spot_img
Home Blog Page 3702

ପଦମପୁର ପାଇଁ ପ୍ରଚାର କରିବେ ନବୀନ, ୧୦ ମନ୍ତ୍ରୀ ଧରିବେ ମଙ୍ଗ

ବରଗଡ: ପଦମପୁର ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦମପୁର ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ବିଜେଡି ପ୍ରାର୍ଥୀ ବର୍ଷା ବରିହାଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ନମ୍ବର ଷ୍ଟାର ପ୍ରଚାରକ ହେଉଛନ୍ତି ନବୀନ । ୧୦ ମନ୍ତ୍ରୀ ପ୍ରଚାର ମଙ୍ଗ ଧରିବେ । ସେହିପରି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ନବ କିଶୋର ଦାସ, ସମୀର ରଞ୍ଜନ ଦାଶ, ଟୁକୁନି ସାହୁ, ରୀତା ସାହୁ ପ୍ରମୁଖ ମନ୍ତ୍ରୀ ବର୍ଷାଙ୍କ ପାଇଁ ଭୋଟ ମାଗିବେ  ।

 

ସେହିପରି ଅଭିନେତା ଅରିନ୍ଦମ ରଏ, କୁନା ତ୍ରିପାଠୀଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି । ତାଲିକାରେ ଅନେକ ତୁଙ୍ଗ ନେତାଙ୍କୁ ମିଶାଇ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ବିଜେଡି ।

ମେମୁ ଟ୍ରେନରେ ଅଘଟଣ, ଅତ୍ୟଧିକ ଭିଡରୁ ଖସିପଡିଲେ ୨ ଜଣ

0

ଭଦ୍ରକ: ଟ୍ରେନ ଛାଡ଼ି ଦେବାରୁ ଖସିପଡିଲେ ୨ ଜଣ । ଯାଜପୁର ଜିଲ୍ଲା ଦୁଲାଖାପାଟଣା ଷ୍ଟେସନରେ ଅଟକିଛି ଡିଏମୟୁ ଟ୍ରେନ । ଟ୍ରେନ ସହ ଗାର୍ଡଙ୍କୁ ଅଟକ ରଖିଛନ୍ତି ଯାତ୍ରୀ । ଆହତ ଦୁଇ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରତିବାଦରେ ବାଲେଶ୍ବର ଭୁବନେଶ୍ବର ମେମୁ ପାସେଞ୍ଜର ଟ୍ରେନକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ଦୀର୍ଘ ସମୟ ଧରି ଅଟକି ରହିଛି ମେମୁ ଟ୍ରେନ ।

ଟ୍ରେନରେ ଅତ୍ୟଧିକ ଭିଡ଼ ଯୋଗୁ ଏହି ଅଘଟଣ ଘଟିଥିବା କୁହାଯାଉଛି। ଟ୍ରେନରେ ଚଢୁଥିବା ସମୟରେ ଅସାବଧାନତା ବଶତଃ ଦୁଇ ଜଣ ଯାତ୍ରୀ ଖସି ପଡ଼ିଥିଲେ। ଭଦ୍ରକ ଓ ଯାଜପୁର ରୋଡରୁ ରେଳ ବିଭାଗ କର୍ମଚାରୀ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଦୀର୍ଘ ସମୟ ଧରି ଲୋକଙ୍କ ସହ ଆଲୋଚନା ପରେ ରେଳ ଚଳାଚଳ ସ୍ବାଭାବିକ୍ ହୋଇଛି ।

ଜେଲ୍‌ରୁ ମନ୍ତ୍ରୀଙ୍କ ମସାଜ୍‌ ଭିଡିଓ ଭାଇରାଲ, ଆପ୍‌ କହିଲା ବିଜେପି କରୁଛି ହୀନ ରାଜନୀତି

ନୂଆଦିଲ୍ଲୀ: ଜେଲରେ ରାଜନେତାଙ୍କୁ ଫାଇଭ ଷ୍ଟାର ଟ୍ରିଟମେଣ୍ଟ । ତିହାର ଜେଲରେ ବନ୍ଦୀ ଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ମସାଜ କରାଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଜୈନଙ୍କୁ ମସାଜ ସୁବିଧା ଦିଆଯାଉଥିବା ଦେଖାଯାଉଛି । ତିହାର ଜେଲ ଭିତରୁ ଆସିଥିବା ଏହି ସିସିଟିଭି ଫୁଟେଜକୁ ନେଇ ଆପ୍ ଉପରେ ବର୍ଷିଛି ବିଜେପି ।

ଜେଲ ନିୟମ ଉଲ୍ଲଂଘନ କରାଯାଇ ଜୈନଙ୍କୁ ଭିଭିଆଇପି ଭାବେ ସେବା ଦିଆଯାଉଛି ବୋଲି କହିଛନ୍ତି ବିଜେପି ନେତା ସେହଜାଦ ପୁଲାଓ୍ବାଲା । ମନି ଲଣ୍ଡରିଂ ମାମଲାରେ ଜୈନ୍‌ ଜେଲରେ ଥିବା ବେଳେ ତାଙ୍କୁ ସ୍ବତନ୍ତ୍ର ସୁବିଧା ଦିଆଯାଉଛି ବୋଲି ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଭିଯୋଗ ହୋଇଥିଲା । ଏ ନେଇ ଇଡି ଗୃହ ମନ୍ତ୍ରଣାଳୟକୁ ଜଣାଇବା ପରେ ଦିଲ୍ଲୀ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରି ରିପୋର୍ଟ ମାଗିଥିଲା ଗୃହ ମନ୍ତ୍ରଣାଳୟ ।

ସେପଟେ ସତ୍ୟେନ୍ଦ୍ର ଜୈନଙ୍କୁ ଆକ୍ୟୁପଙ୍କଚର ଥେରାପି ଦିଆଯାଉଥିଲା ବୋଲି ସଫେଇ ଦେଇଛି ଆମ ଆଦମୀ ପାର୍ଟି । ଭିଡିଓ ଭାଇରାଲ ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସତ୍ୟେନ୍ଦ୍ର ଜୈନଙ୍କ ସପକ୍ଷରେ କହିଛନ୍ତି  । ବରଂ ଜୈନ ଅସୁସ୍ଥ ଥିବାରୁ ଡାକ୍ତରଙ୍କ ପରାମର୍ଶରେ ସେ ଫିଜିଓଥେରାପୀ କରୁଥାଇ ପାରନ୍ତି  । ସେପଟେ ତିହାର ଜେଲରୁ ଭିଡିଓ କିପରି ଲିକ୍‌ ହେଲା ଓ ଏହା କେମିତି ବିଜେପି ପାଖରେ ପହଞ୍ଚିଲା ବୋଲି ସିସୋଦିଆ ପ୍ରଶ୍ନ ଉଠାଇଛନ୍ତି  । ସେହିପରି ଜୈନଙ୍କ ଅସୁସ୍ଥତାକୁ ନେଇ ବିଜେପି ପରିହାସ କରିବା ଘଟଣା ଲଜ୍ୟାଜନକ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ  ।

୪ ଟିଆରଏସ ବିଧାୟକଙ୍କୁ କିଣିବା ପଡିଲା ମହଙ୍ଗା, ବରିଷ୍ଠ ବିଜେପି ନେତାଙ୍କୁ ସମନ

ହାଇଦ୍ରାବାଦ: ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ୪ ବିଧାୟକଙ୍କୁ କିଣିବା ଲାଗି ଉଦ୍ୟମ ମହଙ୍ଗା ପଡ଼ିଲା । ବରିଷ୍ଠ ବିଜେପି ନେତା ବି.ଏଲ ସନ୍ତୋଷଙ୍କୁ ସମନ ଜାରି କରିଛି ତେଲେଙ୍ଗାନା ପୋଲିସ । ଆସନ୍ତା ୨୧ ତାରିଖରେ ହାଜର ହେବା ଲାଗି ସନ୍ତୋଷଙ୍କୁ ନୋଟିସ ଦେଇଛି ପୋଲିସ । ୨୧ ତାରିଖରେ ହାଜର ନହେଲେ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଟିଆରଏସର ବିଧାୟକଙ୍କୁ କିଣିବା ଲାଗି ଉଦ୍ୟମ ଅଭିଯୋଗ ମାମଲାରେ ତେଲେଙ୍ଗାନା ହାଇକୋର୍ଟ ତଦନ୍ତ ଲାଗି ପୋଲିସକୁ ନିର୍ଦ୍ଦେଶ ଦେବା ସହ ଜଣେ ବିଚାରପତି ଏହି ପ୍ରକ୍ରିୟାର ମନିଟରିଂ କରିବା ଲାଗି କହିଥିଲେ । ଏକ ଫାର୍ମ ହାଉସରେ ଟିଆରଏସର ୪ ବିଧାୟକଙ୍କୁ ୧୦୦ କୋଟି ଟଙ୍କାର ଅଫର ଦେଉଥିବା ବେଳେ ଗତ ମାସରେ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଫାର୍ମ ହାଉସ ଭିତରେ ଡିଲ୍‌ ଚାଲିଥିବାର ଏକ ଭିଡିଓକୁ ଟିଆରଏସ ନେତା ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପ୍ରକାଶ କରିଥିଲେ ।

ଟିଆରଏସ ବିଧାୟକ ପାଇଲଟ ରୋହିତ ରେଡ୍ଡୀ ଅଭିଯୋଗ କରିଥିଲେ, ଯଦି ସେମାନେ ଅଫରକୁ ଗ୍ରହଣ କରିବେ ନାହିଁ, ତେବେ ସେମାନଙ୍କ ବିରୋଧରେ ସିବିଆଇ ତଥା ଅନ୍ୟ କେନ୍ଦ୍ରୀୟ ସଂସ୍ଥାକୁ ଲଗାଯିବ ବୋଲି ଗିରଫ ୩ ଅଭିଯୁକ୍ତ ଧମକ ଦେଇଥିଲେ । ବଡ଼ କଥା ହେଉଛି ଏହି ଘଟଣାର ତଦନ୍ତ ଭାର ସିବିଆଇ ପରି ଏକ ସଂସ୍ଥାକୁ ଦେବା ଲାଗି ବିଜେପିର ଦାବିକୁ ହାଇକୋର୍ଟ ଅଗ୍ରାହ୍ୟ କରିଥିଲେ ଏବଂ ଏସଆଇଟି ଜରିଆରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସହର ଉପରେ ପଡିପାରିବନି ବୋମା, ଚୁକ୍ତିନାମା ସ୍ବାକ୍ଷର କଲେ ୮୦ ରାଷ୍ଟ୍ର

ଡବଲିନ: ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ସହର ଉପରେ ବୋମା ପକାଇବା ବିରୋଧରେ ମିଳିତ ଘୋଷଣାନାମା । ପ୍ରଥମ ଥର ଲାଗି ୮୦ଟି ରାଷ୍ଟ୍ର ପକ୍ଷରୁ ଜାରି ହୋଇଛି ଘୋଷଣାନାମା । ଡବଲିନରେ ଆୟୋଜିତ ସମ୍ମିଳନୀରେ ଏହି ଘୋଷଣାନାମାରେ ଆମେରିକା, ବ୍ରିଟେନ, ଫ୍ରାନ୍ସ ସମେତ ୮୦ଟି ରାଷ୍ଟ୍ର ସ୍ବାକ୍ଷର କରିଛନ୍ତି । ଇଣ୍ଟରନ୍ୟାସନାଲ ନେଟଓ୍ବର୍କ ଅନ୍ ଏକ୍ସପ୍ଲୋସିଭି ଓ୍ବିପନସ ବା INEW ପକ୍ଷରୁ ଆୟୋଜିତ ସମ୍ମିଳନୀରେ କିନ୍ତୁ ଋଷ, ଚୀନ, ଭାରତ ଓ ଇସ୍ରାଏଲ ସ୍ବାକ୍ଷର ଦେଇନାହାନ୍ତି ।

ନାଟୋର ପ୍ରାୟ ଦୁଇ ତୃତୀୟାଂଶ ସଦସ୍ୟ ଏଥିରେ ସ୍ବାକ୍ଷର ପ୍ରଦାନ କରିଛନ୍ତି । ପ୍ରାୟ ୩ ବର୍ଷର ଆଲୋଚନା ପରେ ଏହି ଘୋଷଣାନାମା ସ୍ବାକ୍ଷରିତ ହୋଇଛି । ବିଭିନ୍ନ ଯୁଦ୍ଧ ଓ ବିବାଦ ପରିପ୍ରେକ୍ଷୀରେ ଜନଗହଳିପୂର୍ଣ୍ଣ ଇଲାକାରେ ବୋମା ଓ ବିସ୍ଫୋରକ ପ୍ରୟୋଗ ଯୋଗୁ ଅକାରଣରେ ଲୋକଙ୍କ ଜୀବନ ଯିବା ସହ ଅନେକ ଧନ ଜୀବନ ନଷ୍ଟ ହେଉଛି । ୟୁକ୍ରେନର ଅନେକ ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ସହରରେ ଋଷର ବୋମାମାଡ ଯୋଗୁ ଶହ ଶହ ଲୋକଙ୍କ ଜୀବନ ଯାଇଛି ଏବଂ ବିପୁଳ ଜନଜୀବନ ନଷ୍ଟ ହୋଇଛି ।

ବହୁ ଶକ୍ତି ପ୍ରକଳ୍ପ ବି ମାଟିରେ ମିଶିଛି । ଗତ ୨୦୧୭ରେ ଇରାକର ମୋସୁଲ ସହର ଉପରେ ଆମେରିକା ଓ ବ୍ରିଟେନ ବଡ ଧରଣର ଆକ୍ରମଣ କରିଥିଲେ । ସେହିପରି ୧୯୯୯ରେ ଯୁଗୋସ୍ଲୋଭିଆ ଉପରେ ୭୮ ଦିନ ଧରି ନାଟୋ ପକ୍ଷରୁ ବୋମା ବର୍ଷଣ କରାଯାଇଥିଲା । ତଥ୍ୟ ଅନୁସାରେ ୨୦୧୦ରୁ ବର୍ତ୍ତମାନ ଯାଏ ୧୨୯ ଦେଶରେ ବିଭିନ୍ନ ସହର ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବୋମାବର୍ଷଣ ଓ ବିସ୍ଫୋରଣ ଯୋଗୁ ୧ ଲକ୍ଷ ୩ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ, ୧ ଲକ୍ଷ ୯୨ ହଜାର ଲୋକ ଆହତ ହୋଇଛନ୍ତି ।

ବାଲୁକା କଳାରେ ପୁରୁଷଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଲିରେ ନିଆରା ବାଲୁକା କଳା । ଅନ୍ତର୍ଜାତୀୟ ପୁରୁଷ ଦିବସ ଉପଲକ୍ଷେ ପୁରୀ ସମୁଦ୍ରକୂଳରେ ସୁନ୍ଦର ବାଲୁକା କଳା ପ୍ରଦର୍ଶନ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ୨୦ଫୁଟ ଲମ୍ବାର ନିଶ କରିବା ସହ ସେଥିରେ ମାଟି କପ୍ ଦେଇ ସୁନ୍ଦର ଭାବରେ ସଜାଇଛନ୍ତି । ସେହିପରି ବିଶ୍ବ ଶୌଚାଳୟ ଦିବସ ଉପଲକ୍ଷେ ବାଲିରେ ପ୍ରସ୍ତୁତ କରିଛନ୍ତି ଟଏଲେଟ୍ । ବାଲୁକା କଳା ମାଧ୍ୟମରେ ସୁନ୍ଦର ମେସେଜ୍ ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ମେକିଂ ଦ ଇନଭିଜିବଲ୍ ଭିଜିବଲ୍ ବୋଲି ଟ୍ୟାଗ୍ ଲାଇନ୍ ଦେଇଛନ୍ତି ।

ଦେଶ ପାଳୁଛି ବିଶ୍ବ ଐତିହ୍ୟ ସପ୍ତାହ, ପ୍ରାଚୀନ କୀର୍ତ୍ତିରାଜୀ ଦେଖିବାକୁ ପର୍ଯ୍ୟଟକଙ୍କୁ ପଡ଼ିବନି ଟିକେଟ

0

ନୂଆଦିଲ୍ଲୀ: ଆଜି ମାଗଣାରେ ବୁଲିପାରିବେ ଐତିହ୍ୟସ୍ଥଳ । ଦେଶର ସମସ୍ତ ପ୍ରାଚୀନ କୀର୍ତ୍ତିରାଜୀ ବୁଲି ଦେଖିବାକୁ ପର୍ଯ୍ୟଟକଙ୍କୁ ପଡ଼ିବନି ଟିକେଟ । ବିଶ୍ବ ଐତିହ୍ୟ ସପ୍ତାହ ପାଳନ ଅବସରରେ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ଛାଡ କରିବାକୁ ଘୋଷଣା କରିଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ । ଏ ନେଇ ASI ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଏଏସଆଇ ଅଧିନ ସମସ୍ତ ଐତିହ୍ୟସ୍ଥଳୀକୁ ଆଜି ପ୍ରବେଶ ଶୁଳ୍ପ ଛାଡ କରାଯାଇଛି ।

