ମାଫିଆ ଭାଇ ଅତିକ୍ ଓ ଅସରଫକୁ ଦିଆଗଲା କବର

1 min read

ପ୍ରୟାଗରାଜ: ମାଟିରେ ମିଶିଲେ ଡନ୍ ଭାଇ । ମାଫିଆ ଭାଇ ଅତିକ୍ ଅହମଦ ଓ ଅସରଫକୁ ଆଜି ସନ୍ଧ୍ୟାରେ କବର ଦିଆଯାଇଛି । ଅତିକ୍ ସହ ତାର ୪୪ ବର୍ଷର ଅପରାଧିକ ସାମ୍ରାଜ୍ୟକୁ ମଧ୍ୟ କବର ଦିଆଯାଇଛି । ଅତିକ୍ ଅହମଦ ଏବଂ ତାର ଭାଇ ଅସରଫର ଶୁଟଆଉଟରେ ହତ୍ୟା ପରେ ରବିବାର ସନ୍ଧ୍ୟାରେ ଉଭୟଙ୍କୁ ପ୍ରୟାଗରାଜର କସାରୀ-ମସାରୀ କବରସ୍ତାନରେ ସୁପୁର୍ଦ-ଏ-ଖାକ କରିଦିଆଯାଇଛି । ଏହି ଦୁଇଜଣଙ୍କ ଅନ୍ତିମ ସଂସ୍କାରରେ ଅନେକ ସମ୍ପର୍କୀୟ ଏବଂ ପରିବାର ଲୋକେ ସାମିଲ ହୋଇଥିଲେ । ହେଲେ ଅତିକର ପତ୍ନୀ ସାଇସ୍ତା ଏହି ଅନ୍ତିମ ସଂସ୍କାରରେ ସାମିଲ ହୋଇନଥିଲେ ।

ସେ ଏବେବି ଫେରାର ଅଛନ୍ତି । ଅତିକର ଦୁଇ ନାବାଳକ ପୁଅ ଅହଜମ ଏବଂ ଏବାନ ତାଙ୍କୁ କବର ଦେଇଥିଲେ । ପୋଲିସର କଡ଼ା ସୁରକ୍ଷା ବଳୟରେ ଶବକୁ ସ୍ୱରୁପରାଣୀ ହସ୍ପିଟାଲରୁ କବରସ୍ତାନ ପର୍ଯ୍ୟନ୍ତ ନିଆଯାଇଥିଲା । ଉମେଶ ପାଲ ହତ୍ୟାକାଣ୍ଡର ଏହି ଦୁଇ ଅଭିଯୁକ୍ତଙ୍କ ହତ୍ୟା ପରେ ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜର ସମସ୍ତ କାର୍ଯ୍ୟକ୍ରମକୁ ରଦ୍ଦ କରିଦେଇଛନ୍ତି । ତାଙ୍କର ସମସ୍ତ ଧ୍ୟାନ ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ରହିଛି ।

ଅନ୍ୟପକ୍ଷରେ ଗୁଳିମାଡ଼ କରିବା ପରେ ଆତ୍ମସମର୍ପଣ କରିଥିବା ୩ ଯୁବକ ସନ୍ନି, ଲଭଲେଶ ଓ ବରୁଣକୁ ପୁଲିସ୍‌ ଜେରା କରିବା ପରେ ଆଜି କୋର୍ଟରେ ହାଜର କରିଥିଲା । ଏହାପରେ କୋର୍ଟ ସମସ୍ତ ୩ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସୂଚନାଥାଉକି ଗତକାଲି ରାତିରେ ଗଣମାଧ୍ୟମ କ୍ୟାମେରା ସମ୍ମୁଖରେ ପୋଲିସର କଡ଼ା ସୁରକ୍ଷା ଭିତରେ ଅତିକ ଏବଂ ତା ଭାଇ ଅସରଫକୁ ଗୁଳି କରି ହତ୍ୟା କରିଥିଲେ ତିନି ଦୁର୍ବୁର୍ତ୍ତ ।

ତିନି ଦୁର୍ବୃର୍ତ୍ତ ମିଡିଆକର୍ମୀ ଭାବେ ଆସି ଅତିକକୁ ନିକଟରୁ ଗୁଳିମାରିଥିଲେ । ଏହାପରେ ଅସରଫକୁ ଗୁଳିମାରିଥିଲେ । ମୋଟ୍ ୧୮ ରାଉଣ୍ଡ ଗୁଳି ଏମାନେ ଚଳାଇଥିଲେ । ଏହାପରେ ସେମାନେ ପୋଲିସ ଆଗରେ ସରେଣ୍ଡର କରିଥିଲେ । ଏହାକୁ ନେଇ ନେଇ ବର୍ତ୍ତମାନ ସାରା ଦେଶରେ ରାଜନୈତିକ ପାରା ହାଇ ରହିଛି । ୟୁପରେ ଜଙ୍ଗଲରାଜ ଚାଲିଥିବା କଥା କହିଛନ୍ତି ବିରୋଧୀ । ପୋଲିସ କଷ୍ଟଡିରେ ଥାଇ ମଧ୍ୟ ଦୁଇ ଜଣଙ୍କୁ ହତ୍ୟା କରାଯିବା ୟୁପି ପୋଲିସର ବିଫଳତାକୁ ଦର୍ଶାଉଛି ବୋଲି କହିଛନ୍ତି ବିରୋଧୀ ନେତା ।