ସତ ହେଲା ଅସରଫର ଭବିଷ୍ୟବାଣୀ, ହତ୍ୟା ନେଇ କହିଥିଲା ଏମିତି କଥା…..

ଲକ୍ଷ୍ନୌ: ମାଫିଆ ଅତିକ୍ ଅହମଦ ଏବଂ ତାର ଭାଇ ଅସରଫକୁ ଶନିବାର ଗୁଳି କରି ହତ୍ୟା କରାଯାଇଛି । ପୋଲିସର କଡ଼ା ସୁରକ୍ଷା ବଳୟକୁ ଭେଦ କରି ତିନି ଯୁବକ ଦୁଇ ଭାଇଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିନେଇଛି । ଏହି ଗୁଳିକାଣ୍ଡ ପୂର୍ବରୁ ଅସରଫ ବରେଲିରେ ଗଣମାଧ୍ୟମ ସହ ସକ୍ଷାତକାରରେ କହିଥିଲା ଯେ ତାକୁ ଦୁଇ ସପ୍ତାହ ପରେ ହତ୍ୟା କରାଯିବ । ଆଶ୍ଚମ୍ବିତ କଲା ଭଳି ଘଟଣା ଏହା ଯେ ଏହି ବୟାନର ଠିକ୍ ଦୁଇ ସପ୍ତାହ ୫ ଦିନ ପରେ ଏହି ହତ୍ୟାକାଣ୍ଡ ଘଟିଛି । ସୂଚନାଯୋଗ୍ୟ, ଉମେଶ ପାଲ ହତ୍ୟାକାଣ୍ଡରେ କୋର୍ଟରେ ହାଜର ହେବା ପରେ ୨୮ ମାର୍ଚ୍ଚ ରାତିରେ ଅସରଫ ବରେଲି ଜେଲ ପହଞ୍ଚିଥିଲା ।

ଏଠାରେ ମିଡିଆକୁ ଦେଇଥିବା ପ୍ରତିକ୍ରିୟାରେ ଅସରଫ ନିଜର ହତ୍ୟା ନେଇ ଆଶଙ୍କା ପ୍ରକଟ କରିଥିଲା । କହିଥିଲା ଯେ ୨ ସପ୍ତାହ ପରେ ତାକୁ ଜେଲରୁ ବାହାର କରି ହତ୍ୟା କରିଦିଆଯିବ । ଅସରଫ କହିଥିଲା ଯେ, ଜଣେ ବଡ଼ ଅଧିକାରୀ କହିଛନ୍ତି ଯେ କୌଣସି ବାହାନାରେ ଗୋଟିଏ ଦୁଇ ସପ୍ତାହ ପରେ ତୋତେ ଜେଲରୁ ବାହାରକୁ ନେବୁ ଏବଂ ହତ୍ୟା କରିଦେବୁ । ମୁଁ ତାଙ୍କ ନାଁ ନେବି ନାହିଁ । ମୋ ପରିବାରକୁ ଫସାଇବାକୁ ଷଡ଼ଯନ୍ତ୍ର କରାଯାଉଛି ।

ଏଥିସହିତ ହିଁ ଉତ୍ତରପ୍ରଦେଶ ସରକାରଙ୍କୁ ମଧ୍ୟ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ମିଛ ମାମଲା ଲାଗିଛି, ଏଥିପାଇଁ ସେ ଭଲ ଭାବରେ ମୋ ପୀଡା ବୁଝୁଥିବେ । ଅସରଫ କହିଥିଲା, ମୋ ହତ୍ୟା ପରେ ପ୍ରୟାଗରାଜର ମୁଖ୍ୟ ବିଚାରପତି, ମୁଖ୍ୟମନ୍ତ୍ରୀଙ୍କୁ ମୋର ବନ୍ଦ ଲଫାପା ପହଞ୍ଚିଯିବ । ଏହାପରେ କହିଥିଲା ଯେ, ମୁଁ ମାଫିଆ ଦେଖୁଛି? ୩ ବର୍ଷ ହେବ ଜେଲରେ ରହିଛି । ଗୋଟିଏ ଥର ବିଧାୟକ ରହି ସାରିଛି । ଜେଲରେ ରହି କିପରି ଷଡଯନ୍ତ୍ର କରିପାରିବି ।

ପ୍ରକାଶଥାଉକି, ଅତିକ୍ ଏବଂ ଅସରଫର ମେଡିକାଲ ପରୀକ୍ଷା ପାଇଁ ଗତାକାଲି ରାତିରେ ପୋଲିସ ଦୁଇ ଭାଇଙ୍କୁ ନେଇ ପ୍ରୟାଗରାଜ ମେଡିକାଲ ପହଞ୍ଚିଥିଲା । ଗଣମାଧ୍ୟମକୁ ଅତିକ୍ ପ୍ରତିକ୍ରିୟା ଦେଉଥିବା ବେଳେ ଏହି ସମୟରେ ପୋଲିସ ସୁରକ୍ଷା ଘେରରେ ପଶି ଆକ୍ରମଣକାରୀମାନେ ଗୁଳିମାଡ଼ କରିଥିଲେ । ଅତିକ୍ ଏବଂ ଅସରଫ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ସେହିପିର ଜଣେ ପୋଲିସ କର୍ମଚାରୀ ଏବଂ ଗଣମାଧ୍ୟମ କର୍ମୀ ଏହି ଗୁଳିମାଡ଼ରେ ଆହତ ହୋଇଥିଲେ ।