ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୫ ଦିନ ଲାଗି ରହିବ ବର୍ଷା

1 min read

ଭୁବନେଶ୍ୱର: ଟ୍ରପଲାଇନ୍ ପ୍ରଭାବରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହା ଉତ୍ତର-ପୂର୍ବ ରାଜସ୍ଥାନ ଠାରୁ ଆରମ୍ଭ କରି ନାଗାଲାଣ୍ଡ, ଉତ୍ତର ପ୍ରଦେଶ ଏବଂ ବିହାର ପର୍ଯ୍ୟନ୍ତ ବାୟୁମଣ୍ଡଳ ୧.୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ପ୍ରଭାବରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘଡଘଡି ବିଜୁଳି ସହ ବର୍ଷା ପବନ ପାଇଁ ୧୪ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ବିଶେଷ କରି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡା, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ କଟକ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ଆଜି ରାଜଧାନୀ ଭୁବନେଶ୍ବରରେ କୁଆପଥର ବୃଷ୍ଟି ହୋଇଛି । ସହରର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ କୁଆପଥର ବର୍ଷା ହୋଇଛି ।

ଆସନ୍ତା କାଲି ପଶ୍ଚିମା ଝଡର ପ୍ରଭାବ କମିଲେ ମଧ୍ୟ ଟ୍ରପଲାଇନ୍ ପ୍ରଭାବରେ ବର୍ଷା ଜାରି ରହିବ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି । ବର୍ଷା ହେଲେ ମଧ୍ୟ ୨୨ ତାରିଖରୁ ଧିରେ ଧିରେ ତାପମାତ୍ରା ବୃଦ୍ଧି ହେବ । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ର ବଢିବ । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡର ମନ୍ଦିରା ଡ୍ୟାମରେ ସର୍ବାଧିକ ୧୨୯ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ମୟୂରଭଞ୍ଜର କପ୍ତିପଦାରେ ୫୮ ମିଲିମିଟର, ବାଲିମୁଣ୍ଡଳୀରେ ୪୧.୮ ମିମି, ବୌଦ୍ଧରେ ୪୦.୪ ମିମି, ଗଞ୍ଜାମର ସୋରଡାରେ ୪୦.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି ।