କର୍ଣ୍ଣାଟକରେ ମିଲ୍କ ଓ୍ବାର, ଗୁଜରାଟର ଦୁଗ୍ଧ କମ୍ପାନି ଅମୁଲର ପ୍ରବେଶ ଘୋଷଣା ପରେ ବଢ଼ିଲା ବିବାଦ

1 min read

ବେଙ୍ଗାଲୁରୁ: କର୍ଣ୍ଣାଟକରେ ନିର୍ବାଚନ ଲାଗି ଚାଲିଛି ଜୋରଦାର ଲଢେଇ । ସେପଟେ ରାଜ୍ୟରେ ମୁଣ୍ଡ ଟେକିଛି ନୂଆ ବିବାଦ । କର୍ଣ୍ଣାଟକରେ ଅମୁଲର ଏଣ୍ଟ୍ରିକୁ ନେଇ ଆରମ୍ଭ ହୋଇଛି ବିବାଦ । ରାଜ୍ୟରେ ହୋଇଯାଇଛି ସେଭ ନନ୍ଦିନୀ, ଗୋବ୍ୟାକ ଅମୁଲ କ୍ୟାମ୍ପେନ । ଅମୁଲ କ୍ଷୀର କମ୍ପାନି ଗୁଜରାଟର ହୋଇଥିବା ବେଳେ ନନ୍ଦିନୀ କ୍ଷୀର ହେଉଛି କର୍ଣ୍ଣାଟକର । ଅମୁଲ କମ୍ପାନୀ ରାଜ୍ୟରେ ପ୍ରବେଶ କରିବା ଦ୍ବାରା କର୍ଣ୍ଣାଟକର ଦୁଗ୍ଧ ଚାଷୀ କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କା କରିଛନ୍ତି । ସେପଟେ ରାଜ୍ୟର ଦୁଗ୍ଧ କମ୍ପାନି ନନ୍ଦିନୀକୁ ସମର୍ଥନ କରିଛି ବୃହତ ବେଙ୍ଗାଲୁରୁ ହୋଟେଲ୍ସ ଆସୋସିଏସନ । ତେଣେ ଅମୁଲର ପ୍ରବେଶକୁ ନେଇ ବିଜେପି ଓ ଜେଡିଏସ ମଧ୍ୟରେ ଆରମ୍ଭ ହୋଇଛି କଥା କଟାକଟି । ଅମୁଲର ପ୍ରବେଶ କାରଣରୁ ରାଜ୍ୟର ଦୁଗ୍ଧ ଚାଷୀଙ୍କ ସ୍ବାର୍ଥ ଉପରେ ଆଞ୍ଚ ଆସିଛି ବୋଲି ଅଭିଯୋଗ କରିଛି ଜେଡିଏସ । ଓ୍ବାନ ନେସନ, ଓ୍ବାନ ଅମୁଲ, ଓ୍ବାନ ମିଲ୍କ, ଓ୍ବାନ ଗୁଜରାଟ କେନ୍ଦ୍ର ସରକାରଙ୍କ ସରକାରୀ ନୀତି ହେବାରେ ଲାଗିଛି ବୋଲି କହିଛନ୍ତି ଜେଡିଏସ ନେତା କୁମାରସ୍ବାମୀ ।

ତିନି ଦିନ ତଳେ ଗୁଜରାଟର ସମବାୟ ସମିତି ଅମୁଲ ବେଙ୍ଗାଲୁରୁରେ ପ୍ରବେଶ କରିବ ବୋଲି ଟୁଇଟରେ ଅବଗତ କରାଇଥିଲା । କର୍ଣ୍ଣାଟକ ପିସିସି ସଭାପତି ଡି.କେ.ଶିବକୁମାର କହିଛନ୍ତି- ଆମ ଅଧିକାର, ଜମି, ମାଟି, ଜଳ ଓ ଦୁଗ୍ଧ ସୁରକ୍ଷିତ ରହୁ । ଆମେ ଗୁଜରାଟ ମଡେଲ ଚାହୁଁନା । ଆମର ଏଠାରେ କର୍ଣ୍ଣାଟକ ମଡେଲ ରହିଛି । ରାଜ୍ୟର ନିଜସ୍ବ ଦୁଗ୍ଧ କମ୍ପାନି ନନ୍ଦିନୀକୁ ଶେଷ କରିଦେବାକୁ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ତେଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି- ସମସ୍ତ କନ୍ନଡ ଭାଷାଭାଷୀ ଲୋକ ଅମୁଲଜାତ ସାମଗ୍ରୀ ନକିଣିବା ଲାଗି ଶପଥ ନିଅନ୍ତୁ । ତେଣେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି-କିଛି ଦିନ ମଧ୍ୟରେ ଦେଶରେ ନମ୍ବର ଓ୍ବାନ ବ୍ରାଣ୍ଡ ହେବ ନନ୍ଦିନୀ । ଅନ୍ୟ ରାଜ୍ୟରେ ବି ନନ୍ଦିନୀ କମ୍ପାନୀ ଦ୍ବାରା ପ୍ରସ୍ତୁତ କ୍ଷୀର ବିକ୍ରି କରାଯାଉଛି । ଅମୁଲ ପ୍ରତି ଭୟ କରିବାର କାରଣ ନାହିଁ ।