spot_img
Home Blog Page 3471

ବିନାଶ ମୁହାଁ ବିଶ୍ବ ; ଡୁମ୍ସଡେ କ୍ଲକରୁ ୧୦ସେକେଣ୍ଡ କମ୍ କରିଛନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ: ବିନାଶ ମୁହାଁ ବିଶ୍ବ । ଆଉ ଅଳ୍ପ ଦୂରରେ ବିଧ୍ବଂସ । ଡୁମ୍ସଡେ କ୍ଲକରୁ ୧୦ସେକେଣ୍ଡ କମ୍ କରିଛନ୍ତି ବୈଜ୍ଞାନିକ । ତିନି ବର୍ଷ ଧରି ଡୁମ୍ସଡେ କ୍ଲକରେ ପୃଥିବୀ ଧ୍ବଂସ ହେବାକୁ ଆଉ ଶହେ ସେକେଣ୍ଡ ରହିଥିବା ବେଳେ ୨୦୨୩ରେ ଏଥିରୁ ୧୦ସେକେଣ୍ଡ କମାଇ ଦିଆଯାଇଛି । ଘଣ୍ଟାରେ ସମୟ ଯେତେ କମିବ ପରାମାଣୁ ଯୁଦ୍ଧ ଆଡକୁ ପୃଥିବୀ ସେତେ ଆଗକୁ ବଢ଼ିବ ବୋଲି ପରମାଣୁ ବୈଜ୍ଞାନିକ କହିଛନ୍ତି ।

ଆମେରିକାର ଓ୍ବାସିଂଟନ ଡିସିରେ ବାର୍ଷିକ ଡୁମ୍ସଡେ କ୍ଲକର ଘୋଷଣା କରି ପୃଥିବୀ ବିଧ୍ବଂଶ ଆଡକୁ ବଢୁଛି ବୋଲି ବୈଜ୍ଞାନିକ କହିଛନ୍ତି । ୧୯୪୭ରୁ ଚାଲୁଥିବା ଏହି ଘଣ୍ଟା ବିନାଶଠାରୁ ପୃଥିବୀ କେତେ ଦୂରରେ ଅଛି ତାହା ଜଣାଇଥାଏ । ବୁଲେଟିନ ଅଫ ଦି ଆଟୋମିକ ସାଇଣ୍ଟିଷ୍ଟରେ ଋଷ-ୟୁକ୍ରେନ ଯୁଦ୍ଧ, କୋଭିଡ ମହାମାରୀ, ଜଳବାୟୁ ପରିବର୍ତ୍ତନ ଆଦିକୁ ବଡ଼ ସଙ୍କଟ ବୋଲି କହିଛନ୍ତି ।

ଗତ ତିନି ବର୍ଷ ଧରି ଘଣ୍ଟାରେ ମଧ୍ୟରାତ୍ର ହେବାକୁ ଶହେ ସେକେଣ୍ଡ ଥିବା ବେଳେ ଏବର୍ଷ ସେଥିରୁ ୧୦ସେକେଣ୍ଡ କମ୍ କରିଛନ୍ତି ପରମାଣୁ ବିଜ୍ଞାନୀ । ବିଶ୍ବ ଏବେ ଅଦ୍ଭୁତପୂର୍ବ ସଙ୍କଟର ସାମ୍ନା କରୁଛି । ଡୁମ୍ସଡେ କ୍ଲକରେ ସମୟ ବଢ଼ାଇବା ପାଇଁ ଋଷ-ୟୁକ୍ରେନ ଯୁଦ୍ଧର ସମାଧାନ ଯଥାଶୀଘ୍ର ବାହାର କରିବାକୁ ପରାମର୍ଶ ଦେଇଛନ୍ତି ବୁଲେଟିନ ଅଫ ଆଟୋମିକ ସାଇଣ୍ଟିଷ୍ଟର ସିଇଓ ରଚେଲ ବ୍ରୋନସନ ।

ଭାରତୀୟ ସୈନ୍ୟ ଏଣିକି ଉଡ଼ିବେ ଶୂନ୍ୟରେ, ଆସିବ ଜେଟପ୍ୟାକ ସୁଟ୍

ନୂଆଦିଲ୍ଲୀ: ହାଇଟେକ ମୋଡରେ ଭାରତୀୟ ସେନା । ଭାରତୀୟ ସୈନ୍ୟ ଏଣିକି ଉଡିବେ ଶୂନ୍ୟରେ । ସେମାନଙ୍କ ଲାଗି ଆସିବ ଜେଟପ୍ୟାକ ସୁଟ୍ । ଏହି ସୁଟ୍ ବଳରେ ସେମାନେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଉଡିପାରିବେ । ଏନେଇ ପ୍ରାଥମିକ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ୪୮ଟି ଜେଟପ୍ୟାକ ସୁଟ, ୧୦୦ଟି ରୋବୋଟିକ ମ୍ୟୁଲ, ୧୩୦ଟି ନ୍ୟୁଜେନେରେସନ ଟିଥର୍ଡ ଡ୍ରୋନ ସିଷ୍ଟମ ହାସଲ ଲାଗି ନିଆଯାଇଛି ପଦକ୍ଷେପ ।

ଫାଷ୍ଟଟ୍ରାକ ପ୍ରସିଡ୍ୟୁର ପ୍ରକ୍ରିୟାରେ ଏହା ହାସଲ ହେବ । ମଡର୍ଣ୍ଣ ପ୍ରପଲସନ ସିଷ୍ଟମ ଅନୁସାରେ ଏହି ସୁଟଗୁ଼ଡ଼ିକ ପ୍ରସ୍ତୁତ ହେବ । ଏହି ସୁଟ୍ ଜରିଆରେ ସହଜରେ ଉଡାଣ ଓ ଲ୍ୟାଣ୍ଡିଂ ସମ୍ଭବ ହୋଇପାରିବ । ସେହିପରି ୧୦ ହଜାର ଫୁଟ ଉଚ୍ଚରେ ୪ ପାଦ ବିଶିଷ୍ଟ ରୋବୋଟିକ ମ୍ୟୁଲ କାର୍ଯ୍ୟକରିବ । ବିଭିନ୍ନ ପରିବସ୍ଥିତିରେ ସ୍ବୟଂକ୍ରିୟ ଭାବେ ଏହି ମ୍ୟୁଲ ଗତି କରିପାରିବ ।

ଏହାକୁ ବି ସହଜରେ ଉଦ୍ଧାର କରାଯାଇପାରିବ । ବିଭିନ୍ନ ପ୍ରତିବନ୍ଧକକୁ ଏଡ଼ାଇବା କ୍ଷମତା ଏହା ନିକଟରେ ରହିଛି । ଆର୍ମେନିଆ- ଆଜରବୈଜାନ, ଋଷ-.ୟୁକ୍ରେନ ଯୁଦ୍ଧରୁ ମିଳିଥିବା ଅନୁଭୂତି ଅନୁସାରେ ଏହି ସାମଗ୍ରୀ ହାସଲ କରାଯିବ । ଏହା ସହ କାମିକାଜେ ଡ୍ରୋନ, ଆର୍ମଡ ଡ୍ରୋନ ସ୍ବାର୍ମ, ଲଜିଷ୍ଟିକ୍ସ ଡ୍ରୋନ, ସର୍ଭେଲାନ୍ସ କ୍ରାଡକପ୍ଟର ଆଦି ମଧ୍ୟ ହାସଲ କରିବା ଲାଗି ଯୋଜନା କରାଯାଇଛି ।

ଇଷ୍ଟର୍ଣ୍ଣ ଲଦାଖର ୨୬ଟି ପେଟ୍ରୋଲିଂ ପଏଣ୍ଟରେ ନାହିଁ ଭାରତୀୟ ସେନାର ଅବସ୍ଥିତି

ନୂଆଦିଲ୍ଲୀ: ଇଷ୍ଟର୍ଣ୍ଣ ଲଦାଖରେ ଅସ୍ତିତ୍ବ ହରାଉଛି ଭାରତ । ୨୬ଟି ପାଟ୍ରୋଲିଂ ପଏଣ୍ଟରେ ନାହିଁ ସେନାର ଅବସ୍ଥିତି । ୬୫ ପ୍ଲାସପଏଣ୍ଟରୁ ୨୫ଟିରେ ଭାରତ ନିୟନ୍ତ୍ରଣ ହରାଇଛି ବୋଲି ଲଦାଖର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ଚୀନ ସହ ସୀମା ବିବାଦକୁ ନେଇ ତିକ୍ତତା ଲାଗି ରହିଥିବା ବେଳେ ସୀମା ସୁରକ୍ଷାକୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । କାରାକୋରମ ପାସଠାରୁ ଚୁମୁର ମଧ୍ୟରେ ୬୫ଟି ଫ୍ଲାସ ପଏଣ୍ଟ ରହିଛି ।

୩୫ଶହ କିମି ସୀମାଞ୍ଚଳରେ ଭାରତୀୟ ସିକ୍ୟୁରିଟି ଫୋର୍ସ ପକ୍ଷରୁ ପାଟ୍ରୋଲିଂ କରାଯାଇଥାଏ । ମାତ୍ର କିଛି ଦିନ ଧରି ପ୍ରହରା ଦିଆଯାଉ ନଥିବାରୁ ୨୫ଟି ଫ୍ଲାସପଏଣ୍ଟ ଉପରୁ ଭାରତ ନିୟନ୍ତ୍ରଣ ହରାଇଛି ବୋଲି ଲେହ ଲଦାଖ ଏସପି ପିଡି ନିତ୍ୟ କହିଛନ୍ତି । ଭାରତ ହାତରୁ ନିୟନ୍ତ୍ରଣ ଖସୁଥିବାରୁ ଚୀନ ସେନା ଏହାର ଲାଭ ଉଠାଇ ଇଞ୍ଚ ପରେ ଇଞ୍ଚ ଅକ୍ତିଆର କରୁଛି । ଗତ ସପ୍ତାହରେ ଦିଲ୍ଲୀରେ ଆନୁଷ୍ଠିତ ବାର୍ଷିକ ସମ୍ମିଳନୀରେ ଏ ନେଇ ରିପୋର୍ଟ ଦିଆଯାଇଛି । ସମ୍ମିଳନୀରେ NSA ଅଜିତ ଡୋଭାଲଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ ।

ରାଜ୍ୟବାସୀଙ୍କ ପସନ୍ଦ ସବୁଜ ରଙ୍ଗର ଜର୍ସି

ଭୁବନେଶ୍ୱର: ଏଣିକି ସବୁଜ ରଙ୍ଗର ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରିବେ ରାଜ୍ୟ ସରକାର । ଏହି ନୂଆ ଜର୍ସି ପିନ୍ଧି ସାମନାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରେ ଧଳା ରଙ୍ଗର ଟ୍ରାଉଜର ସାଙ୍ଗକୁ ସବୁଜ ଜର୍ସି ପିନ୍ଧିଛନ୍ତି ମୁଖ୍ୟମନ୍ତ୍ରୀ । ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରାଯିବ । ଜର୍ସି ପଛରେ ବନ୍ଦେ ଉତ୍କଳ ଜନନୀ ଲେଖାଯାଇଛି । ଓଡ଼ିଶା କ୍ରୀଡ଼ା ପାଇଁ ରାଜ୍ୟବାସୀ ଏହି ସବୁଜ ରଙ୍ଗର ଜର୍ସି ବାଛିଛନ୍ତି । ଓଡ଼ିଶାବାସୀଙ୍କ ଭୋଟିଂ ଆଧାରରେ ସୋସିଆଲ୍ ମିଡିଆରେ ରାଜ୍ୟ କ୍ରୀଡା ପାଇଁ ଜର୍ସି ବାଛିବାକୁ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ ଆହ୍ବାନ କରିଥିଲେ ।

ଏଥିରେ ବିଭିନ୍ନ ଅପସନ ଦିଆଯାଇଥିଲା । ଅପସନ୍ ବି କୁ ଲୋକଙ୍କ ସର୍ବାଧିକ ଭୋଟ୍ ମିଳିଥିବା ବେଳେ ଦ୍ବିତୀୟରେ ରହିଛି ଅପସନ୍ ସି । ସେହିପରି ରାଜ୍ୟ କ୍ରୀଡା ପାଇଁ ସୃଜନଶୀଳ ଟ୍ୟାଗ ଲାଇନ ବାଛିବାକୁ ଇନଷ୍ଟାଗ୍ରାମରେ ଆହ୍ବାନ କରିଥିଲେ ଫାଇଭ୍ ଟି ସଚିବ। ଏହାପରେ ସୋସିଆଲ୍ ମିଡିଆରେ ଜବରଦସ୍ତ ରେସପନସ ଦେଖିବାକୁ ମିଳିଥିଲା । ୧୦ହଜାରରୁ ଅଧିକ ଟ୍ୟାଗଲାଇନ୍ ଆସିଥିଲା । ଏହାମଧ୍ୟରୁ ୨୦ଜଣଙ୍କୁ ବଛାଯାଇଛି । ସମସ୍ତ ବିଜେତାଙ୍କୁ ଯୋଗାଯୋଗ କରି ସୋଭେନିୟର ଦିଆଯିବ ।

ସାଂସଦ ଅନୁଭବ ମହାନ୍ତିଙ୍କ ସମ୍ମାନହାନୀ ଅଭିଯୋଗ, ଓଟିଭିକୁ ଦିଲ୍ଲୀ କୋର୍ଟଙ୍କ ସମନ

ଭୁବନେଶ୍ୱର: ଓଟିଭିକୁ ଦିଲ୍ଲୀ କୋର୍ଟଙ୍କ ସମନ । ଓଡ଼ିଶା ଟେଲିଭିଜନ ଲିମିଟେଡ୍ ଏମ୍ଡି ଓ ଏଡିଟର ଇନ୍ ଚିଫଙ୍କୁ ଦିଲ୍ଲୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସମନ ଜାରି କରିଛନ୍ତି। ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ସମ୍ମାନହାନୀ ଉଦ୍ୟମ ନେଇ ହୋଇଥିବା ଆବେଦନରେ କୋର୍ଟ ସମନ ଜାରି କରିଛନ୍ତି। ଦାଖଲ ହୋଇଥିବା ପ୍ରମାଣରୁ ପ୍ରାଥମିକ ଯାଞ୍ଚରେ ଅନୁଭବ ମହାନ୍ତିଙ୍କ ସମ୍ମାନହାନୀ ପାଇଁ ଉଦ୍ୟମ ହୋଇଥିବା କୋର୍ଟ ଜାଣିବାକୁ ପାଇଛନ୍ତି । ଆଇପିସି ଧାରା ୫୦୦ ଓ ୩୪ ଅନୁସାରେ ଦଣ୍ଡିତ ହେବା ଭଳି କାର୍ଯ୍ୟ କରିଛନ୍ତି ।

ତେଣୁ ମାର୍ଚ୍ଚ ୨୭ତାରିଖ ସୁଦ୍ଧା କୋର୍ଟରେ ହାଜର ହେବା ପାଇଁ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ଟେଲିଭିଜନ ପକ୍ଷରୁ ଅନେକ ଥର ଅନୁଭବ ମହାନ୍ତିଙ୍କ ସମ୍ମାନହାନୀ ହେବା ଭଳି ଖବର ପ୍ରସାରଣ କରାଯାଇଛି । ୟୁଟ୍ୟୁବ, ଇମେଲ୍ ଓ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଅସମ୍ମାନ କରାଯାଇଛି । ଜାଣିଶୁଣି ତାଙ୍କ ସମ୍ମାନହାନୀ କରିବା ଉଦ୍ଦେଶ୍ୟରେ ଏଭଳି କରାଯାଇଥିବା ଅନୁଭବ ଆବେଦନରେ ଅଭିଯୋଗ କରିଛନ୍ତି । ଏଥିସହ ଅନୁଭବ ମହାନ୍ତି ରାଜନୈତିକ କ୍ୟାରିୟରକୁ ମଳିନ କରିବା ପାଇଁ ମିଛ ଅପପ୍ରଚାର କରାଯାଇଥିବା ଅଭିଯୋଗ କରିଛନ୍ତି ।