ଆଗ୍ରାସ୍ଥିତ ତାଜମହଲ, ଆଗ୍ରା ଫର୍ଟ, ଫତେହପୁର ସିକ୍ରି, କୋଣାର୍କ ସମେତ ଏଏସଆଇ ଅନୁବନ୍ଧିତ ଐତିହ୍ୟସ୍ଥଳିଗୁଡ଼ିକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ଟିକେଟ ଦେବାକୁ ପଡ଼ିବନି । ଏପରିକି ପ୍ରବେଶ ଶୁଳ୍କ ଛାଡ କରାଯାଇଥିବାରୁ ସମସ୍ତ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି । ତାଜମହଲରେ ଆଜି ସକାଳୁ ପର୍ଯ୍ୟଟକଙ୍କ ଲମ୍ବା ଲାଇନ ଲାଗିଛି । ମାତ୍ର ସମାଧି ସ୍ଥଳକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ଟିକେଟ ବାବଦ ଟଙ୍କା ଦେବାକୁ ପଡ଼ିବ ।

ବିଶ୍ବ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ଶୁଳ୍କ ଛାଡ଼ ହୋଇଥିବା ବେଳେ ସୂର୍ଯ୍ୟମନ୍ଦିର ପରିସରରେ ଐତିହ୍ୟ ଫଟୋ ପ୍ରଦର୍ଶନୀ ଆୟୋଜିତ ହେଉଛି । ଭୁବନେଶ୍ୱର ଉଦୟଗିରିରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଛି। ଭାରତର ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ବିଭାଗ ପର୍ଯ୍ୟଟକମାନଙ୍କୁ ଶାନ୍ତି ଶୃଙ୍ଖଳାର ସହ ପରିଦର୍ଶନ କରିବାକୁ ପରାମର୍ଶ ଦେଇଛି ।

ପୁରୀ ଗସ୍ତରେ 5T ସଚିବ, ବେଢା ପରିକ୍ରମା ସହ ଦେବାଦେବୀ ମନ୍ଦିର କଲେ ଦର୍ଶନ

ପୁରୀ: ଆଜି ଚତୁର୍ଦ୍ଧା ମୂରତିଙ୍କୁ ପୁରୀ ଗସ୍ତ କରି ଦର୍ଶନ କରିଛନ୍ତି 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ  । ବେଢା ପରିକ୍ରମା କରିବା ସହ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ଓ ପାର୍ଶ୍ୱ ଦେବାଦେବୀ ମନ୍ଦିରରେ ଦର୍ଶନ କରିଛନ୍ତି  । ତେବେ 5T ସଚିବଙ୍କ ସହ ତାଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ମଧ୍ୟ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି  । ଦର୍ଶନ ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିଥିବା ସୂଚନା ମିଳିଛି ।

ଏଣିକି ଅଣଧାନ ଚାଷକୁ ଦିଆଯିବ ଗୁରୁତ୍ବ, ଆସିବ ନୂଆ ବନ୍ଦର ନୀତି

0

ଭୁବନେଶ୍ବର: ଏଣିକି ଧାନ ଚାଷ ବଦଳରେ ଅଣଧାନ ଚାଷକୁ ଦିଆଯିବ ଗୁରୁତ୍ବ । ବିବିଧ ଫସଲ ଚାଷ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି । ଏଥିପାଇଁ ଆସନ୍ତା ତିନି ବର୍ଷରେ ଖର୍ଚ୍ଚ ହେବ ୯୩୦ କୋଟି ଟଙ୍କା । ଧାନ ଚାଷ ହେଉଥିବା ୩ଲକ୍ଷ ୭୦ ହଜାର ହେକ୍ଟର ଜମିରେ ଅର୍ଥକାରୀ ଓ ଡାଲିଜାତୀୟ ଫସଲ ଚାଷ ପାଇଁ ଯୋଜନା କରାଯାଇଛି ।

ଦେଢ ଲକ୍ଷ ହେକ୍ଟର ଜମିରେ ଅଣଧାନ ସମେତ ତୈଳବୀଜ, ୫୦ ହଜାର ହେକ୍ଟର ଜମିରେ ଦେଶୀୟ ବାସ୍ନା ଚାଉଳ ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ । କୃଷି ବିଭାଗର ଏହି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି ।

