ଚୀନ ସ୍ପାଏ ବେଲୁନକୁ ସମୁଦ୍ର ଉପରେ ମିଜାଇଲ ମାରି ଖସାଇଲା ଆମେରିକା

ଓ୍ବାସିଂଟନ: ଆମେରିକା ଆକାଶରେ ଉଡୁଥିବା ଚୀନର ଗୁପ୍ତଚର ବେଲୁନକୁ ଖସାଇଲା ପେଣ୍ଟାଗନ । ସମୁଦ୍ର ଉପରେ ବେଲୁନଟି ଉଡୁଥିବା ବେଳେ ଏହାକୁ ଆମେରିକା ସେନା ମାରି ଖସାଇ ଦେଇଛି । ଏବେ ଏହାର ଭଗ୍ନାଂସ ଉଠା କାମ ଆରମ୍ଭ ହୋଇଛି । ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶ ପରେ ବେଲୁନଟିକୁ ଧ୍ବଂସ କରିଛି ଆମେରିକା ସେନା ।

ନ୍ୟୁଜ ଏଜେନ୍ସି ଏପି ଅନୁସାରେ, ଏହି ଗୁପ୍ତଚରୀ ବେଲୁନକୁ ଖସାଇବା ପୂର୍ବରୁ ୩ଟି ଏୟାରପୋର୍ଟକୁ ବନ୍ଦ କରି ଦିଆଯାଇଥିଲା । ଏହାସହ ଏୟାରସ୍ପେସକୁ ମଧ୍ୟ ବନ୍ଦ ରଖାଯାଇଥିଲା । ଏହାପରେ ଆମେରିକା ସେନାର ଜେଟ୍ ଆଣ୍ଟଲାଟିକ ମହାସାଗର ଉପରେ ବେଲୁନଟିକୁ ମାରି ଖସାଇ ଦେଇଥିଲେ ।

ବେଲୁନକୁ ନେଇ ବାଇଡେନ କହିଛନ୍ତି, ଚଳିତ ସପ୍ତାହର ପ୍ରଥମରୁ ବେଲୁନଟିକୁ ନଷ୍ଟ କରିବାକୁ ମୁଁ ଆଦେଶ ଦେଇ ସାରିଥିଲି । ହେଲେ ବେଲୁନଟି ସମୁଦ୍ର ଉପରକୁ ଆସିବାକୁ ଅପେକ୍ଷା କରାଯାଇଥିଲା । ବେଲୁନଟି ସମୁଦ୍ର ଉପରକୁ ଆସିଯିବା ପରେ ଆମେରିକା ବିମାନ ଏହାକୁ ଧ୍ବଂସ କରି ଦେଇଥିଲେ ।’

ସୂଚନାଯୋଗ୍ୟ, ତିନିଦିନ ହେବ ଆମେରିକା ଆକାଶରେ ଚୀନର ଏହି ଗୁପ୍ତଚରୀ ବେଲୁନଟି ଉଡୁଥିଲା । ଆମେରିକା ସେନା ବେଲୁନଟିର ଗତିବିଧି ଉପରେ ନଜର ରଖିଥିଲେ । ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ବେଲୁନଟିକୁ ଅତିଶୀଘ୍ର ନଷ୍ଟ କରିବାକୁ ଚାପ ପକାଯାଉଥିଲା ।

ୟୁଏସ, କାନାଡା ଓ ଲାଟିନ ଆମେରିକା ଏୟାରସ୍ପେସରେ ଚୀନର ଗୁପ୍ତଚରୀ ବେଲୁନ ଦେଖାଯିବା ପରେ ପୂରା ବିଶ୍ବରେ ହଇଚଇ ସୃଷ୍ଟି ହୋଇଥିଲା । ପେଣ୍ଟାଗନ ସୂଚନା ଅନୁସାରେ, ବେଲୁନଟିର ଆକାର ୩ଟି ବସ୍ ସହ ସମାନ ଥିଲା । ବେଲୁନଟି ଆମେରିକା ନାଗରିକଙ୍କ ପ୍ରତି କୌଣସି କ୍ଷତିକାରକ ନୁହେଁ ବୋଲି ଆମେରିକା ରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା । ତଥାପି ଆମେରିକା ବାୟୁସୀମାରେ ଉଡୁଥିବା ଏହି ବେଲୁନକୁ ଟ୍ରାକ କରାଯାଉଥିଲା ।

ସୂଚନାଯୋଗ୍ୟ, ବେଲୁନଟି ଯେଉଁ ମୋଣ୍ଟାନା କ୍ଷେତ୍ରରେ ଉଡୁଥିଲା, ସେଠାରେ ଆମେରିକାର ନ୍ୟୁକ୍ଲିୟର ମିଜାଇଲ କ୍ଷେତ୍ର ରହିଛି । ଆମେରିକା ସେନାକୁ ସନ୍ଦେହ ଥିଲା କି ଗୁପ୍ତଚରୀ ବେଲୁନଟି ଏହି ସମ୍ବେଦନଶୀଳ ଅଞ୍ଚଳ ଦେଇ ପାର ହେବା ବେଳେ ଗୁପ୍ତ ତଥ୍ୟ ସଂଗ୍ରହ କରି ଚୀନକୁ ପଠାଇବ । ବେଲୁନଟିର ଆକାର ବଡ଼ ଥିବାରୁ ଏହାକୁ ଖସାଇଲେ ଏହାର ଧ୍ବଂସାବଶେଷ ଜନବସତି ଉପରେ ପଡ଼ିବାର ଆଶଙ୍କା ଥିଲା । ହେଲେ ରବିବାର ଏହାକୁ ଖସାଇବାକୁ ବାଇଡେନ ଅନୁମତି ଦେବା ପରେ ପ୍ଲାନିଂ ଅନୁସାରେ ଏହାକୁ ସମୁଦ୍ର ଉପରେ ଖସାଇ ଦିଆଗଲା ।