spot_img
Home Blog Page 3568

ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ହେଲେ ଶିବ ସୁନ୍ଦର ଦାସ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ପୁଅ ଶିବ ସୁନ୍ଦର ଦାସଙ୍କୁ ଗୁରୁଦାୟିତ୍ୱ । ଏଥିର ଭାରତୀୟ କ୍ରିକେଟ ଟିମ୍ ବାଛିବେ ଶିବ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର ଶିବ ସୁନ୍ଦର ଦାସଙ୍କୁ ଭାରତୀୟ ବରିଷ୍ଠ ଚୟନକର୍ତ୍ତା ଟିମର ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ଇଷ୍ଟର୍ଣ୍ଣ ଜୋନରୁ ତାଙ୍କୁ ଚୟନକର୍ତ୍ତା ଭାବେ ନିଯୁକ୍ତ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଓଡ଼ିଆ ପୁଅ ଶିବ ସୁନ୍ଦର ଏହି ଦାୟିତ୍ୱ ପାଇବା ପରେ ସବୁଆଡ଼ୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ତେବେ ଶିବ ସୁନ୍ଦରଙ୍କ ପୂର୍ବରୁ ଚୟନତର୍ତ୍ତା କମିଟିରେ ଓଡ଼ିଆ କ୍ରିକେଟର ଦେବାଶିଷ ମହାନ୍ତି ସ୍ଥାନ ପାଇଥିଲେ । ଗତ ବର୍ଷ ନଭେମ୍ବରରେ କମିଟି ଭଙ୍ଗ ସହ ସେ ଚନକର୍ତ୍ତା କମିଟିରୁ ବହିସ୍କୃତ ହୋଇଥିଲେ । ସୂଚନାଥାଉକି ଆଜି ବିସିସିଆଇ ପକ୍ଷରୁ ଚୟନକର୍ତ୍ତା କମିଟିର ଘୋଷଣା କରାଯାଇଛି । ମୁଖ୍ୟ ଚୟନକର୍ତ୍ତା ଭାବେ ପୁଣିଥରେ ଚେତନ ଶର୍ମାଙ୍କୁ ନିଯୁକ୍ତି ମିଳିଛି । ସେହିପରି ସେଣ୍ଟ୍ରାଲ ଜୋନରୁ ପଶ୍ଚିମବଙ୍ଗର ସୁବ୍ରତ ବନାର୍ଜୀ, ୱେଷ୍ଟର୍ଣ୍ଣ ଜୋନରୁ ମହାରାଷ୍ଟ୍ରର ସଲିଲ ଅଙ୍କୋଲା ଏବଂ ସଦର୍ଣ୍ଣ ଜୋନରୁ ତାମିଲନାଡୁର ଶ୍ରୀଧରନ ଶରଥଙ୍କୁ ଚୟନକର୍ତ୍ତା ଭାବେ ନିଯୁକ୍ତି ଦିଆଯଆଇଛି ।

ଶିବ ସୁନ୍ଦର ଦାସଙ୍କ କ୍ୟାରିଅର୍ କଥା ଦେଖିବାକୁ ଗଲେ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦ ହଜାରରୁ ଅଧିକ ରନ୍ କରିଛନ୍ତି । ରାଇଟ୍ ଆର୍ମ ବ୍ୟାଟର ଶିବସୁନ୍ଦର ୧୮୦ଟି ମ୍ୟାଚରେ ୩୯ ହାରର ୧୦,୯୦୮ ରନ୍ କରିଛନ୍ତି । ଏଥିରେ ୨୪ ଶତକ ଓ ୫୨ ଅର୍ଦ୍ଧଶତକ ସାମିଲ ରହିଛି । ଅପରାଜିତ ୩୦୦ ରନ୍ ତାଙ୍କର ସର୍ବୋଚ୍ଚ ସ୍କୋର । ଶିବ ସୁନ୍ଦର ଦାସ ଭାରତ ପକ୍ଷରୁ ୨୩ ଟି ଟେଷ୍ଟ ମ୍ୟାଚ୍ ଖେଳି ୩୫ ହାରରେ ୧୩୧୬ ରନ୍ କରିଛନ୍ତି । ଏଥିରେ ଦୁଇ ଶତକ ଓ ୯ ଅର୍ଦ୍ଧଶତକ ସାମିଲ ରହିଛି  । ସେ ଭାରତ ପକ୍ଷରୁ ୪ ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାରେ ଓଡ଼ିଶାର ତୃତୀୟ ଖେଳାଳି । ସେ ଶେଷଥର ପାଇଁ ୨୦୦୨ ମସିହା ମେ ୨୨ ତାରିଖରେ ଭାରତ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥଇଲେ । ସେହିପରି ୨୦୨୨ ଡିସେମ୍ବର ୨୬ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ ।

