ଲଗାତାର ଦ୍ୱିତୀୟ ଥର ହକି ବିଶ୍ୱକପ୍ ଆୟୋଜନ ଦେଶ ଓ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର କଥା: ମୁଖ୍ୟମନ୍ତ୍ରୀ  

1 min read

ଭୁବନେଶ୍ୱର: ଲଗାତାର ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆୟୋଜନ କରିଛି ହକି ବିଶ୍ବକପ । ଏହା ଦେଶ ଓ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର କଥା । ହକି ବିଶ୍ବକପ ସବୁ ବର୍ଗ ମଧ୍ୟରେ ଉତ୍ସାହ ଭରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ କ୍ରୀଡା ନୁହେଁ ଓଡ଼ିଶା ଶିଳ୍ପ ବିକାଶର ଯାତ୍ରା କରୁଛି ଓଡ଼ିଶା । ରାଜ୍ୟରେ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଓ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ 5T ସ୍କୁଲ ରୂପାନ୍ତରଣ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଇତିହାସ ରଚିଛି । ଚାଷୀଙ୍କ କଲ୍ୟାଣ ଓ ସଶକ୍ତିକରଣ କ୍ଷେତ୍ରରେ କାଳିଆ, ବଳରାମ ଯୋଜନା ଓ ମିଲେଟ୍ ମିଶନ ଓଡ଼ିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିଛି ।

ଓଡ଼ିଶାର ବିକାଶ ଧାରା ଦ୍ରୁତ ବେଗରେ ଆଗକୁ ବଢୁଛି । ରାଜନୀତି ନୁହେଁ, ବିକାଶର ବିଭିନ୍ନ ଦିଗ ଉପରେ ଲୋକମାନେ ଗୁରୁତ୍ବ ଦେଉଛନ୍ତି ବୋଲି ନବୀନ କହିଛନ୍ତି । ସବୁ କ୍ଷେତ୍ରରେ ଶ୍ରେଷ୍ଠ ହେବା ପାଇଁ ଓଡ଼ିଶା ଉଦ୍ୟମ ଜାରି ରଖିଛି, ଏହା ହିଁ ରୂପାନ୍ତର । ସାଢେ ଚାରି କୋଟି ଓଡ଼ିଶାବାସୀ, ସମସ୍ତେ ଜଣେ ଜଣେ ରୂପାନ୍ତରଣର ସାରଥୀ । ଏହି ଉତ୍ସାହ ନେଇ ଆମେ ଆଗକୁ ବଢିଲେ ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଶହେ ବର୍ଷ ପୂର୍ତ୍ତି ବେଳକୁ ଏକ ସଶକ୍ତ ଓଡିଶାର ସ୍ବପ୍ନ ନିଶ୍ଚୟ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।