ସାମ୍ବାଦିକଙ୍କ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ, ଗୃହମନ୍ତ୍ରଣାଳୟ ଜାରି କରିବ ଏସଓପି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ମାଫିଆ ଡନ୍ ଅତିକ୍ ଅହମଦ ଏବଂ ତାର ଭାଇ ଅସରଫର ହତ୍ୟା ଘଟଣା ପରେ ଗୃହମନ୍ତ୍ରଣାଳାୟ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଗୃହ ମନ୍ତ୍ରଣାଳୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜର ଅର୍ଥାତ ଏସଓପି ପ୍ରସ୍ତୁତ କରିବା ନେଇ ନିଷ୍ପତ୍ତି ନେଇଛି । ପ୍ରକାଶଥାଉକି, ଅତିକ ଏବଂ ଅସରଫର ହତ୍ୟା କରିଥିବା ଆକ୍ରମଣକାରୀ ସାମ୍ବାଦିକ ବେଶ ଧରି ମିଡିଆକର୍ମୀଙ୍କ ମଧ୍ୟରେ ପ୍ରବେଶ କରିଥିଲେ ଏବଂ ସୁଯୋଗ ଦେଖି ଘଟଣାକୁ ରୂପ ଦେଇଥିଲେ ।

ଏସଓପି ଆଧାରରେ ମିଡିଆ କଭରେଜ ସମୟରେ ସାମ୍ବାଦିକଙ୍କୁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଦିଆଯିବ ଏବଂ କିଛି ସରୁକ୍ଷାର ଏପରି ମାପଦଣ୍ଡ ହେବ, ଯାହାକୁ ସେମାନଙ୍କୁ ପାଳନ କରିବାକୁ ହେବ । ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନ ପାଇଁ ହେବ ।

ସୂଚନା ମୁତାବକ ଗୃହ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏସଓପି ପ୍ରସ୍ତୁତ କରିବ । ପ୍ରୟାଗରାଜରେ ସାମ୍ବାଦିକ ବେଶରେ ଆସି ତିନି ଆକ୍ରମଣକାରୀ ଅତିକ ଏବଂ ତାର ବାଇ ଅସରଫକୁ ହତ୍ୟା କରିବା ପରେ ଏହି ପଦକ୍ଷେପ ଉଠାଯାଉଛି । ଅତିକ ଏବଂ ଅସରଫକୁ ଶନିବାର ରାତିରେ ସେ ସମୟରେ ହତ୍ୟା କରାଯାଇଥିଲା ଯେବେ ସେମାନେ ଗଣମାଧ୍ୟମକୁ ବୟାନ ଦେଉଥିଲେ । ଅତିକ ଏବଂ ଭାଇ ଅସରଫର ହତ୍ୟା ପରେ ସାରା ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି । ଏଥିସହିତ ପୋଲିସ ଏବଂ ପ୍ରଶାସନ ହାଇଆଲର୍ଟରେ ରହିଛନ୍ତି ।