କୃଷି ମେଳାରେ ମୁଖ୍ୟମନ୍ତ୍ରୀଙ୍କ ଟିପ୍ସ୍, ଚାଷ କାର୍ଯ୍ୟରେ ନୂଆ ନୂଆ ମେସିନ ବ୍ୟବହାର କରନ୍ତୁ

ଭୁବନେଶ୍ୱର: ଚାଷୀଙ୍କୁ ଋଣ ସହାୟତା ଛୋଟ ଚାଷୀଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଛି । ଏହା ଚାଷୀଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିଛି । ରାଜ୍ୟର ଚାଷୀଙ୍କ ଦକ୍ଷତା ସକାଶେ ଓଡ଼ିଶା ବିଭିନ୍ନ ସମୟରେ ଜାତୀୟସ୍ତରରେ ପୁରସ୍କୃତ ହୋଇଛି । ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସବୁବେଳେ ଉଦ୍ୟମ କରିଆସୁଛନ୍ତି । ଆଗକୁ କୃଷିରେ ସଫଳତା ପାଇଁ କୃଷି ମେକାନାଇଜେସନ ଆବଶ୍ୟକ । ଏହି ପ୍ରଦର୍ଶନୀ କୃଷିରେ ଜ୍ଞାନ ଆହରଣ ପାଇଁ ଭଲ ସୁଯୋଗ ଆଣିଥାଏ । ଏଠାରୁ ନୂଆ ନୂଆ ଚାଷ ପଦ୍ଧତି ଜାଣିବାରେ ସୁଯୋଗ ମିଳିଥାଏ । ନୂଆ ନୂଆ ମେସିନ ବିଷୟରେ ଚାଷୀ ଜାଣିବାକୁ ସୁଯୋଗ ପାଇଥାଏ । ତେଣୁ ଚାଷୀମାନେ ବୈଜ୍ଞାନିକ ପଦ୍ଧତିରେ ଚାଷ କରନ୍ତୁ। ସମ୍ବଲପୁରରେ ଆୟୋଜିତ ପଶ୍ଚିମ ଓଡ଼ିଶା କୃଷି ଓ କୃଷି ଯନ୍ତ୍ରପାତି ମେଳା ୨୦୨୩ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ଏହି ଟିପସ ଦେଇଛନ୍ତି ।

ଏପରି ପ୍ରୟୋଗ ଦ୍ୱାରା କୃଷିରେ ରୂପାନ୍ତରଣ ଆସିବ ବୋଲି ନବୀନ ଆଶା ବ୍ୟକ୍ତ କରିଛନ୍ତି । ଆଜିଠୁ ୩୧ ତାରିଖ ପଯ୍ୟନ୍ତ ଏହି ମେଳା ଅନୁଷ୍ଠିତ ହେବ । ଏଥିରେ ପଶ୍ଚିମ ଓଡ଼ିଶାର ଶହ ଶହ ଚାଷୀ, କୃଷି ବିଜ୍ଞାନୀ ଓ ଉଦ୍ୟୋଗୀ ଯୋଗଦେଇଛନ୍ତି । ମେଳାରେ ୫୦୦ ଚାଷୀ ଯୋଗଦେଇଥିବା ସୂଚନା ମିଳିଛି । ନୂଆ କୃଷିନୀତି ତଥା ନୂତନ ଜ୍ଞାନ କୌଶଳର ଉପଯୋଗରେ କିଭଳି ଚାଷ କରାଯିବ ସେନେଇ ତାଲିମ ଦିଆଯାଉଛି । କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ପର୍କରେ ଟ୍ରେନିଂ ଦେଉଛନ୍ତି ବିଶେଷଜ୍ଞ । ପଶ୍ଚିମ ଓଡ଼ିଶାରେ ପ୍ରଥମ ଥର ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ଚାଷୀ ।