କେଉଁଠି ଲୁଚିଛି ନବ ଦାସଙ୍କ ହତ୍ୟା ପ୍ରମାଣ ?

ଝାରସୁଗୁଡ଼ା: କେଉଁଠି ଲୁଚିଛି ନବକିଶୋର ଦାସଙ୍କ ହତ୍ୟା ପ୍ରମାଣ ? ଆଜିଠୁ ପୁଣି ଅଭିଯୁକ୍ତ ଗୋପାଳକୃଷ୍ଣକୁ ରିମାଣ୍ଡରେ ନେଇ ଛାନବିନ କରିବ କ୍ରାଇମବ୍ରାଞ୍ଚ । ଦ୍ବିତୀୟ ପର୍ଯ୍ୟାୟରେ ମିଳିଛି ଚାରି ଦିନିଆ ରିମାଣ୍ଡ ଅନୁମତି । ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ ଅଭିଯୁକ୍ତଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଦାୟ କରିଛି କ୍ରାଇମବ୍ରାଞ୍ଚ ।

ଏୟାରପୋର୍ଟ ପୋଲିସ ଷ୍ଟେସନ ଶୌଚାଳୟରୁ ଗୋପାଳର ହାତଲେଖା କାଗଜ ଜବତ ହୋଇଛି । ଜବତ ୨୨ ଖଣ୍ଡ କାଗଜକୁ ହାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି । ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରାଯାଇଛି । ଏଥିପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି । ଗୋପାଳର ଫରେନସିକ ସାଇକୋଲଜିକାଲ ସହିତ ଲେୟର୍ଡ ଭଏସ ଆନାଲିସିସ ଟେଷ୍ଟ କରାଯାଇଛି । ଦିଲ୍ଲୀରୁ ଆସିଥିବା ଏକ ସ୍ବତନ୍ତ୍ର ଟିମ୍ ଗୋପାଳର ଏଲଭିଏ ଟେଷ୍ଟ କରିଛନ୍ତି ।

ହତ୍ୟା ସମ୍ପର୍କିତ ଏକାଧିକ ପ୍ରମାଣ ହାସଲ କରିଛି ତଦନ୍ତକାରୀ ଟିମ୍ । ବ୍ରଜରାଜନଗର କ୍ରାଇମ ସ୍ପଟରୁ ଗୋପାଳଙ୍କ ଘର ପର୍ଯ୍ୟନ୍ତ ସବୁଠି ଛାନବିନ ହୋଇଛି । କ୍ରାଇମ ସ୍ପଟରେ ୩୬୦ ଡିଗ୍ରୀ ଆଙ୍ଗଲରେ ତଦନ୍ତ ହୋଇଛି । ଗୋପାଳର କ୍ବାର୍ଟର୍ସରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଗାନ୍ଧିଛକ ଫାଣ୍ଡିରୁ ଗୋପାଳର ଡାଏରୀ ଜବତ କରିଛି କ୍ରାଇମବ୍ରାଞ୍ଚ । ସେପଟେ ବ୍ରହ୍ମପୁରରେ ଗୋପାଳର ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଆର୍ଥିକ ନେଦେଣର ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ ।

ରିମାଣ୍ଡ ପାର୍ଟ ଟୁରେ ଅଧିକ ତଥ୍ଯ ପ୍ରମାଣ ହାସଲ ପାଇଁ ଉଦ୍ୟମ କରିବ କ୍ରାଇମବ୍ରାଞ୍ଚ । ଘନଘନ ଜେରାରେ ଗୋପାଳ ଲୁଚାଉଥିବା ସତକୁ ବାହାର କରିବ ତଦନ୍ତକାରୀ ଟିମ୍ । ଅଭିଯୁକ୍ତର ବୟାନ, ପାରିପାର୍ଶ୍ବିକ ପ୍ରମାଣ ଆଧାରରେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିବାକୁ ତନାଘନା ଚଲାଇଛି କ୍ରାଇମବ୍ରାଞ୍ଚ । ସେପଟେ ଏଯାଏଁ ତଦନ୍ତ ପ୍ରକ୍ରିୟା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ତଦାରଖ କରୁଥିବା ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ।