ଆମ୍ବୁଲାନ୍ସରେ ପୁଅ ଶବ ଆଣିବାକୁ ବାପା ବିକିଲା ଜମି!

ରାଞ୍ଚି: ନିଜ ପୁଅର ମୃତ୍ୟୁ ଖବର ଶୁଣିବା କେଉଁ ବାପା ପାଇଁ ସହଜ ନୁହେଁ । ବାପାଙ୍କର ମୃତ୍ୟୁ ହେଲେ ପୁଅ କାନ୍ଧ ଦିଏ । ହେଲେ ପୁଅ ଚାଲିଗଲେ ବାପା କାନ୍ଧ ଦେବା ବିଷୟ ବହୁତ କଷ୍ଟ ଦେଇଥାଏ ।

ଆମେ ଏ କଥା ଏଥିପାଇଁ କହୁଛୁ ଯେ, ଏହିଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ନିଜ ପୁଅର ଶବ ଆଣିବାକୁ ବାପା ଏମିତି କଷ୍ଟ ସହିଛି ଯେ, ଏ କଥା ଯିଏ ବି ଶୁଣିବ ସେ କହିବ କାହା ଜୀବନରେ ଏମିତି ନ ଘଟୁ ।

ଏହି ଘଟଣା ଘଟିଛି ଝାଡ଼ଖଣ୍ଡରେ । ସେଠାରେ ରହୁଥିବା ଜଣେ ବାପା ତା ପୁଅର ଶବ ଆଣିବାକୁ ନିଜର ଜମି ବିକିବାକୁ ପଡ଼ିଛି । ରୋଜଗାର ଖୋଜିବାକୁ ଝାଡ଼ଖଣ୍ଡରୁ ମହାରାଷ୍ଟ୍ର ଯାଇଥିଲେ ନାରାୟଣ ଯାଦବଙ୍କ ପୁଅ ଯୋଗେନ୍ଦ୍ର ଯାଦବ । ଯୋଗେନ୍ଦ୍ରଙ୍କ ବୟସ ୩୨ ବର୍ଷ । ସେଠାରେ କାମ ମିଳିବା ପରେ ହଠାତ ଯୋଗେନ୍ଦ୍ରଙ୍କ ଦେହ ଖରାପ ହୋଇଗଲା । ଏହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା ।

ମହାରାଷ୍ଟ୍ରରୁ ଝାଡ଼ଖଣ୍ଡ ପୁଅର ଶବ ଆଣିବାକୁ ଆମ୍ବୁଲାନ୍ସ ଯୋଗାଡ଼ କରିବାକୁ ପଡ଼ିଲା ଆଉ ଏଥିପାଇଁ ୬୦ ହଜାର ଟଙ୍କାର ଆବଶ୍ୟକତା ପଡ଼ିଲା । ନାରାୟଣଙ୍କ ପାଖରେ ଟଙ୍କା ନଥିବାରୁ ତାଙ୍କ ଜମି ବିକି ଦେଇଥିଲେ ।

ପୁଅର ଶବ ଆଣିବାକୁ ନାରାୟଣ ବହୁ ଗୁହାରି କରିବା ପରେ କିଛି ବି ସହାୟତା ମିଳି ନଥିଲା । ବାଧ୍ୟ ହୋଇ ସେ ଜମି ବିକିଥିଲେ । ଏହା ପରେ ଶବ ଘରକୁ ଆସିଥିଲା ।