spot_img
Home Blog Page 3670

ସୁପ୍ରିମକୋର୍ଟ ଗଲେ ବିଲକିସ୍ ବାନୋ, ନ୍ୟାୟ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗଲେ ବିଲକିସ୍ ବାନୋ । ନ୍ୟାୟ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ । ଗଣଦୁଷ୍କର୍ମ କରିଥିବା ୧୧ଜଣ ଦୋଷୀ ଖଲାସ ହେବା ବିରୋଧରେ ଆବେଦନ । ଆଜୀବନ କାରାଦଣ୍ଡ ଭୋଗୁଥିବା ଦୋଷୀ ୧୫ ବର୍ଷ ଜେଲରେ ରହିବା ପରେ କେଉଁ ଆଧାରରେ ମୁକ୍ତ କରାଗଲା ? ମାମଲାରେ ପୁନଃବିଚାର କରିବା ସହ ଦୋଷୀଙ୍କୁ ପୁଣି ଜେଲ ପଠାଇବା ପାଇଁ ଆବେଦନ କରିଛନ୍ତି ବିଲକିସ ।

୨୦୦୨ରେ ଗୋଧ୍ରା ଟ୍ରେନ୍‌ ପୋଡି ଘଟଣା ପରେ ପୂରା ଗୁଜରାଟ ଅଶାନ୍ତ ଥିବା ବେଳେ ବିଲକିସଙ୍କ ଉପରେ ହୋଇଥଲା ଅକଥନୀୟ ନିର୍ଯାତନା । ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରିବା ସହ ବିଲକିସଙ୍କୁ ଗଣଦୁଷ୍କର୍ମ କରିଥିଲେ ଏହି ୧୧ ଅଭିଯୁକ୍ତ । ଏହି ସମୟରେ ପାଞ୍ଚ ମାସର ଗର୍ଭବତୀ ଥିଲେ ବିଲକିସ୍ । ମୃତକଙ୍କ ମଧ୍ୟରେ ବିଲକିସଙ୍କର ତିନି ବର୍ଷର ଝିଅ ମଧ୍ୟ ଥିଲା । ଏଭଳି ଜଘନ୍ୟ ଏବଂ ସବୁଠୁ ବଡ଼ ଅପରାଧ ପାଇଁ ୧୧ଜଣ ଦୋଷୀ ସାବ୍ୟସ୍ଥ ହେବା ସହ ସେମାନଙ୍କୁ ଆଜୀବନ କାରାଦଣ୍ଡ ଭୋଗୁଥିଲେ ।

ବିଲକିସ ବାନୋ ମାମଲାରେ ୧୧ ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିକୁ ନେଇ ଗୁଜରାଟ ସରକାର ସୁପ୍ରିମକୋର୍ଟରେ ଜବାବ ରଖିଥିଲେ । ସରକାର ସତ୍ୟପାଠରେ କହିଥିଲେ ଯେ ଦୋଷୀମାନେ ୧୫ ବର୍ଷର ଦଣ୍ଡ ଭୋଗି ସାରିଛନ୍ତି । ସେମାନଙ୍କ ଉତ୍ତମ ବ୍ୟବହାରକୁ ଦେଖି ମୁକ୍ତି କରିବାକୁ ନିଷ୍ପତ୍ତି ନିଆଯାଇଛି । ସତ୍ୟପାଠରେ ଏହା ମଧ୍ୟ କୁହାଯାଇଥିଲା ଯେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ନିଷ୍ପତ୍ତିକୁ ଅନୁମତି ଦେଇଥିଲେ । ଏହାପରେ ଅଗଷ୍ଟ ୧୫ରେ ୧୧ ଦୋଷୀଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ଏଥିସହ ବିଜେପିର କିଛି ନେତା ସେମାନଙ୍କୁ ଜେଲ ବାହାରେ ଫୁଲ ମାଳ ପିନ୍ଧାଇ ସ୍ବାଗତ କରିଥିଲେ ।

ଏହାର କିଛି ଦିନ ପରେ ବିଲକିସ ବାନୋ ଗୁଜରାଟ ସରକାରଙ୍କ ନିକଟରେ ଦାବି କରିଥିଲେ ଯେ ଦୋଷୀଙ୍କୁ ପୁଣି ଥରେ ଜେଲ ପଠାଯାଉ । ସମାଜରେ ବିନା କୌଣସି ଭୟରେ ତାଙ୍କୁ ଶାନ୍ତିରେ ରହିବାର ଅଧିକାର ଦିଆଯାଉ ବୋଲି କହିଥିଲେ । ଦୋଷୀଙ୍କୁ ମୁକ୍ତି ମିଳିଲେ ମୋ ଜୀବନ ପ୍ରତି ଭୟ ଅଛି ବୋଲି କହିଥିଲେ ବିଲକିସ ବାନୋ ।

ପ୍ରତ୍ୟାହାର ହେଲା ଶିକ୍ଷକ ଆନ୍ଦୋଳନ, ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର: ଶିକ୍ଷକ ସଂଘର ଆନ୍ଦୋଳନ ପ୍ରତ୍ୟାହାର । ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ଶିକ୍ଷକ ସଂଘ । ଷ୍ଟିୟରିଂ କମିଟିରେ ନିଷ୍ପତ୍ତି ପରେ ଆନ୍ଦୋଳନ ପ୍ରତ୍ୟାହାର ନେଇ ଘୋଷଣା କଲା ଶିକ୍ଷକ ସଂଘ । ଆଜି ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା । ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଗଲା । ୧୬ରୁ ୨୦ ତାରିଖ ଭିତରରେ ସଂଘର ଦାବି ନେଇ ସରକାରଙ୍କ ପାଖରେ ଏହି କମିଟି ଉପସ୍ଥାପନ କରିବ । ଏହାପରେ ସରକାର ନିଷ୍ପତ୍ତି ନେବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିବା ସଂଘ କହିଛି ।

୨ ତାରିଖରେ ବର୍ଷାଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଦମପୁର ଉପନିର୍ବାଚନ ପ୍ରଚାରକୁ ଯିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ଡିସେମ୍ବର ୨ରେ ପଦମପୁର ଯିବେ ନବୀନ ପଟ୍ଟନାୟକ । ପଦମପୁର ଗସ୍ତରେ ଯାଇ ୩ଟି ନିର୍ବାଚନୀ ସଭାରେ ଯୋଗ ଦେବେ ନବୀନ । ପାଇକମାଳ, ଝାରବନ୍ଧ, ପଦମପୁର ସାଧାରଣ ସଭାରେ କରିବେ ପ୍ରଚାର ।

ଡିସେମ୍ବର ୨ ତାରିଖ ସକାଳ ୧୦ଟାରୁ ନବୀନ ନିବାସରୁ ବାହାରିବେ ମୁଖ୍ୟମନ୍ତ୍ରୀ । ୧୦ଟା ୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିବେ । ୧୦ଟା ୧୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରି ୧୧ଟାରେ ପଦମପରୁ ସତୀଭଟ ଏୟାରଷ୍ଟ୍ରିପରେ ପହଞ୍ଚିବେ । ୧୧ଟା ୦୫ରେ ସତୀଭଟ ଏୟାରଷ୍ଟ୍ରିପରୁ ହେଲିକପ୍ଟର ଯୋଗେ ଝାରବନ୍ଧ ଶକ୍ତି ଛକ ହେଲିପ୍ୟାଡରେ ଅବତରଣ କରି ସଭାସ୍ଥଳରେ ପହଞ୍ଚିବେ । ୧୨ଟା ୧୦ରେ ଶକ୍ତି ଛକରୁ ବାହାରି ପାଇକମାଳ ଏମଇ ସ୍କୁଲ ଗ୍ରାଉଣ୍ଡରେ ପହଞ୍ଚି ପାଇକମାଳ ହାଇସ୍କୁଲ ଗ୍ରାଉଣ୍ଡରେ ସାଧାରଣ ସଭାରେ ପ୍ରଚାର କରିବେ ।

ଏହାପରେ ଅପରାହ୍ନ ଗୋଟାଏ ୧୫ରେ ପାଇକମାଳ ଏମଇ ସ୍କୁଲ ଗ୍ରାଉଣ୍ଡରୁ ବାହାରି ଗୋଟାଏ ୩୦ରେ ଆରଏଲ୍ କଲ୍ୟାଣ ମଣ୍ଡପ କ୍ୟାମ୍ପସ ହେଲିପ୍ୟାଡରେ ଅବତରଣ କରି କଲ୍ୟାଣ ମଣ୍ଡପକୁ ଯିବେ । ସେଠାରୁ ୩ଟା ୧୫ରେ ବାଇ ରୋଡ୍ ଯାଇ ୩ଟା ୩୦ରେ ପଦମପୁର ହାଇସ୍କୁଲ ଗ୍ରାଉଣ୍ଡରେ ପହଞ୍ଚି ସାଧାରଣ ସଭାକୁ ଉଦବୋଧନ ଦେବେ । ୪ଟା ୨୫ରେ ସତୀଭଟ ଏୟାରଷ୍ଟ୍ରିପରେ ପହଞ୍ଚି ସେଠାରୁ ଫେରି ୫ଟା ୨୦ରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବେ ।

ଗୁରୁବାର ‘ସକାଳ’ର ମିନି ମାରାଥନ

ଭୁବନେଶ୍ୱର: ଆସନ୍ତାକାଲି ଦୈନିକ ଖବରକାଗଜ ‘ସକାଳ’ର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ । ଏହି ଅବସରରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଏକ ମିନି ମାରାଥନର ଆୟୋଜନ କରାଯାଇଛି । ଏହି ମାରାଥନ ଭୁବନେଶ୍ୱର ସମେତ ରାଜ୍ୟର ୯ଟି ସ୍ଥାନରେ ଏକା ସମୟରେ ଅନୁଷ୍ଠିତ ହେବ । ରାଜଧାନୀ ଭୁବନେଶ୍ୱର ସହ କଟକ, ପୁରୀ, ବାଲେଶ୍ୱର, ରାଉରକେଲା, ଅନୁଗୁଳ, ଜୟପୁର, ସମ୍ବଲପୁର ଓ ବ୍ରହ୍ମପୁରରେ ଏଥିପାଇଁ ପ୍ରସ୍ତୁତି ଜୋର ଧରିଛି ।

ପାଠକଙ୍କ ପ୍ରିୟ ବହୁଳ ପ୍ରସାରିତ ‘ସକାଳ’ର ସ୍ୱନକ୍ଷତ୍ର ଅବସରରେ ଜନସଚେତନତା ସୃଷ୍ଟି ପାଇଁ ଏହି ମାରାଥନ ଦୌଡ଼ ଆୟୋଜନ କରାଯାଇଛି । ପାଦରେ ପାଦ ମିଶାଇ ଧାଇଁବ ସାରା ଓଡ଼ିଶା । ଆସନ୍ତାକାଲି ସକାଳ ୬.୩୦ରେ ମିନି ମାରାଥନ ଆରମ୍ଭ ହେବ । ସକାଳ ୫.୩୦ରେ ଏଥିପାଇଁ ଆରମ୍ଭ ହେବ ପଞ୍ଜିକରଣ । ପଞ୍ଜିକରଣ କରିବାକୁ ୯୦୪୦୦୧୧୧୨୪, ୯୪୩୭୬୪୭୯୫୯, ୭୦୦୮୪୮୯୨୮୯, ୮୨୪୯୫୨୬୮୦୩ ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

ପଦମପୁରବାସୀଙ୍କ ନିକଟରେ ଭୁଲ ତଥ୍ୟ ରଖୁଛି ବିଜେପି: ବିଜେଡି

ପଦମପୁର: ପଦମପୁରବାସୀଙ୍କ ନିକଟରେ ଭୁଲ ତଥ୍ୟ ରଖୁଛି ବିଜେପି । କିଛି କିହିବା ପୂର୍ବରୁ ତଥ୍ୟର ଅନୁସନ୍ଧାନ କରୁନାହାଁନ୍ତି । ଅପରାଧ ଓ ଋଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶ୍ନ ଉପରେ ଜବାବ ରଖିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ତଥ୍ୟକୁ ବିକୃତ କରି ଲୋକଙ୍କ ସାମ୍ନାରେ ରଖାଯାଉଛି । କେନ୍ଦ୍ରମନ୍ତ୍ରୀଙ୍କ କଥା ଶୁଣି ପଦମପୁରବାସୀ କହୁଛନ୍ତି `ଗୋଦରୀ ଲୋ ତୋ ଗୋଡ଼କୁ ଅନା’ । ଓଡ଼ିଶା ଋଣଭାରରେ ବୁଡ଼ିଗଲାଣି କହିଥିଲେ କେନ୍ଦ୍ରମନ୍ତ୍ରୀ । ସେମାନେ ଜାଣିନାହଁନ୍ତି କି ବିକାଶ କାର୍ଯ୍ୟ ପାଇଁ ରାଜ୍ୟ ଓ ଦେଶମାନେ ଋଣ ଆଣିଥାନ୍ତି । ଭାରତ ସରକାରଙ୍କ ଋଣ ପରିମାଣ କେତେ ଓ ମୁଣ୍ଡ ପିଛା କେତେ ପଡ଼ିଲା, ସେ ପ୍ରଶ୍ନର ଉତ୍ତର ଦେଇ ପାରିବେ କି ମନ୍ତ୍ରୀମାନେ । ଋଣ ପରିଚାଳାନାରେ ଓଡ଼ିଶାର ପ୍ରଦର୍ଶନ ସବୁଠାରୁ ଭଲ ବୋଲି ଆରବିଆଇ କହିଛି ।

ଓଡ଼ିଶାରେ ନାରୀ ନିର୍ଯାତନ କଥା କହିବା ପୂର୍ବରୁ ବିଜେପି ଶାସିତ ରାଜ୍ୟ କଥା ଚିନ୍ତା କରନ୍ତୁ ବୋଲି ପ୍ରସନ୍ନ ପରାମର୍ଶ ଦେଇଛନ୍ତି । ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ନାରୀ ନିର୍ଯାତନା ଅଧିକ ରହିଛି । ଓଡ଼ିଶା ସରକାର ମହିଳାଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ଅନେକ ପଦକ୍ଷେପ ନେଉଛନ୍ତି । କେବଳ ସେତିକି ନୁହେଁ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରସନ୍ନ । ଧାନ କିଣା ବାବଦକୁ ୯ ହଜାର କୋଟି ଟଙ୍କା କେନ୍ଦ୍ର ପାଖରେ ପଡ଼ିଛି । ସତ୍ୟକୁ ମିଥ୍ୟା ରୂପରେ ଦର୍ଶାଇ ଲୋକଙ୍କ ଆଗରେ ରଖାଯାଉଛି । ପଦମପୁରବାସୀଙ୍କୁ ଭକୁଆ ବନାଇବାକୁ ବିଜେପି ଯେଉଁ ଉଦ୍ୟମ କରୁଛି ତାହା ସଫଳ ହେବନି ବୋଲି ପ୍ରସନ୍ନ କହିଛନ୍ତି । ହୀରା ଉପରେ ଟିକସ ହ୍ରାସ ହେଲେ ମୁଡ଼ି ଓ ଚୂଡ଼ା ଉପରେ ଟିକସ ବୃଦ୍ଧି । ଗରିବର କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି କେନ୍ଦ୍ର ସରକାର । ସେହିପରି ବରଗଡ଼, ନୂଆପଡ଼ା ରେଳ ପ୍ରକଳ୍ପ ପାଇଁ ବଜେଟରେ କେତେ ଟଙ୍କା ମଞ୍ଜୁରୀ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ।

