବା ପରେ ବଢ଼ିଥିଲା ଖ୍ୟାତି । କେମ୍ବ୍ରିଜରେ ପଢ଼ିବା ଲାଗି ସୁଯୋଗ ଆସିଥିଲା । ହେଲେ ବାପାଙ୍କ ମୃତ୍ୟୁ କାରଣରୁ ସେ ସେଠାକୁ ଯାଇପାରି ନଥିଲେ । ଗରିବ ପିଲାଙ୍କୁ ମାଗଣାରେ ଜେଇଇ କୋଚିଂ ଦେବା ଲାଗି ପଣ କରି ପ୍ରତିଷ୍ଠା କରିଥିଲେ ସୁପର ୩୦ ।

ପ୍ରତିବର୍ଷ ୩୦ ଜଣ ଗରିବ ପିଲାଙ୍କୁ ଜେଇଇ ଏଣ୍ଟ୍ରାନସ ଲାଗି କରୁଛନ୍ତି ପ୍ରସ୍ତୁତ । ୨୦୦୩ରୁ ୨୦୧୭ ମଧ୍ୟରେ ୫୦୦ ପିଲାଙ୍କ ମଧ୍ୟରୁ ୩୯୧ ଛାତ୍ରଛାତ୍ରୀ ଜେଇଇ ପାସ୍ କରିଥିଲେ । ୨୦୧୦ରେ ସମସ୍ତ ୩୦ ଜଣ ପିଲା ଏଣ୍ଟ୍ରାନ୍ସ ପାସ୍ କରିଥିଲେ । ତାଙ୍କୁ ନେଇ ନିର୍ମିତ ହୋଇଛି ଚଳଚ୍ଚିତ୍ର ସୁପର ୩୦ । ଆନନ୍ଦଙ୍କ ଭୂମିକାରେ ଅଭିନୟ କରିଥିଲେ ହ୍ରିତିକ ରୋଶନ । ଆରକ୍ଷଣ ଫିଲ୍ମରେ ଅଭିନେତା ଅମିତାଭ ବଚ୍ଚନଙ୍କୁ ବି ସାହାଯ୍ୟ କରିଥିଲେ ଆନନ୍ଦ । ଆଂଶିକ ଶ୍ରବଣ ଶକ୍ତି ସମସ୍ୟାରେ ଥିବା ଆନନ୍ଦଙ୍କ ଉପରେ ଏକ ପୁସ୍ତକ ମଧ୍ୟ ରଚନା କରିଥିଲେ କାନାଡାର ସାଇକିଆଟ୍ରିଷ୍ଟ ବିଜୁ ମାଥ୍ୟୁ ।