ସେହିପରି ବାଲି, ମୋରମ ପରି ଲଘୁ ଖଣିଜ ପଦାର୍ଥ ନିଲାମ ବା ସୈରାତ ଆଉ ରାଜସ୍ବ ବିଭାଗ କରିବ ନାହିଁ । ଇସ୍ପାତ ଓ ଖଣି ବିଭାଗ ଏସବୁ ଲଘୁ ଖଣିଜ ପଦାର୍ଥର ନିଲାମୀ କରିବ । ଅନ୍ତର୍ଦେଶୀୟ ଜଳ ପରିବହନ ପାଇଁ ୨୦୦୪ର ବନ୍ଦର ନୀତି ବଦଳରେ ଆସିବ ନୂଆ ବନ୍ଦର ନୀତି-୨୦୨୨ । ରାଜ୍ୟରେ ନିଜସ୍ବ ବିଦ୍ୟୁତ ଶକ୍ତି ଉତ୍ପାଦନ କରୁଥିବା ସଂସ୍ଥାର ବକେୟା ବିଦ୍ୟୁତ ଶୁଳ୍କ ଏକକାଳୀନ ପୈଠ ପାଇଁ କ୍ୟାବିନେଟ ନିଷ୍ପତ୍ତି ହୋଇଛି । ଏଥିରେ ରାଜ୍ୟ ସରକାର ଦେଢ ହଜାର କୋଟି ଟଙ୍କା ରାଜସ୍ବ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ।

କଟକ ଜିଲ୍ଲା ନରସିଂହପୁର, ତିଗିରିଆ ଓ ବଡମ୍ବା ବ୍ଲକରେ ହାଡୁଆ ମଧ୍ୟମ ଜଳସେଚନ ପ୍ରକଳ୍ପ ଡ୍ୟାମ ନିର୍ମାଣ ପାଇଁ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ ମଂଜୁରୀ ଦେଇଛି । ୨୨୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ କାମ ଅଢେଇ ବର୍ଷ ମଧ୍ୟରେ ଶେଷ ହେବ । ୬ହଜାର ୬୦୦ ହେକ୍ଟର ଜମି ଜଳସେଚିତ ହେବା ସହ ୩ଲକ୍ଷରୁ ଅଧିକ ଲୋକଙ୍କୁ ପାନୀୟ ଜଳ ସୁବିଧା ମିଳିପାରିବ ।

ବ୍ରାହ୍ମଣୀ ବାମପଟ କେନାଲ ବନ୍ଧର ମୁଖ୍ୟ କେନାଲ କାମ ପାଇଁ ୨୯୭ କୋଟିର ଟେଣ୍ଡରକୁ କ୍ୟାବିନେଟ ମଂଜୁରୀ ଦେଇଛି । ଏହି କାମ ୩୬ମାସରେ ଶେଷ ହେବ । ଏଥିରେ କୋରେଇ, କେନ୍ଦୁଝର, ବରପଦା ଓ ରାମଚନ୍ଦ୍ର ବ୍ଲକରେ ୧୯ହଜାର ୮୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିପାରିବ । ଏହାସହ ଆନନ୍ଦପୁର ବ୍ୟାରେଜକୁ ମଧ୍ୟ ପାଣି ମିଳିପାରିବ ।

ଅବପାତର ରୂପ ନେବ ଲଘୁଚାପ, ଆଭ୍ୟନ୍ତରୀଣ ଓଡିଶାରେ ବଢିବ ଶୀତ

ଭୁବନେଶ୍ବର: ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୁଖିଲା ପାଗ । ୨୧ ତାରିଖରୁ ବଦଳିବ ପାଗ । ଆକାଶ ମେଘାଛନ୍ନ ରହିବା ସହ କିଛି ଜିଲ୍ଲାରେ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିବ ଶୀତ । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଉ କିଛି ଘଣ୍ଟା ମଧ୍ୟରେ ଅବପାତର ପରିଣତ ହେବ । ପ୍ରଭାବରେ ୨୧ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୧ ତାରିଖ ସକାଳ ସାଢେ ଆଠଟାରୁ ୨୨ ତାରିଖ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟରେ ଘଡିଘଡି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ବର୍ଷା ପରେ ଶୀତ କମିବା ସହ ରାତ୍ରିର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ ।