ବିବିସି କାର୍ଯ୍ୟାଳୟରେ ରେଡ୍; କର୍ମଚାରୀଙ୍କ ଫୋନ୍ ସିଜ୍ କରି ଘରକୁ ପଠାଇଦେଲେ

ନୂଆଦିଲ୍ଲୀ : ଡକ୍ୟୁମେଣ୍ଟାରୀ ବିବାଦ ପରେ ବିବିସି ଅଫିସରେ ଆଇଟି ରେଡ୍ । ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ବିଦେଶୀ ଗଣମାଧ୍ୟମ ବିବିସି କାର୍ଯ୍ୟାଳୟରେ ରେଡ୍ କରିଛି ଆୟକର ବିଭାଗ । କର୍ମଚାରୀଙ୍କ ଫୋନ୍ ସିଜ୍ କରି ନିଆଯାଇଥିବା ବେଳେ ସେମାନଙ୍କୁ ଘରକୁ ଚାଲିଯିବାକୁ କୁହଯାଇଥିବା ଜଣାପଡ଼ିଛି । ଆୟକର ବିଭାଗର ଅଧିକାରୀମାନେ ବିବିସି କାର୍ଯ୍ୟାଳୟରେ ଚଢ଼ାଉ କରିଛନ୍ତି ।

କାର୍ଯ୍ୟାଳୟକୁ ସିଲ୍‌ କରି ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରୁଛନ୍ତି । ଗୋଧ୍ରା ଦଙ୍ଗାକୁ ନେଇ ଦୁଇଟି ପାର୍ଟରେ ଡକ୍ୟୁମେଣ୍ଟାରୀ ରିଲିଜ କରିଥିଲା ବିବିସି । ଯାହାକୁ ନେଇ ଦେଶସାରା ରାଜନୀତି ତାତି ଜୋର ଧରିଥିବା ବେଳେ ପ୍ରତିଶୋଧ ନେବାକୁ ବିବିସି ଅଫିସରେ ରେଡ୍ କରାଯାଉଛି ବୋଲି କଂଗ୍ରେସ କହିଛି । ଆଦାନୀ ପ୍ରସଙ୍ଗରେ ଯାଞ୍ଚ ପାଇଁ ଜେପିସି ଗଠନ କରିବାକୁ ବିରୋଧୀ ଦାବି କରୁଥିବା ବେଳେ ସରକାର ବିବିସି ପଛରେ ପଡ଼ିଛନ୍ତି । ବିନାଶ କାଳେ ବିପରୀତ ବୁଦ୍ଧି ଦେଖାଯାଉଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ।