ପୁରୀ ସାହିଯାତରେ ବୁଲିଲା ବନ୍ଧୁକ, ଯୁବକଙ୍କୁ କାବୁ କରି ପୋଲିସରେ ଜିମା ଦେଲେ ସ୍ଥାନୀୟ ଲୋକ

ପୁରୀ: ପୁରୀ ସାହିଯାତରେ ବୁଲିଲା ବନ୍ଧୁକ । ଯୁବକଙ୍କୁ କାବୁ କରି ପୋଲିସରେ ଜିମା ଦେଲେ ସ୍ଥାନୀୟ ଲୋକ । ପୁରୀ ହରଚଣ୍ଡୀ ସାହି ହନୁମାନ ଗଡ଼ଠାରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ଅଭିଯୁକ୍ତର ପରିଚୟ ମିଳିନଥିବା ବେଳେ ତଦନ୍ତ କରୁଛି ପୋଲିସ । ଗତକାଲି ସାହିଯାତ ରାମଲୀଳା ଅବସରରେ ରାବଣ ବଦ୍ଧନୀତି ଚାଲିଥିଲା । ହନୁମାନ ଗଡ଼ଠାରେ ମେଢ଼ ନୃତ୍ୟ ଚାଲିଥିବା ବେଳେ ଜଣେ ଯୁବକ ସେହି ରାସ୍ତାରେ ଯିବା ପାଇଁ ଉଦ୍ୟମ କରିଥିଲେ ।

ସାହିଯାତ ପାଇଁ ପ୍ରବଳ ଭିଡ଼ ଥିବାରୁ ବାଲି ସାହିର କିଛି ଯୁବକ ତାଙ୍କୁ ଅଟକାଇବା ସହ ଅଲଗା ରାସ୍ତା ଦେଇ ଯିବା ପାଇଁ କହିଥିଲେ । ହେଲେ କିଛି ବୁଝିବା ପୂର୍ବରୁ ସମ୍ପୃକ୍ତ ଯୁବକ ଜଣକ ନିଜ ଅଣ୍ଟାରୁ ବନ୍ଧୁକ ବାହାର କରି ଅଟକାଇ ଥିବା ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରେ ସାହିର ଯୁବକମାନେ ମିଶି ସମ୍ପୃକ୍ତ ଯୁବକକୁ କାବୁ କରିବା ସହ ପୋଲିସରେ ଜିମା ଦେଇଥିଲେ । ଟାଉନ ଥାନା ପୋଲିସ ସମ୍ପୃକ୍ତ ଯୁବକକୁ ଅଟକ ରଖି ତଦନ୍ତ ଜାରି ରଖିଛି ।