ଆଜି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ବିକାଶକୁ ମିଳିବ ବୁଷ୍ଟର ଡୋଜ୍

ଗଞ୍ଜାମ : ଗଞ୍ଜାମ ପାଇଁ ନୂଆ ସମ୍ଭାବନା । ଆଜି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରରୁ ୧୦ଟା ୫ମିନିଟରେ ଗଞ୍ଜାମ ଅଭିମୁଖେ ଯାତ୍ରା କରିବେ । କବିସୂର୍ଯ୍ୟନଗର, ହିଞ୍ଜିଳି ଓ ଛତ୍ରପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଦିନ ୧୧ଟାରେ କବିସୂର୍ଯ୍ୟନଗର ତହସିଲ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା ପରେ ବଡ଼ ଆଗୁଳ ନିକଟରେ ଏକ ସଭାରେ ଯୋଗଦେବେ । ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଏସଏଚଜିଙ୍କୁ ବିନା ସୁଧରେ ଋଣ ବଣ୍ଟନ କରିବେ । ପରେ ହିଞ୍ଜିଳିର କଞ୍ଚୁଡୁରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏସଏଚଜିଙ୍କୁ ଋଣ ସହିତ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କରିବେ ନବୀନ । ଶେଷରେ ଛତ୍ରପୁରରେ ଏକ ସଭାରେ ଯୋଗଦେଇ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେପଟେ ଗଞ୍ଜାମ ଗସ୍ତ ପୂର୍ବରୁ ଟୁଇଟରରେ ଜିଲ୍ଲାର ବିକାଶର ଏକ ଝଲକକୁ ଅପଲୋଡ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିକ୍ଷାରୁ ସ୍ବାସ୍ଥ୍ୟ, କ୍ରୀଡାରୁ ପର୍ଯ୍ୟଟନ । ସବୁକ୍ଷେତ୍ରରେ ବିକାଶର ଶିଖର ଛୁଇଛି ଗଞ୍ଜାମ । ମୁଖ୍ୟମନ୍ତ୍ରୀ କହିଛନ୍ତି ଗଞ୍ଜାମ ଗସ୍ତ ସବୁବେଳେ ମୋ ପାଇଁ ଖୁସିର ବିଷୟ ।