EMIରେ ମିଳୁଛି ଆମ୍ବ, କିସ୍ତିରେ ଟଙ୍କା ଦେଇ ପ୍ରିମିୟମ ଆମ୍ବ ଖାଉଛନ୍ତି ମାୟାନଗରୀ ବାସିନ୍ଦା

1 min read

ମୁମ୍ବାଇ: EMIରେ ମିଳୁଛି ଆମ୍ବ । କିସ୍ତିରେ ଟଙ୍କା ଦେଇ ପ୍ରିମିୟମ ଆମ୍ବ ଖାଉଛନ୍ତି ମାୟାନଗରୀ ବାସିନ୍ଦା । କଥାରେ ଅଛି ଫଳ ଭିତରେ ରାଜା ହେଉଛି ଆମ୍ବ । ହେଲେ କିସ୍ତିରେ ଟଙ୍କା ଦେଇ ଆମ୍ବ କିଣିବା ଗୋଟେ ଅଜବ କଥା । ପ୍ରିମିୟମ ଆମ୍ବର ଦାମ୍ ଅଧିକ ରହିଥିବାରୁ ଦୋକାନୀ ଏହାକୁ EMIରେ ବିକ୍ରି କରୁଥିବା ଦେଖାଯାଇଛି । ମାୟାନଗରୀ ମୁମ୍ବାଇରେ ଏହି ଘଟଣା ସାମ୍ନାକୁ ଆସିଛି । ଔଷଧୀୟ ଗୁଣ, ନିଆରା ସ୍ବାଦ ପାଇଁ ବିଶ୍ବରେ ପ୍ରସିଦ୍ଧ ଅଲଫାନସୋ ଆମ୍ବ ବା ହାପୁସ ଆମ୍ବକୁ କିସ୍ତିରେ ଟଙ୍କା ଦେଇ କିଣୁଛନ୍ତି ଗ୍ରାହକ ।

କରୋନା ପରେ ବହୁମୂଲ୍ୟ ଏହି ଆମ୍ବ କିଣିବାକୁ ଗ୍ରାହକ ଇଚ୍ଛା କରୁନଥିବାରୁ ଏଥର ଦୋକାନୀମାନେ ଇଏମଆଇ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଡଜନ ଆମ୍ବର ମୂଲ୍ୟ ୬ ଶହରୁ ୧୩ ଶହ ମଧ୍ୟରେ ରହିଛି । ଉଭୟ କ୍ରେଡିଟ୍ ଓ ଡେବିଟ୍ କାର୍ଡରେ ଇଏମଆଇ ଯୋଗେ ଆମ୍ବ ବିକ୍ରି ପାଇଁ ମାର୍କେଟିଂ ଆରମ୍ଭ ହୋଇଛି । ଫଳରେ ଗ୍ରାହକ ମଧ୍ୟ କିସ୍ତିରେ ଆମ୍ବ କିଣିବାକୁ ପସନ୍ଦ କରୁଥିବା ଜଣେ ଦୋକାନୀ କହିଛନ୍ତି ।