ୟୁକ୍ରେନର ମାରିୟୁପୋଲକୁ ପୁଟିନଙ୍କ ସରପ୍ରାଇଜ ଭିଜିଟ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସରପ୍ରାଇଜ ୟୁକ୍ରେନ ଭିଜିଟ । ୟୁକ୍ରେନର ମାରିୟୁପୋଲକୁ ପୁଟିନଙ୍କ ସରପ୍ରାଇଜ ଭିଜିଟ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । ଗତ ବର୍ଷେ ଧରି ଚାଲିଥିବା ଯୁଦ୍ଧରେ ବ୍ୟାପକ ଛାରଖାର ହୋଇଛି ମାରିୟୁପୋଲ । ଗତ ବର୍ଷ ମେ ମାସରୁ ଦୋନେସ୍କ ଅନ୍ତର୍ଗତ ମାରିୟୁପୋଲ ରହିଛି ଋଷ କବଜାରେ । ଏକ ସ୍ବତନ୍ତ୍ର ହେଲିକପ୍ଟରରେ ମାରିୟୁପୋଲକୁ ଅଚାନକ ଗସ୍ତ କରିଥିଲେ ପୁଟିନ । ସେଠାରେ ସେ ବିଭିନ୍ନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ନିଜେ ଡ୍ରାଇଭିଂ କରିଥିବା ସୂଚନା ମିଳିଛି ।

ୟୁକ୍ରେନ ହାତରୁ କ୍ରିମିଆକୁ ଛଡାଇନେବାର ନବମ ବାର୍ଷିକୀ ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଯୋଗଦେବାର ଦିନକ ପରେ ମାରିୟୁପୋଲକୁ ଗସ୍ତ କରିଥିଲେ ପୁଟିନ । ଆଇସିସି ପକ୍ଷରୁ ଗିରଫ ପରଓ୍ବାନା ଜାରି ହେବା ପରେ ପୁଟିନଙ୍କ ମାରିୟୁପୋଲ ଗସ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି । ଗତ ଫେବ୍ରୁଆରୀ ୨୦ ତାରିଖରେ ୟୁକ୍ରେନ ରାଜଧାନୀ କିବକୁ ଅଚାନକ ଗସ୍ତ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ପୋଲାଣ୍ଡକୁ ତିନିଦିନିଆ ଗସ୍ତରେ ଯିବା ଅବସରରେ କିବରେ ଅବତରଣ କରିଥିଲେ ବାଇଡେନ । ୟୁକ୍ରେନର ଗଣତନ୍ତ୍ର, ସାର୍ବଭୌମ ଓ ସୀମାଗତ ସଂହତି ପ୍ରସଙ୍ଗରେ ଆମେରିକା ସମ୍ପୂର୍ଣ୍ଣ ସମର୍ଥନ କରିବ ବୋଲି ସେ କହିଥିଲେ ।ୟୁକ୍ରେନବାସୀଙ୍କୁ ସୁରକ୍ଷା ଦେବାଲାଗି ସେ କେତେକ ଅତ୍ଯାଧୁନିକ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ଆଣ୍ଟିଅର୍ମର ସିଷ୍ଟମ, ଏୟାର ସର୍ଭେଲାନ୍ସ ରାଡାର ଯୋଗାଣ ନେଇ ଘୋଷଣା କରିଥିଲେ ।