ଆଜି ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ଅଗ୍ନି ପରୀକ୍ଷା

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଆଜି ଅପରାହ୍ନରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ତାଙ୍କ ସରକାର ଆଜି ଆସ୍ଥା ଭୋଟ ଲୋଡ଼ିବ । ପ୍ରତିନଧି ସଭାର ସଭାମୁଖ୍ୟ ଦେବରାଜ ଘିମିରେ ଏହି ସୂଚନା ଦେଇଛନ୍ତି । ନେପାଳ କମ୍ୟୁନିଷ୍ଟ ପାର୍ଟି (ଏମାଲେ) ଏବଂ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି (ରାପ୍ରପା) ସରକାରରୁ ନିଜର ସମର୍ଥନ ପ୍ରତ୍ୟାହାର କରିନେବା ପରେ ଦହଲଙ୍କୁ ବହୁମତ ପ୍ରମାଣିତ କରିବାକୁ ପଡ଼ୁଛି । ଦହଲଙ୍କ ନେତୃତ୍ୱାଧୀନ ସରକାରଙ୍କୁ ନେପାଳୀ କଂଗ୍ରେସ, ମାଓବାଦୀ କେନ୍ଦ୍ର, ଏକୀକୃତ ସମାଜବାଦୀ ସମେତ ୧୦ ରାଜନୈତିକ ଦଳର ସମର୍ଥନ ରହିଛି । ନେପାଳି କଂଗ୍ରେସ ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କୁ ଆସ୍ଥା ଭୋଟ ଦେବା ପାଇଁ ପ୍ରତିନିଧି ସଭାର ସଦସ୍ୟଙ୍କ ପାଇଁ ହ୍ୱିପ୍ ଜାରି କରିଛି ।

କଂଗ୍ରେସ ସଂସଦୀୟ ଦଳର ରବିବାର ହୋଇଥିବା ନିଷ୍ପତ୍ତି ମୁତାବିକ, ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ଦହଲଙ୍କ ପକ୍ଷରେ ଭୋଟ୍ ଦେବା ଏବଂ ସରକାରରେ ଭାଗ ନେବା ପାଇଁ ହ୍ୱିପ୍ ଜାରି ହୋଇଛି । କଂଗ୍ରେସର ମୁଖ୍ୟ ସଚେତକ ରମେଶ ଲେଖକ କହିଛନ୍ତି ନେପାଳର ସମ୍ବିଧାନ ଅନୁସାରେ, ନେପାଳି କଂଗ୍ରେସ ସରକାରଙ୍କ ସମର୍ଥନରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରେ ରହିବ । ସେହିପରି ଅନ୍ୟ ସହଯୋଗୀ ଦଳଗୁଡ଼ିକ ମଧ୍ୟ ସରକାରଙ୍କୁ ସମର୍ଥନ ଦେବା ନେଇ ନିଷ୍ପତ୍ତି ନେଇଛନ୍ତି । ତେବେ ଯଦି ପୁଷ୍ପ କମଲ ଦହଲ ସଂଖ୍ୟା ଗରିଷ୍ଠତା ପ୍ରମାଣିତ ନକରିପାରନ୍ତି ତେବେ ତାଙ୍କ ସରକାର ଭାଙ୍ଗିଯିବ । ଅନ୍ୟପକ୍ଷରେ ନେପାଳର ନବନିର୍ବାଚିତ ଉପରାଷ୍ଟ୍ରପତି ରାମ ସହାୟ ପ୍ରସାଦ ଯାଦବ ସୋମବାର ସକାଳ ୧୦ଟାରେ ଶପଥ ନେବେ ।