ଓଡ଼ିଶାକୁ ଶ୍ରେଷ୍ଠ ନିବେଶସ୍ଥଳୀ କରିବାକୁ ‘ଫିକି’ ସହଯୋଗ କରୁ: ନବୀନ

ଭୁବନେଶ୍ବର:  ‘ଫିକି’ ସହ ଓଡ଼ିଶା ସରକାରଙ୍କର ସଂପର୍କ ଉତ୍ତମ ରହି ଆସିଛି । ମେକ ଇନ୍ ଓଡ଼ିଶା କନକ୍ଳେଭକୁ ଅଧିକ ସଫଳ କରିବାରେ ‘ଫିକି’ର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ । ମିଶନଶକ୍ତି ମାଧ୍ୟମରେ ରାଜ୍ୟ ସରକାର ମହିଳାମାନଙ୍କ ସଶକ୍ତିକରଣ ପାଇଁ ଦାୟିତ୍ୱପୂର୍ଣ୍ଣ ଭାବେ କାମ କରୁଛନ୍ତି । ତୃଣମୂଳସ୍ତରରୁ ମହିଳା ଉଦ୍ୟୋଗୀ ସୃଷ୍ଟି ସହ ସେମାନଙ୍କୁ ତାଲିମ ଦେବାକୁ ‘ଫିକି’ ହାତ ବଢ଼ାଉ । ଓଡ଼ିଶାକୁ ଦେଶର ଶ୍ରେଷ୍ଠ ନିବେଶସ୍ଥଳୀ ଭାବେ ଗଢ଼ି ତୋଳିବାକୁ ‘ଫିକି’ ସବୁ ପ୍ରକାର ସହଯୋଗ କରୁ । ‘ଫିକି’ ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏମିତି ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

‘ଫିକି’ ପ୍ରତିନିଧିମାନଙ୍କୁ ଓଡ଼ିଶାକୁ ସ୍ୱାଗତ ଜଣାଇ ନବୀନ କହିଲେ, ଫିକି ସହ ମୋ ସରକାରର ବନ୍ଧନ ଅତି ସୁଦୃଢ଼ । ଓଡ଼ିଶାରେ ନିବେଶ ବୃଦ୍ଧି ସହ ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ’ଫିକି’ ମିଳିତ ଭାବେ କାମ କରୁଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଉଦ୍ୟୋଗ କରିବାକୁ ‘ଫିକି’ ସହଯୋଗ କରୁଛି । ପୂର୍ବ ଭାରତରେ ବ୍ୟବସାୟ, ବାଣିଜ୍ୟ ଓ ଶିଳ୍ପାୟନରେ ଓଡ଼ିଶା ସବୁଠୁ ଆଗରେ । ତେଣୁ ଓଡ଼ିଶାକୁ ପୁଞ୍ଜିପତିଙ୍କ ପ୍ରଥମ ପସନ୍ଦ ଭାବେ ଗଢ଼ି ତୋଳିବାକୁ ନବୀନ ‘ଫିକି’କୁ ଅନୁରୋଧ କରିଛନ୍ତି ।

 

ଗଁଦିଆର ମଗଜି ଲଡ଼ୁକୁ ମିଳିବ ଜିଆଇ ଟ୍ୟାଗ୍, ମଇଁଷି କ୍ଷୀରରୁ ପ୍ରସ୍ତୁତ ହୁଏ ମଗଜି ଲଡ଼ୁ

ଢେଙ୍କାନାଳ: ମଗଜି ଲଡ଼ୁକୁ ମିଳିବ ଜିଆଇ ଟ୍ୟାଗ୍ । ଜିଓଗ୍ରାଫିକାଲ ଇଣ୍ଡିକେସନର ଗ୍ରୀନ ସିଗନାଲ୍ । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ପ୍ରସିଦ୍ଧ ମଗଜି ଲଡ଼ୁକୁ ଜିଆଇ ଟ୍ୟାଗ ଦେବାକୁ ଶେଷ ହୋଇଛି ପ୍ରାଥମିକ ପରୀକ୍ଷଣ ଓ ନିରୂପଣ । ଆସନ୍ତା ୬ ତାରିଖରେ ପରାମର୍ଶଦାତା କମିଟି ବୈଠକ ବସିବ । ପରୀକ୍ଷଣକୁ ନେଇ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କୌଣସି ଆପତ୍ତି, ଅଭିଯୋଗ ନ ଆସିଲେ ଜିଆଇ ଟ୍ୟାଗ୍ ପ୍ରଦାନ କରାଯିବ । ଓୟୁଏଟି ପକ୍ଷରୁ ଆବଶ୍ୟକ ଦସ୍ତାବିଜ ସହ ୨୦୨୦ ଡିସେମ୍ବରରେ ଏହି ଲଡ଼ୁକୁ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରାଯାଇଥିଲା ।

୧୦୦ବର୍ଷ ତଳୁ ଗଁଦିଆ ଅଞ୍ଚଳରେ ମଗଜି ଲଡ଼ୁ ପ୍ରସ୍ତୁତ ହେବାର ପ୍ରମାଣ ରହିଛି । ମଇଁଷି କ୍ଷୀର ଛେନାରେ ଏହାକୁ ସ୍ୱତନ୍ତ୍ର ଭାବେ ଗଢ଼ାଯାଏ । ବିଶେଷକରି ଷଡ଼ଙ୍ଗି, ମନ୍ଦାର, ବିଧାରପୁର, ଦେଓଗାଁ ଆଦି ସ୍ଥାନରେ ଲଡ଼ୁ ପ୍ରସ୍ତୁତ ହୋଇଥାଏ । ଏହାର ଗଢ଼ଣ ଓ ସ୍ୱାଦ ବେଶ୍ ସ୍ୱତନ୍ତ୍ର । ଚାହିଦା ଦୃଷ୍ଟିରୁ ରାଜ୍ୟ ବାହାରକୁ ମଧ୍ୟ ଏହାର ଯୋଗାଣ ହେଉଛି । ଅନେକ ଦିନରୁ ମଗଜୀ ଲଡ଼ୁକୁ ଜିଆଇ ଟ୍ୟାଗ୍ ପାଇଁ ଦାବି କରାଯାଉଛି । ଏବେ ଅନୁମତି ଆଶା ଉଜ୍ୱଳ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ।

ବନ୍ଧୁକ ମରାମତି ବେଳେ ଫୁଟିଲା ବାରୁଦ, ବାରୁଦ ଫୁଟି ୩ ଆହତ

ନବରଙ୍ଗପୁର: ଦେଶୀ ବନ୍ଧୁକ ମରାମତି ବେଳେ ଫୁଟିଲା ବାରୁଦ । ବାରୁଦ ଫୁଟି ୩ ଜଣ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ହାଟପଦାରେ ଘଟିଛି ଅଘଟଣ । ଆହତଙ୍କୁ ମୈଦଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଅନୁସାରେ ପୂଜାରୀଗୁଡ଼ା ଗାଁର ବୁଦୁ ପୂଜାରୀଙ୍କ ବନ୍ଧୁକକୁ ପୂର୍ବରୁ ସିଜ୍ କରିଥିଲା ବନ ବିଭାଗ । କୋର୍ଟରୁ ରିଲିଜ ଅର୍ଡର ଆସିବା ପରେ ବନ୍ଧୁକକୁ ମରାମତି କରୁଥିଲେ ବୁଦୁ । ଏହି ସମୟରେ ବାରୁଦ ଫୁଟିବାରୁ ବନ୍ଧୁକ ମାଲିକଙ୍କ ସହିତ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବନ୍ଧୁକକୁ ଜବତ କରି ତଦନ୍ତ କରୁଛି ।

ନୂତନ ଓଡ଼ିଶାର ନିର୍ମାଣ, ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଶିଳ୍ପ ଜଗତରେ ସୃଷ୍ଟି ହେବ ନୂଆ ଅଧ୍ୟାୟ । ଭୁବନେଶ୍ୱରରେ ଲାଗିବ ଦେଶ ବିଦେଶର ପ୍ରମୁଖ ଶିଳ୍ପପତିଙ୍କ ଭିଡ଼ । ମେକ-ଇନ୍-ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେଉଛି ଏହି କନକ୍ଲେଭ୍ । ଉଦଘାଟନ ପରେ ପ୍ରଦର୍ଶନୀ ବୁଲି ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱତନ୍ତ୍ର ଗାଡ଼ିରେ ପ୍ରଦର୍ଶନୀ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ।

୫ ଦିନିଆ ମେଗା ବିଜନେସ୍ ସମିଟରେ ଯୋଗଦେବା ପାଇଁ ଏବେ ସୁଦ୍ଧା ୧୧ ହଜାରରୁ ଅଧିକ ପଂଜୀକରଣ ହୋଇଛି । ମୋଟ୍ ୩୮ଟି ଇଭେଣ୍ଟରେ ୧୨୪ ଜଣ ବକ୍ତା ଯୋଗଦେବେ । ପାରମ୍ପାରିକ ଶିଳ୍ପ ବ୍ୟତୀତ ନୂଆ ନୂଆ କ୍ଷେତ୍ରରେ ବଡ଼ ନିବେଶ ପାଇଁ ଏଥର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ମେଟାଲ, ମିନେରାଲ, ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ, ଫୁଡ୍ ପ୍ରସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ଆଇଟି କ୍ଷେତ୍ରକୁ ଫୋକସ୍ ଦିଆଯାଇଛି ।

୧୩୦ରୁ ଅଧିକ ବଡ଼ ଓ ମଧ୍ୟମ ଶିଳ୍ପ କନକ୍ଲେଭରେ ସାମିଲ ହେବାକୁ ସହମତି ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଆର୍ସେଲର ମିତ୍ତଲ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ, କୁମାର ମଙ୍ଗଲମ ବିର୍ଲା, ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରଓ୍ବାଲ, ସଜ୍ଜନ ଜିନ୍ଦଲ, ଟାଟା ଷ୍ଟିଲ MD ଟିଭି ନରେନ୍ଦ୍ରନ, JSPL ମୁଖ୍ୟ ନବୀନ ଜିନ୍ଦଲ ପ୍ରମୁଖ । କୋଭିଡ୍ ସମୟରେ ରାଜ୍ୟକୁ ୩ ଲକ୍ଷ କୋଟି ଟଙ୍କାର ନିବେଶ ଆସିଥିବାରୁ ଏଥର ରେକର୍ଡ ସଂଖ୍ୟକ ନିବେଶ ଆସିବ ବୋଲି ଆଶା ରଖିଛି ଶିଳ୍ପ ବିଭାଗ । ପୂର୍ବରୁ ଦେଶର ବିଭିନ୍ନ ସହରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଡ୍ ସୋ’ର ଆୟୋଜନ କରାଯାଇଥିଲା । ଏଥିରେ ବହୁ ବଡ଼ ବଡ଼ ଶିଳ୍ପପତି ସାମିଲ ହୋଇ ସେମାନଙ୍କର ସମର୍ଥନ ଦେଇଥିଲେ ।  ଚୀନ୍, ଅଷ୍ଟ୍ରେଲିଆ, ଜାପାନ, ନରଓ୍ବେ, ନେପାଳ, ବାଂଲାଦେଶ ଓ ଥାଇମାଣ୍ଡ ପ୍ରଭୃତି ଦେଶର ନିବେଶକ କନକ୍ଲେଭରେ ଯୋଗଦେବାକୁ ସହମତି ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦୁପତ୍ର ତୋଳାଳି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦୁପତ୍ର ତୋଳାଳି । ସହାୟତା ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ପଦମପୁର ବ୍ଲକ ଦହିତା ପଞ୍ଚାୟତରେ ଦୁଇ ହଜାରରୁ ଅଧିକ ମହିଳା ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦୁପତ୍ର ତୋଳାଳି ଏକତା ମଞ୍ଚ ପକ୍ଷରୁ ଆୟୋଜିତ ସଭାରେ ଦୁଇ ହଜାରରୁ ଅଧିକ ମହିଳା ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି  । କେନ୍ଦୁପତ୍ର ତୋଳାଳିଙ୍କୁ ସହାୟତା ରାଶି ଯୋଗାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୋଳାଳିଙ୍କୁ ୧ ହଜାର ଟଙ୍କା ଓ ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ ୧୫ ଶହ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସହାୟତା ପ୍ରଦାନ ପରେ ହିତାଧିକାରୀଙ୍କ ଖାତାକୁ ଯାଇଛି ୪୩ କୋଟି ଟଙ୍କା । ସହାୟତା ପ୍ରଦାନ କରିଥିବାରୁ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦୁପତ୍ର ତୋଳାଳି ।