ଗୁଜୁରାଟ ଦଙ୍ଗା ମାମଲା: ପ୍ରମାଣ ଅଭାବରୁ ଜେଲରୁ ମୁକୁଳିଲେ ଦଙ୍ଗା ଓ ହତ୍ୟା ଅଭିଯୁକ୍ତ

ଗାନ୍ଧୀନଗର: ପ୍ରମାଣ ଅଭାବରୁ ଜେଲରୁ ମୁକୁଳିଲେ ଦଙ୍ଗା ଓ ହତ୍ୟା ଅଭିଯୁକ୍ତ । ୨୦୦୨ ଦଙ୍ଗା ମାମଲାରେ ୨୨ ଅଭିଯୁକ୍ତଙ୍କୁ ଖଲାସ କରିଛନ୍ତି ଆଡିସନାଲ ସେସନ କୋର୍ଟ । ୨୦୦୨ରେ ଗୁଜରାଟ ଗୋଧ୍ରାରେ ସାବରମତୀ ଏକ୍ସପ୍ରେସର ଏକ ବଗି ଜଳାଇ ଦିଆଯିବା ପରଦିନ ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇଥିଲା । ଅଳ୍ପସଂଖ୍ୟକ ସମ୍ପ୍ରଦାୟର ୧୭ଜଣଙ୍କୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବାକୁ ଶବ ଜଳାଇ ଦିଆଯାଇଥିଲା । ଘଟଣାରେ ସମ୍ପୃକ୍ତ ୨୨ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା ।

ମାତ୍ର ଆବଶ୍ୟକ ପ୍ରମାଣ ଯୋଗାଡ଼ କରିବାରେ ପୋଲିସ ଅସଫଳ ହୋଇଥିବାରୁ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଦିଆଯାଇଛି । ଦଙ୍ଗା ଓ ଦୁଇ ଶିଶୁଙ୍କ ସମେତ ୧୭ଜଣଙ୍କୁ ହତ୍ୟା କରିବା ମାମଲାରେ ଆଡିସନାଲ ସେସନ ଜଜ୍ ହର୍ଷ ତ୍ରିବେଦୀ ସେମାନଙ୍କୁ ଖଲାସ କରିଛନ୍ତି । ଦୀର୍ଘବର୍ଷ ଧରି କୋର୍ଟରେ ଶୁଣାଣି ଚାଲିଥିବା ବେଳେ ୨୨ ଅଭିଯୁକ୍ତଙ୍କ ମଧ୍ୟରୁ ୮ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୦୨ ଫେବୃଆରୀ ୨୭ତାରିଖରେ ଗୋଧ୍ରାରେ ସାବରମତି ଏକ୍ସପ୍ରେସର ଏକ ବଗିରେ ନିଆଁ ଲଗାଇ ଦିଆଯିବା ଯୋଗୁ ୫୭ଜଣଙ୍କର ମୃତ୍ୟୁ ହୋଇଥିଲା ।

ଲଖିମପୁର-ଖେରି ହିଂସା ମମାଲା; ମୁଖ୍ୟ ଅଭିଯୁକ୍ତ ଆଶିଷଙ୍କୁ ଅନ୍ତରୀଣ ଜାମିନ

ଲକ୍ଷ୍ନୌ: ୟୁପି ଲଖିମପୁର-ଖେରି ହିଂସା ମମାଲା । ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷକୁ ଜାମିନ । ଆଶିଷଙ୍କୁ ୮ ସପ୍ତାହ ପାଇଁ କାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । 2021 ଅକ୍ଟୋବରରେ ଲଖିମପୁର-ଖେରିରେ ଚାଷୀ ଆନ୍ଦୋଳନ ବେଳେ ଆଶିଷ ୫ଜଣଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିଲା । ମୃତକଙ୍କ ମଧ୍ୟରେ ୪ଜଣ ଚାଷୀଙ୍କ ସମେତ ଜଣେ ସାମ୍ବାଦିକ ମଧ୍ୟ ଥିଲେ ।

ଘଟଣାର ତଦନ୍ତ ପାଇଁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଆଶିଷଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିଲା । ହାଇକୋର୍ଟ ଆଶିଷଙ୍କ ଜାମିନ ଆବେଦନ ଖାରଜ କରିବା ପରେ ସୁପ୍ରିମକୋର୍ଟରେ ସେ ଏହାକୁ ଚ୍ୟାଲେଞ୍ଜ କରିଥିଲେ । ତେବେ ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଅଧିକ ଦିନ ଅଭିଯୁକ୍ତଙ୍କୁ ଜେଲରେ ରଖିବା ଠିକ ନୁହେଁ ବୋଲି କୋର୍ଟ କହିବା ସହ ଆଶିଷଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ଅଣଦେଖା; ପ୍ରେସମିଟ୍ କରି କେନ୍ଦ୍ର ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ଅଣଦେଖା । ପ୍ରେସମିଟ୍ କରି ବର୍ଷିଲା ବିଜୁ ଜନତା ଦଳ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଓ ଶ୍ରୀମୟୀ ମିଶ୍ର ପ୍ରେସମିଟରେ ବିଜେପିକୁ ଟାର୍ଗେଟ କରିଛନ୍ତି । ରାଜ୍ୟର ଦାବି ଅନୁସାରେ କେନ୍ଦ୍ର ସରକାର ଘର ଦେଲେନାହିଁ। ୧୫ଲକ୍ଷ ଘର ଆବଶ୍ୟକ, ମାତ୍ର ୮ଲକ୍ଷ ଘର ଦେଲେ। ବିଜେପି ସାଂସଦମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଡ୍ରାମା କରୁଛନ୍ତି। ବିଜେପି ରାଜ୍ୟ ନେତୃତ୍ୱ କେନ୍ଦ୍ରକୁ ଯାଆନ୍ତୁ। ସେଠି ଗାଇଡଲାଇନ ପରିବର୍ତ୍ତନ କରିବାକୁ ଜଣାନ୍ତୁ ।

ଯଦି ତାଲିକାରେ ଅଯୋଗ୍ୟ ଅଛନ୍ତି ତେବେ ବିଜେପି ନେତାମାନେ ତାଲିକା ପ୍ରସ୍ତୁତ କରି ଦେବାକୁ ବିଜେଡି କହିଛି । ବିଜେପି ସାଂସଦ ମାନେ ଡାହାଣୀ ହୋଇ ଲାଗୁଛନ୍ତି ଗୁଣିଆ ହୋଇ ଝାଡୁଛନ୍ତି। ବିଜେପି ସାଂସଦ ମାନେ ଷଡ଼ଯନ୍ତ୍ର କରି ଓଡିଶାବାସୀଙ୍କ ସ୍ୱାର୍ଥ ବିରୋଧରେ ଯାଇ ଆବାସ ଅଟକାଇ ଦେଲେ, ବିଜେଡି ଏହାକୁ ନିନ୍ଦା କରିଛି। ଏହା ଓଡିଶା ରାଜନୀତି ଇତିହାସରେ କଳା ଅଧ୍ୟାୟ। ଓଡିଶାର ସ୍ବାର୍ଥ ପାଇଁ ଲଢେଇ କରୁଛି ବିଜେଡି। ଏ ଷଡ଼ଯନ୍ତ୍ର କେବଳ ୧୫ଲକ୍ଷ ଘର ଅଟକାଇବା ପାଇଁ ନୁହେଁ । ଆଗକୁ ଯୋଜନା ବନ୍ଦ କରିବେ ଏବଂ ଓଡିଶାକୁ ଆଉ ଘର ଦେବେ ନାହିଁ ବୋଲି ବିଜେଡି କହିଛି ।

ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ନିଜ ଆଡୁ ଘର ଦେବେ । ଓଡିଶା ଲୋକଙ୍କ ପାଇଁ ବିଜେଡିର ସଂଗ୍ରାମ ଜାରି ରହିବ। ଓଡ଼ିଶା ଲୋକଙ୍କ ପ୍ରତି ବିଜେପିର ସାଂସଦ ମାନେ ଘୋର ଅନ୍ୟାୟ କରିଛନ୍ତି। କେନ୍ଦ୍ର ସରକାର ଗାଇଡଲାଇନ ତିଆରି କରିବା ବେଳେ କାହିଁକି ଚୁପ ବସିଲେ ବିଜେପି ସାଂସଦ। କାହିଁକି ଗାଇଡଲାଇନ ବଦଳାଇବାକୁ କହୁନାହାନ୍ତି। ପଲ୍ଲୀସଭାରେ ଆପତ୍ତି ଆଣୁନାହାନ୍ତି କାହିଁକି ବୋଲି ବିଜେଡି ପ୍ରଶ୍ନ କରିଛି । ଏଥିସହ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ସହ ବିଜେପି ସାଂସଦଙ୍କ ଫଟୋ ଦେଖାଇ ମିଛ ପ୍ରହେଳିକା ସୃଷ୍ଟି ନକରିବାକୁ ବିଜେଡି କହିଛି ।

ବିଜେପିରୁ ଇସ୍ତଫା ଦେଲେ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ

ଭୁବନେଶ୍ୱର: ବିଜେପି ଛାଡ଼ିଲେ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ଥଫା ପ୍ରଦାନ କରିଛନ୍ତି ଗିରିଧର ଗମାଙ୍ଗ । ସେ ନିଜର ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫା ପରେ ଏବେ ବିଆରଏସରେ ମିଶିବେ ଗମାଙ୍ଗ ବାପ-ପୁଅ । ବିଜେପି ମତେ ଅପମାନିତ କରିଛି । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଜାଣିଶୁଣି ଦଳ ତାଙ୍କୁ ଦୁରେଇଥିଲା । ବାଧ୍ୟହୋଇ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି ବୋଲି କହିଛନ୍ତି ବିଜେପିର ପୂର୍ବତନ ବରିଷ୍ଠ ନେତା ଗିରିଧର ଗମାଙ୍ଗ ।

2015 ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗଦାନ କରିଥିଲେ ଗିରିଧର ଗମାଙ୍ଗ ଏବଂ ଶିଶିର ଗମାଙ୍ଗ । ୨୦୧୫ରେ ବିଜେପିରେ ଯୋଗ ଦେବା ବେଳକୁ ଯାହା ଥିଲା ଏବେ ତାହା ନାହିଁ । ବିଜେପି ସଂଗଠନ କାଗଜ କଲମରେ ଚାଲିଛି । ଏଥିପାଇଁ ଇସ୍ତଫା ଦେଇଥିବା ଗିରିଧର କହିଛନ୍ତି । ସେହିପରି ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଥିବା ପୁଅ ଶିଶିର ଗମାଙ୍ଗ ମଧ୍ୟ ଇସ୍ତଫା ଦେଇଛନ୍ତି । ଦଳ ଛାଡିବା ପରେ ଶିଶିର ଗମାଙ୍ଗ ବିଜେପି ଉପରେ ବର୍ଷିଛନ୍ତି । ୨୦୧୫ରେ ଯୋଗଦେବା ପରେ ଶିଶିରଙ୍କୁ ଦଳ ସାଂସଦ ପ୍ରାର୍ଥୀ କରିବ ବୋଲି କହିଥିଲା ।

ହେଲେ ଗୁଣୁପୁର ବିଧାନସଭା ନିର୍ବାଚନ ଲଢ଼ିବାକୁ କହିଥିଲେ । ବିଜେପିର ସଂଗଠନ ଠିକ୍ ନଥିଲା । ଦକ୍ଷିଣ ଓଡ଼ିଶାର ଜଣେ ନେତା ତାଙ୍କୁ ହଇରାଣ କରୁଥିଲେ । କେନ୍ଦ୍ର ମନ୍ତ୍ରୀଙ୍କୁ ଜଣାଇଥିଲେ ଶିଶିର ଗମାଙ୍ଗ । ବିଆରଏସ ଲାଗି ଓଡ଼ିଶାରେ ସୁଯୋଗ ରହିଛି । ବିରୋଧୀ ଦଳ ଓଡ଼ିଶାରେ ସଠିକ ଭାବେ କାମ କରୁନଥିବାରୁ ଆମେ ବିଆରଏସରେ ମିଶିବୁ ବୋଲି ଉଭୟ କହିଛନ୍ତି । ପୂର୍ବରୁ ବି.ଆର୍‌.ଏସ ମୁଖ୍ୟ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କଠାରୁ ନିମନ୍ତ୍ରଣ ପାଇ ଉଭୟ ତାଙ୍କ ଦଳରେ ସାମିଲ ହେବାକୁ ଆଲୋଚନା କରିଥିଲେ ।

୨୦୨୩ ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ ଘୋଷଣା: ୯୦୧ ଜଣଙ୍କୁ ମିଳିବ ପୋଲିସ ପଦକ

ଭୁବନେଶ୍ୱର: ୨୦୨୩ ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ ଘୋଷଣା । ୯୦୧ ପୋଲିସ କର୍ମଚାରୀଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ। ୧୪୦ଜଣଙ୍କୁ ମିଳିବ ସାହସିକତା ପୁରସ୍କାର । ୯୩ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ସେହିପରି ୬୬୮ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପୁରସ୍କାର ମିଳିବ । ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଦିଆଯିବ । ଓଡ଼ିଶାରୁ ୨ ପୋଲିସ କର୍ମଚାରୀଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡି.ଏସ କୁଟେ ଓ ଭିଜିଲାନ୍ସ କନଷ୍ଟେବଳ ପ୍ରହଲ୍ଲାଦ କୁମାର ରାଉତ ହେବେ ସମ୍ମାନିତ । ସେହିପରି ପ୍ରଶଂସନୀୟ ସେବା ପାଇଁ ଓଡ଼ିଶାର ୧୧ ଜଣ ପୋଲିସ କର୍ମଚାରୀଙ୍କୁ ମିଳିବ ପୁରସ୍କାର ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ହେଉଛନ୍ତି ଡି ଏସ୍ କୁଟେ । ଓଡ଼ିଶାରୁ ଡି ଏସ୍ କୁଟେ ମିଳିବ ଉଲ୍ଲେଖନୀୟ ସେବା ପୋଲିସ ପଦକ । ୧୯୯୭ ବ୍ୟାଚର ଆଇପିଏସ୍ ଡି ଏସ୍ କୁଟେ । ଯାଜପୁର, ରାଉରକେଲା ଓ ଗଜପତି ଏସପି ଥିଲେ । କେନ୍ଦ୍ରାଞ୍ଚଳ ଡିଆଇଜି ଓ ଗୁଇନ୍ଦା ଡିଆଇଜି ଭାବେ କାର୍ଯ୍ୟ କରୁଥିଲେ । ୨୦୧୫ରୁ ୨୦୧୬ ଗୁଇନ୍ଦା ବିଭାଗ ଆଇଜି ଭାବେ କାର୍ଯ୍ୟ କରିଛନ୍ତି । ୨୦୧୬ରୁ ୨୦୧୭ ରାଜ୍ୟ ପରିବହନ କମିଶନର ଥିଲେ ଡି. ଏସ୍ କୁଟେ । ୨୦୧୩ରେ ମଧ୍ୟ ପ୍ରଶଂସନୀୟ ସେବା ପାଇଁ ପୋଲିସ ପଦକ ପାଇଥିଲେ । ଗୁଇନ୍ଦା ବିଭାଗ ଡିଆଇଜି ଥିବା ବେଳେ ପୋଲିସ ପଦକ ପାଇଥିଲେ । ୨୦୧୭ରୁ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ ନିଯୁକ୍ତି ପାଇଛନ୍ତି ।