ବିସିସିଆଇ ପୁରୁଷ ଚୟନକର୍ତ୍ତା କମିଟିର ଅଧ୍ୟକ୍ଷ ଭାବେ ପୁଣିଥରେ ଚେତନ ଶର୍ମା ନିଯୁକ୍ତ

ମୁମ୍ବାଇ:  ଭାରତୀୟ କ୍ରିକେଟ ଟିମ୍ ଚୟନକର୍ତ୍ତାଙ୍କ ନାମ ଘୋଷଣା । ପୁଣିଥରେ ବିସିସିଆଇ ପୁରୁଷ ଚୟନକର୍ତ୍ତା କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହେଲେ ଚେତନ ଶର୍ମା । ଚେତନଙ୍କ ସହ ଅନ୍ୟ ଚାରି ଜଣଙ୍କୁ ମଧ୍ୟ କମିଟିରେ ନିଯୁକ୍ତ ଦିଆଯାଇଛି । ସେହିପରି ପୂର୍ବତନ କ୍ରିକେଟର ଶିବସୁନ୍ଦର ଦାସଙ୍କୁ ଚୟନକର୍ତ୍ତା ଭାବେ ନିଯୁକ୍ତ କରିଛି ବିସିସିଆଇ । ଇଷ୍ଟଜୋନରୁ ଓଡ଼ିଶାର ଶିବସୁନ୍ଦର ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଛନ୍ତି । ୨୩ଟି ଟେଷ୍ଟ ୪ଟି ଦିନିକିଆ ଖେଳିଛନ୍ତି ଶିବସୁନ୍ଦର । ସେଣ୍ଟ୍ରାଲ ଜୋନରୁ ପଶ୍ଚିମବଙ୍ଗର ସୁବ୍ରତ ବନାର୍ଜୀ, ୱେଷ୍ଟର୍ଣ୍ଣ ଜୋନରୁ ମହାରାଷ୍ଟ୍ରର ସଲିଲ ଅଙ୍କୋଲା ଏବଂ ସଦର୍ଣ୍ଣ ଜୋନରୁ ତାମିଲନାଡୁର ଶ୍ରୀଧରନ ଶରଥଙ୍କୁ ଚୟନକର୍ତ୍ତା ଭାବେ ନିଯୁକ୍ତି ଦିଆଯଆଇଛି ।

ଏହି କମିଟିର ନେତୃତ୍ୱ ନେବେ ଚେତନ ଶର୍ମା । ଏନେଇ ବିସିସିଆଇ ସଚିବ ଜୟ ଶାହ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । ଗତ ୧୮ ଡିସେମ୍ବରରେ ଚୟନକର୍ତ୍ତା ଟିମ୍ ପାଇଁ ଆବେଦନ ଗ୍ରହଣ କରାଯାଇଥିଲା । ମୋଟ ୬୦୦ ଆବେଦନ ଗ୍ରହଣ କରିଥିଲା ବିସିସିଆଇ । ସେଥିମଧ୍ୟରୁ ଏହି ପାଞ୍ଚଜଣଙ୍କୁ ଚୟନ କରାଯାଇ ନିଯୁକ୍ତି ଦିଆଯଆଇଛି । ଗତ ନଭେମ୍ବର ୧୮ ତାରିଖରେ ବିସିସିଆଇ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନକର୍ତ୍ତା କମିଟିକୁ ବରଖାସ୍ତ କରିଥିଲା ବିସିସିଆଇ ।

 ସେହି କମିଟିର ନେତୃତ୍ବ ଚେତନ ଶର୍ମା ନେଉଥିବା ବେଳେ କମିଟିରେ ସେଣ୍ଟ୍ରାଲ ଜୋନରୁ ହରବିନ୍ଦର ସିଂହ, ଦକ୍ଷିଣ ଜୋନରୁ ସୁନୀଲ ଯୋଶୀ ଓ ଇଷ୍ଟ ଜୋନରୁ ଓଡ଼ିଶାର ଦେବାଶିଷ ମହାନ୍ତି ରହିଥିଲେ । ଟି-୨୦ ବିଶ୍ୱକପରେ ପରାଜୟ ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) କାର୍ଯ୍ୟାନୁଷ୍ଠାନ ଆଧାରରେ ସେହି କମିଟିକୁ ବରଖାସ୍ତ କରିଥିଲା । ନୂତନ ଭାବେ ଗଠିତ ଏହି କମିଟିର କାର୍ଯ୍ୟକାଳ ପ୍ରାୟ ୪ ବର୍ଷ ରହିବ ।

ଅଳିଆ ଗଦାରେ ନିଆଁ, ବାପୁଜୀନଗର-କଳ୍ପନା ଫ୍ଲାଇଓଭର ତଳେ ଅଟକିଛି ଟ୍ରେନ୍

ଭୁବନେଶ୍ୱର: ଅଳିଆ ଗଦାରେ ନିଆଁ, ଅଟକିଲା ଯାତ୍ରୀବାହୀ ଟ୍ରେନ । ଟ୍ରେନ ଲାଇନ କଡ଼ରେ ଥିବା ଅଳିଆ ଗଦାରେ ଲାଗିଥିଲା ନିଆଁ । ପୁରୀ-ଜଳେଶ୍ୱର ମେମୁ ଟ୍ରେନ ଅଟକି ରହିଛି । ବାପୁଜୀନଗର-କଳ୍ପନା ଫ୍ଲାଇଓଭର ତଳେ ଅଟକି ରହିଛି ଟ୍ରେନ । ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ । କେବୁଲ ଛିଡି ନିଆଁ ଲାଗିଥିବା କହୁଛନ୍ତି ଟ୍ରେନଯାତ୍ରୀ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ମେମୁ ଟ୍ରେନଟି ଷ୍ଟେସନ ଯିବା ପୂର୍ବରୁ ନିଆଁ ଯୋଗୁଁ ଅଟକି ରହିଛି । ରେଲୱେ ବିଭାଗ ପକ୍ଷରୁ ସ୍ଥିତି ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପୁରୀରୁ ଜଳେଶ୍ବର ଯାଉଥିବାବେଳେ ଭୁବନେଶ୍ବର ଷ୍ଟେସନ ନିକଟରେ ପୁରୀ-ଜଳେଶ୍ବର ମେମୋ ଟ୍ରେନ ଉପରେ ଛିଡ଼ି ପଡ଼ିଥିଲା କେବୁଲ । ସେଥିରୁ ନିଆଁ ଛିଟକି ଯାଇ ବିଭିନ୍ନ ସ୍ଥାନରେ ପଡ଼ିଥିଲା । ଫଳରେ ବିଭିନ୍ନ ଯାଗାରେ ପଡ଼ିଥିବା ଅଳିଆରେ ହୁତୁହୁତୁ ହୋଇ ଜଳିଥିଲା । ଅଶୋକ ନଗର ଫାଳିକିଆ ବସ୍ତିର କିଛି ଘର ଓ ଅଳିଆ ଗଦାରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲା । ନିଆଁ ଲାଗିବା ଫଳରେ ଟ୍ରେନଟି ପ୍ୟାୟ ଦେଢ଼ ଘଣ୍ଟା ଅଟକି ରହିଥିଲା ।

୩ ଘଣ୍ଟା ପରେ ସରିଲା ପନ୍ତଙ୍କ ଅପରେସନ୍, ଜାଣନ୍ତୁ ଅପଡେଟ୍

ମୁମ୍ବାଇ: କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତ ମୁମ୍ୱାଇରେ ଚିକିତ୍ସାଧିନ ଅଛନ୍ତି । ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ପନ୍ତଙ୍କ ୩ ଘଣ୍ଟା ଧରି ଚାଲିଥିବା ଏକ ଅସ୍ତ୍ରୋପଚାର ସଫଳତାପୂର୍ବକ ଶେଷ ହୋଇଛି । ବର୍ତ୍ତମାନ ପନ୍ତ ସୁସ୍ଥ ଥିବା ସୂଚନା ମିଳିଛି ।
ଶୁକ୍ରବାର ପନ୍ତଙ୍କର ଲିଗାମେଣ୍ଟ ସର୍ଜରୀ ହୋଇଥିବା ବେଳେ ଡା. ଦିନେଶ ପାଦରୀୱାଲା ଏହି ସର୍ଜରୀ କରିଥିବା ଜଣାପଡ଼ିଛି। ଏଭଳି ଏକ ବଡ ଧରଣର ସର୍ଜରୀ ପରେ ୩ରୁ ୪ ଦିନ ପର୍ଯ୍ୟନ୍ତ ଏକ ବଡ଼ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସାରେ ରହିବେ । ପନ୍ତଙ୍କର ଏହି ଅସ୍ତ୍ରୋପଚାର ପାଖାପାଖି ୩ ଘଣ୍ଟା ଧରି ଚାଲିଥିଲା । ଏହାପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଥିବା ଡାକ୍ତର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଋଷଭ ପନ୍ତଙ୍କ ଦୁର୍ଘଟଣା ପରେ ମୁଣ୍ଡ, ପିଠି ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ପ୍ରଥମେ ଡେରାଡୁନର ମାକ୍ସ ହସ୍ପିଟାଲରେ ପନ୍ତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ବିସିସିଆଇ ପନ୍ତଙ୍କୁ ଏୟାରଲିପ୍ଟ କରି ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଆଘାତ ପାଇଁ ପନ୍ତଙ୍କୁ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଏବଂ ଦିନିକିଆ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ ଦଳରେ ସାମିଲ କରାଯାଇ ନଥିଲା । ବିସିସିଆଇ ତାଙ୍କୁ ବାଙ୍ଗାଲୋର ସ୍ଥିତ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ଯାଇ ସେଠାରେ ଚିକିତ୍ସା ସହିତ ପ୍ରଶିକ୍ଷଣ ପାଇଁ କହିଥିଲା । କିନ୍ତୁ ଏହା ପୂର୍ବରୁ ପନ୍ତ ଖ୍ରୀଷ୍ଟମାସ ପାଳିବା ପାଇଁ ଦୁବାଇ ଯାଇଥିଲେ । ସେଠାରେ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହ ଖ୍ରୀଷ୍ଟମାସ ପାଳନ କରିଥିଲେ । ସେଠାରୁ ପନ୍ତ ଭାରତ ଫେରି ଦିଲ୍ଲୀରୁ ତାଙ୍କ କାରରେ ନିଜ ଘର ରୁଡକୀ ଯିବା ସମୟରେ ଦୁର୍ଘଟଣା ଘଟିଥିଲା ।

କଂଗ୍ରେସର ହାତ୍ ସେ ହାତ୍ ଯୋଡ଼ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶା ଆସିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । କଂଗ୍ରେସର ହାତ୍‌ ସେ ହାତ୍‌ ଯୋଡ଼ କାର୍ଯ୍ୟକ୍ରମରେ ହେବେ ସାମିଲ ପ୍ରିୟଙ୍କା । ୨ ମାସ ଧରି କଂଗ୍ରେସର ହାତ୍‌ ସେ ହାତ୍‌ ଯୋଡ଼ କାର୍ଯ୍ୟକ୍ରମ ଚାଲିବ । ଆସନ୍ତା ୯ ତାରିଖରୁ ଦେବଗଡ଼ରୁ ରାଜ୍ୟ କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା ପୁଣି ଆରମ୍ଭ ହେବ । ୧୫ଶହ କିଲୋମିଟର ଅତିକ୍ରମ କରିବ ପଦଯାତ୍ରା । ତୃଣମୂଳ ସ୍ତରକୁ ଯିବ କଂଗ୍ରେସ ।

ଆଗାମୀ ନିର୍ବାଚନରେ ମିଶନ ୯୦କୁ ସଫଳ କରିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ଦଳ ଧୀରେ ଧୀରେ ଅସ୍ତିତ୍ୱ ହରାଉଥିବାରୁ ପୂରୁଣା ନେତାମାନେ ଚିନ୍ତିତ ହୋଇପଡ଼ିଛନ୍ତି । ପୁଣିଥରେ ଦଳୀୟ ସ୍ଥିତିକୁ ମଜବୁତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମକୁ ଆପଣାଇ ଲୋକଙ୍କ ବିଶ୍ୱାସ ଭାଜନ ହେବାକୁ ଚେଷ୍ଟା କରୁଛି କଂଗ୍ରେସ ଦଳ ।

ଶ୍ରୀକ୍ଷେତ୍ରରେ ମଥୁରା କଂସ ମହାରାଜ

ପୁରୀ: ଶ୍ରୀକ୍ଷେତ୍ରରେ କଂସ ମହାରାଜ । ପାପରୁ ମୁକ୍ତି ପାଇଁ ସେ ଶ୍ରୀକ୍ଷେତ୍ରରେ ପୁରୀ ଗୋବର୍ଦ୍ଧନ ପୀଠରେ ପହଞ୍ଚିବା ପରେ ଜଗତଗୁରୁଙ୍କ ଦର୍ଶନ କରିଛନ୍ତି । ଏହାପରେ ସମୁଦ୍ରରେ ସ୍ନାନ କରିଛନ୍ତି କଂସ ମହାରାଜ । ମହୋଦଧୀରେ ସ୍ନାନ ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ହୃଷୀକେଶ ଭୋଇ ।

ଆତ୍ୟାଚାରୀ କଂସ ଦାଉରୁ ମୁକ୍ତି ପାଇଛନ୍ତି ମଥୁରାବାସୀ । ୧୧ ଦିନ ପରେ କଂସବଧ ସହ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ ପଡିଛି ଯବନିକା । ବିଶ୍ବର ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିଲା ଧନୁଯାତ୍ରା ।

ଫ୍ଲାଇଟରେ ପରିସ୍ରା କରି ମହିଳାଙ୍କ ଉପରକୁ ଫିଙ୍ଗିଥିଲେ, ଆଜି ବନ୍ଧାହେଲେ..

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଫ୍ଲାଇଟରେ ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣା । ୪୧ ଦିନପରେ ବାଙ୍ଗାଳୁରୁରୁ ଗିରଫ ହେଲେ ଅଭିଯୁକ୍ତ ଶଙ୍କର ମିଶ୍ର । ପଚରା ଉଚରା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରିବ ଦିଲ୍ଲୀ ପୋଲିସ । ସେପଟେ ବିମାନର ୪ଜଣ କ୍ରିଉ ସଦସ୍ୟ ଓ ଜଣେ ପାଇଲଟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଏୟାରଇଣ୍ଡିଆ । ବିମାନରେ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଘଟଣା ଜାତୀୟସ୍ତରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଶଙ୍କରଙ୍କର ଏଭଳି ଅସଭ୍ୟ ବ୍ୟବହାରକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ ପୁଲିସ ତାଙ୍କୁ ଗିରଫ ପାଇଁ ଲୁକ ଆଉଟ୍‌ ସର୍କୁଲାର ଜାରି କରିଥିଲା। ଏଥିପାଇଁ ଦିଲ୍ଲୀ ପୁଲିସ ମୁମ୍ବାଇ, ବେଙ୍ଗାଲୁର ତଥା ଅନ୍ୟାନ୍ୟ ସ୍ଥାନରେ ସର୍ଚ୍ଚ ଅପରେଶନ ଜାରି ରଖିଥିଲା । ଗତ ନଭେମ୍ବର ୨୬ ତାରିଖ ଦିନ ଆମେରିକାରୁ ବିମାନରେ ଦିଲ୍ଲୀ ଆସିବା ବେଳେ ଶଙ୍କର ମିଶ୍ର ମଦ ନିଶାରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଶଙ୍କର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର ଏପରି କାଣ୍ଡ ଏବେ ହଇଚଇ ସୃଷ୍ଟି କରିଛି ।

ଘଟଣା ସାମ୍ନାକୁ ଆସିବା ପରେ ସେ ଲୋକ ଲଜ୍ଜାରେ ଆତ୍ମଗୋପନ କରିଥିଲେ । ପୁଲିସ୍ ମଧ୍ୟ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା । ଶଙ୍କରଙ୍କୁ ଏବେ ଚାକିରିରୁ ମଧ୍ୟ ବିଦା କରାଯାଇଥିଲା । ଶଙ୍କର ୱେଲ୍ସ ଫାରଗୋରେ କାମ କରୁଥିଲେ । ହେଲେ ବିମାନ ଯାତ୍ରା ବେଳେ ସେ ଜଣେ ମହିଳାଙ୍କ ଉପରେ ପରିସ୍ରା କରି ଦେବାରୁ ତାଙ୍କୁ କମ୍ପାନୀ ଚାକିରିରୁ ବରଖାସ୍ତ କରାଯାଇଥିଲା ।

ରାଜ୍ୟ ସରକାରଙ୍କ ଇ- ଅବକାରୀକୁ ମିଳିଲା ‘ଡିଜିଟାଲ୍‌ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର’

ନୂଆଦିଲ୍ଲୀ: ପୁଣି ଜାତୀୟସ୍ତରରେ ସମ୍ମାନିତ ହେଲା ଓଡ଼ିଶା । ରାଜ୍ୟ ସରକାରଙ୍କ ଇ- ଅବକାରୀକୁ ମିଳିଲା ‘ଡିଜିଟାଲ୍‌ ଇଣ୍ଡିଆ ସ୍ବର୍ଣ୍ଣ ପୁରସ୍କାର’ । ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏହି ପୁରସ୍କାର ପ୍ରଦାନ କରିଛନ୍ତି । ‘ ଡିଜିଟାଲ୍‌ ଇନିସିଏଟିଭ୍‌ ଫର୍‌ ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌’ ବର୍ଗରେ ଓଡ଼ିଶାକୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି । ସ୍ବଚ୍ଛତା ଓ ସମୟାନୁବର୍ତ୍ତିତା ସମେତ ନିରବଚ୍ଛିନ୍ନ ଅନ୍‌ଲାଇନ୍‌ ସେବା ଯୋଗାଇ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପାଇଛି ରାଜ୍ୟ ଅବକାରୀ ବିଭାଗଲ।

ରାଜ୍ୟ ସରକାରଙ୍କ ପକ୍ଷରୁ ଅବକାରୀ ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି, ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହ, ଅତିରିକ୍ତ ଅବକାରୀ ଆୟୁକ୍ତ ରାମଚନ୍ଦ୍ର ପାଲଟା, ଅବକାରୀ ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏବଂ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ନୀହାର ରଞ୍ଜନ ବିଶ୍ବାଳ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ଫାଇଭ T ନୀତି ଆଧାରରେ ଅବକାରୀ ବିଭାଗ ୨୦୧୯-୨୦ରୁ ରାଷ୍ଟ୍ରୀୟ ସୂଚନା ସହାୟତାରେ ୩୦ରୁ ଅଧିକ ଅନଲାଇନ୍ କାର୍ଯ୍ୟକ୍ରମ ଜରିଆରେ ସ୍ୱଚ୍ଛ, ଅବାଧ, ସ୍ବଳ୍ପ ସମୟ, ନିରବିଛିନ୍ନ ଏବଂ ସମୟାନୁବର୍ତ୍ତୀ ସେବା ଦେଉଛି ।

ଏହାଦ୍ବାରା ଅବକାରୀ ଅପରାଧର ସଠିକ୍ ନିରୀକ୍ଷଣ ଏବଂ ଏହାର କାର୍ଯ୍ୟକାରିତାକୁ ମଜବୁତ ହୋଇଛି । ଏଥିସହିତ ଅବୈଧ ତଥା ନକଲି ମଦ କାରବାର ରୋକିବା ଓ ବିଭିନ୍ନ ସ୍ତରରେ ସମୟାନୁବର୍ତ୍ତୀ ସେବା ପ୍ରଦାନ ସହଜ ହୋଇଛି । ଗତବର୍ଷ ଡିସେମ୍ବର ସୁଦ୍ଧା ୨୯ ହଜାର ୩୮ଟି ଅବକାରୀ ମାମଲା ରୁଜୁ କରାଯାଇଥିବା ବେଳେ ଚଳିତ ବର୍ଷ ୪୫ ହଜାର ୫୪୧ଟି ମକଦ୍ଦମା ରୁଜୁ କରାଯାଇଛି । ଅବକାରୀ ରାଜସ୍ବ ମଧ୍ୟ ୨୩ ପ୍ରତିଶତ ବୃଦ୍ଧି ପାଇଛି ।

ଜାହାଜରୁ ମିଳିଥିଲା ରଷୀୟ ଇଞ୍ଜିନିୟରଙ୍କ ମୃତଦେହ, ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: ଆସିଲା ଋଷ ନାଗରିକ ମିଲ୍ୟାକୋଭ ସର୍ଜେଇଙ୍କ ପୋଷ୍ଟମର୍ଟମ ରିପୋର୍ଟ । ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଜଣାପଡିଛି । ହୃଦଘାତ ଯୋଗୁଁ ଯନ୍ତ୍ରଣାରେ ତଳେ ପଡିଯିବାରୁ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିବା ରିପୋର୍ଟରେ ଜଣାପଡିଛି । ଏବେବି ବନ୍ଦର ଡାକ୍ତରଖାନାର ଫ୍ରିଜରରେ ରହିଛି ମୃତ ଚିଫ୍ ଇଞ୍ଜିନିୟର ମିଲ୍ୟାକୋଭ ସର୍ଜେଇଙ୍କ ମୃତଦେହ । ଗତ ୩ ତାରିଖରେ ଏମ.ଭି ଅଲଦାନା ଜାହାଜରେ ଋଷ ନାଗରିକ ମିଲ୍ୟାକୋଭଙ୍କ ମୃତ୍ୟୁ ହୋଇଥିଲା ।

ଓଡିଶାରେ ତିନି ଋଷ ନାଗରୀକଙ୍କ ମୃତ୍ୟୁ ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି ହୋଇଛି  । ଗୋଟେପଟେ ଋଷ-ୟୁକ୍ରେନ୍ ଯୁଦ୍ଧ ଚାଲିଥିବାବେଳେ ଅନ୍ୟପଟେ ଋଷୀୟ ନାଗରିକଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିବା ଆଶ୍ଚର୍ଯ୍ୟ କରିଛି  । ରାୟଗଡ଼ାର ଏକ ହୋଟଲରେ ଦୁଇ ଜଣଙ୍କ ମୃତଦେହ ମିଳିଥିବାବେଳେ ତାହାର କିଛିଦିନ ପରେ ଏକ ଜାହାଜରୁ ମିଳିଥିଲା ଅନ୍ୟ ଜଣେ ନାଗରୀକଙ୍କ ମୃତଦେହ  । ଯାହା ସନ୍ଦେହକୁ ଦୃଢିଭୁକ୍ତ କରୁଛି  ।

 

ଉତ୍ତରାଖଣ୍ଡର ଯୋଶୀମଠ ସହରରେ ଦବୁଛି ମାଟି, ମୁଖ୍ୟମନ୍ତ୍ରୀ ଧାମିଙ୍କ ଉଚ୍ଚସ୍ତରୀୟ ବୈଠକ

ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀମଠ ସହରରେ ଦବୁଛି ମାଟି । ପାଖାପାଖି ୬ଶହ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି । ଫଳରେ ଆତଙ୍କିତ ହୋଇପଡିଛନ୍ତି ସହରବାସୀ । କାହିଁକି ଦବୁଛି ମାଟି, ଘଟଣାସ୍ଥଳରେ ସ୍ଥିତି ପରଖୁଛନ୍ତି ଏନଡିଆରଏଫ୍ ଓ ବିଶେଷଜ୍ଞ ଟିମ୍ । ଅଞ୍ଚଳରୁ ୬୦୦ ପରିବାରକୁ ସ୍ଥାନାନ୍ତର ପାଇଁ ପ୍ରଶାସନକୁ ଉତ୍ତରାଖଣ୍ଡ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଜି ସ୍ଥିତି ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚାମୋଲି ଯିବେ । ଅନେକ ସ୍ଥାନରେ ଭୂମି ଦବି ପାଣି ବାହାରିବା ସହିତ କୋଠାରେ ଫାଟ ସୃଷ୍ଟି ହୋଇଛି ।

ଏଭଳି ପ୍ରାକୃତିକ ବିପର୍ଯ୍ୟୟ ପରେ ପର୍ଯ୍ୟଟନସ୍ଥଳୀ ଯୋଶୀମଠ ସହରର ଅସ୍ତିତ୍ୱ ନେଇ ସଙ୍କଟ ଦେଖାଦେଇଛି । ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ମାଟି ଦବିବା ଯୋଗୁ ସହରର ୫୭୬ଟି ଘରର ୩ ହଜାରରୁ ଅଧିକ ବାସିନ୍ଦା ପ୍ରଭାବିତ ହୋଇଛନ୍ତି । ମୁନିସିପାଲିଟି ସବୁଦିଗରୁ ସର୍ଭେ କରୁଛି । ଅନେକ ଲୋକ ଭୟରେ ଘରଦ୍ୱାର ଛାଡ଼ି ଚାଲିଗଲେଣି । ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇଟି ହୋଟେଲକୁ ବନ୍ଦ କରି ଦିଆଯିବ । ସ୍ଥିତିର ଗମ୍ଭୀରତାକୁ ଦେଖି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ।