ଶୀତ ରାତିରେ ମା’କୁ ଏକୁଟିଆ ଛାଡି ଚାଲିଗଲା ପୁଅ, କଇଁକଇଁ କାନ୍ଦୁଛି ମା’….

କୋଲକାତା: ମୋତେ ଭୋକ ହଉଛି ଖାଇବାକୁ ଦିଅ । ରାତି ଅଧରେ ଏକୁଟିଆ ଯିବି କୁଆଡ଼େ । ଏ  ପୁଅ ମୋତେ ଛାଡ଼ିକି ଯାଆନା । ଏମିତି ନେହୁରା ହେଉଛି ମା’, ହେଲେ ପୁଅର କାନ ପାଖରେ ପହଞ୍ଚି ପାରୁନି ମା’ର କାକୁତି ମିନତି । ଦିନେ ପୁଅ ମୁହଁରେ ଆହାର ଦେବ ବୋଲି କାହିଁ କେତେଯେ କଷ୍ଟ କରିଛି ସେ ମା’ । ଆଜି ବୟସର ଅପରାହ୍ନରେ ପୁଅ ଏକା କରି ଦେଇଛି ।   ହେଲେ କାହିଁକି ? ମା’ କ’ଣ ବୋଝ? ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ଭାଟପଡ଼ାର ରାଠ ତାଲାରେ । ଯେଉଁଠାରେ ବୃଦ୍ଧା ହାଡ଼ଭଙ୍ଗା ଶୀତରେ ରାସ୍ତା କଡ଼ରେ ପଡ଼ି ରହିଛନ୍ତି ଅଲୋଡ଼ା ମଣିଷଟିଏ ଭଳି ।

ଚମ ଧୁଡ଼ୁ ଧୁଡ଼ୁ, ଦେହରେ ବଳ ନାହିଁ । କେଉଁ ଏକ ଅଚିହ୍ନା ଅଜଣା ସ୍ଥାନ । ପେଟରେ ଭୋକ, ମନରେ କୋହ । ଆଉ ଆଖିରେ ଅସୁମାରୀ ପ୍ରଶ୍ନ ।  ଖାଲି ଚଟାଣରେ ଶୋଇ ରହିଛନ୍ତି ।  ପଚାରିଲେ କହୁଛନ୍ତି ମୁଁ କିଛି ଜାଣିନି, ମୋତେ ମୋ ପୁଅ ପାଖକୁ ନେଇଯାଅ । ମୁଁ ଏଠି ସେମାନଙ୍କ ବିନା ରହି ପାରିବିନି ।

ବୃଦ୍ଧାଙ୍କ ଘର ହେଉଛି ହୁଗୁଳି ସ୍ଥିତ ଚୁର୍‌ ଚୁଡ଼ା ଅଞ୍ଚଳର ଘାଟକ ପଡ଼ାରେ ।  ବୃଦ୍ଧା ଏକା ନୁହଁନ୍ତି । ଦୁଇ ପୁଅ ମଧ୍ୟ ଅଛନ୍ତି । ଆଉ ଦୁଇ ପୁଅ ମାଛ ବ୍ୟବସାୟ କରନ୍ତି ।   ହେଲେ ଗୁରୁବାର ସଂଧ୍ୟାରେ ମା’କୁ ନିଦ ଔଷଧ ଖୁଆଇ ଅଚେତ ଅବସ୍ଥାରେ ରାସ୍ତା କଡ଼ରେ ଛାଡ଼ି ଦେଇଛନ୍ତି । ପୁଅମାନେ ସିନା ମା’କୁ ଅଲୋଡ଼ା ଭାବି ଛାଡ଼ି ଦେଉଛନ୍ତି, ହେଲେ ମା’ ମନ ମାନୁନି । ମୋତେ ମୋ ପୁଅ ପାଖକୁ ନେଇଯାଅ, ମୁଁ ଏଠି ସେମାନଙ୍କ ବିନା କେମିତି ରହିବି ବୋଲି ବାରମ୍ବାର ପଚାରୁଛନ୍ତି ।  ଆଖିରୁ ଝର ଝର ହୋଇ ଲୁହ ଝରି ଯାଉଛି । ତାଙ୍କର ଏହି ଦୁର୍ଦ୍ଦଶା ଦେଖିଲେ କାହାର ମଧ୍ୟ ହୃଦୟ ତରଳିଯିବ, କିନ୍ତୁ ସେମାନେ ତ ଜନ୍ମ କଲା ପୁଅ । ଥରୁଟିଏ ଭାବିଲେନି, ମା’କୁ ଛାଡ଼ିଗଲେ ମା’ ବଞ୍ଚିବ କେମିତି? ମା’ କେବେ ଏକୁଟିଆ ବଞ୍ଚିବା ଶିଖିନି ।

ଏହି ବୃଦ୍ଧାଙ୍କର ଏଭଳି ଅବସ୍ଥା ସମାଜରେ ଲୋକଙ୍କ ମନୋଭାବ ଏବଂ ଚିନ୍ତାଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଅର ଘର ବାହୁଡ଼ାକୁ ମା’ ସବୁବେଳେ ଚାହିଁ ରହୁଥିଲା । ହେଲେ ଆଜି ସମୟ ବଦଳି ଯାଇଛି । ମା’ ଚାହିଁଛି, କିନ୍ତୁ ଘର ବାହୁଡ଼ାକୁ ନୁହେଁ, ବରଂ ନିଛାଟିଆ ରାସ୍ତାରୁ ତାକୁ କେତେବେଳେ ପୁଅ ଆସିବ ନେବାକୁ, ସେଇ ଫେରିବା ବାଟକୁ ମା’ ଚାହିଁ ବସିଛି ।  ହେଲେ ପୁଅ ଫେରିନି ।

ସ୍ଥାନୀୟ ଲୋକ କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି । ପୋଲିସ୍‌ ମଧ୍ୟ ପହଞ୍ଚିଛି ବୁଢ଼ୀ ମା’ର ସହାୟତା ପାଇଁ । ଏହା ସହିତ ଏଭଳି ନିର୍ଦ୍ଦୟୀ ପୁଅଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।