ଭୁବନେଶ୍ୱର: ଶୂନ୍ୟକାଳରେ ଜାତୀୟ ରାଜପଥ ନିର୍ମାଣ ବିଳମ୍ବ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ l ଆମେରିକା ପରି ରାସ୍ତା ଘୋଷଣା ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । କଟକରୁ ସମ୍ବଲପୁର ରାସ୍ତା ବିଳମ୍ବ ଯୋଗୁଁ ୨ ବର୍ଷରେ ୪ ଶହ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୨୦୦ ଜଣଙ୍କ ମୃତ୍ୟୁ ହୋଇଛି l କେନ୍ଦ୍ର ସରକାର ତୁରନ୍ତ କାମ କିପରି ସାରିବେ ସେନେଇ କେନ୍ଦ୍ର ପାଖରେ ବିଜେଡି ସାଂସଦମାନେ ଦାବି କରିଛନ୍ତି l ତେବେ ଏଯାଏ ସମସ୍ୟା ନେଇ ବିଜେପି ସାଂସଦମାନେ କେନ୍ଦ୍ର ପାଖରେ ଦାବି କରିନଥିବା କହିଛନ୍ତି ଅରୁଣ ସାହୁ l
କଂଗ୍ରେସ ସହ ତମାମ ବିରୋଧୀ ଦଳ ସାମିଲ, ଖଡଗେଙ୍କ ଅଫିସରେ ଆଗାମୀ ରଣନୀତି ନେଇ ଆଲୋଚନା
ନୂଆଦିଲ୍ଲୀ: ଏକଛତ୍ରବାଦୀ ଶାସନ ବିରୋଧରେ ଜାରି ରହିବ ଲଢ଼େଇ । ଗଣତନ୍ତ୍ରର ରକ୍ଷା ପାଇଁ କଂଗ୍ରେସ ସହ ସାଥ୍ ଦେଇଛନ୍ତି ତମାମ ବିରୋଧୀ ଦଳ । ଶରଦ ପାଓ୍ବାରଙ୍କ ଏନସିପି, ନୀତୀଶଙ୍କ ଜେଡିୟୁ, ତେଲେଙ୍ଗାନାର ଶାସକ ଦଳ ବିଆରଏସ, ସିପିଏମ, ସିପିଆଇ, ଆମ ଆଦମୀ ପାର୍ଟି, ଏଆଇଡିଏମକେ, ଟିଏମସି, ଆରଜେଡି, ସମାଜବାଦୀ ପାର୍ଟି, ଜେଏମଏମ, ଡିଏମକେ ଆଦି ୧୮ଟି ଦଳ ଏକଜୁଟ ହୋଇଛନ୍ତି । ଆଜି ବିରୋଧୀଙ୍କ ସହ ଶିବସେନା ମଧ୍ୟ ସାମିଲ ହୋଇପାରେ । ଆଗାମୀ ରଣନୀତି ନେଇ ପାର୍ଲାମେଣ୍ଟ ପରିସରରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ କାର୍ଯ୍ୟାଳୟରେ ବିରୋଧୀଙ୍କ ବୈଠକରେ ନିଷ୍ପତ୍ତି ନିଆଯିବ ।
ସେପଟେ ଭ୍ରଷ୍ଟାଚାରୀଙ୍କ ବିରୋଧରେ କଂଗ୍ରେସ ସ୍ବର ଉଠାଇବା ଜାରି ରଖିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ସାଂସଦ ପ୍ରମୋଦ ତିଓ୍ବାରୀ । ଦେଶର ଟଙ୍କା ଲୁଟି ଫେରାର ହୋଇଯାଇଥିବା ମେହୁଲ ଚୋକସୀ, ନିରବ ମୋଦୀ, ଲଳିତ ମୋଦୀଙ୍କୁ ଓବିସି ସାହାରାରେ ବିଜେପି ବଞ୍ଚାଇବାକୁ ଚାହୁଁଛି ବୋଲି ସେ କହିଛନ୍ତି । ବିଜେପି ବିରୋଧରେ କହିବା ଦେଶ ବିରୋଧରେ କହିବା ନୁହେଁ । ଆଦାନୀ ପ୍ରସଙ୍ଗ ପାଇଁ ସଂସଦ ଚଳାଇବାକୁ ଦେଉନି ବିଜେପି । ପାର୍ଲାମେଣ୍ଟରେ ଆଦାନୀ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟର ଚର୍ଚ୍ଚା ହେଲେ ବିଜେପିର ମୁଖା ଖୋଲିଯିବ ବୋଲି ପ୍ରମୋଦ ତିଓ୍ବାରୀ କହିଛନ୍ତି । ସେପଟେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସଦସ୍ୟତା ରଦ୍ଦ ପ୍ରସଙ୍ଗ ଉପରେ ଆମେରିକା ନଜର ରଖିଛି ବୋଲି ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ହଷ୍ଟେଲରେ ରାଗିଂ ପାଇଁ ଜୀବନ ହାରିଲେ ସରକାରୀ ପଲିଟେକନିକ ଛାତ୍ରୀ !
ଯାଜପୁର: ପୁଣି ହଷ୍ଟେଲରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ । ବେକରେ ଓଢ଼ଣୀ ଲଗାଇ ଝୁଲିପଡ଼ିଲେ ଛାତ୍ରୀ । ଯାଜପୁର ଜିଲ୍ଲା କୋରାଇ ରଗଡ଼ି ସରକାରୀ ପଲିଟେକନିକ କଲେଜର ତୃତୀୟ ବର୍ଷ ଇଲେକ୍ଟ୍ରିକାଲ ଛାତ୍ରୀଙ୍କ ଆତ୍ମହତ୍ୟା। ମୃତ ଛାତ୍ରୀ ଜଣକ ଜେନାପୁର ଥାନା ଷେଣ୍ଢପୁର ଗାଁର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ପାତ୍ର । ଜଣେ ମେଧାବୀ ଛାତ୍ରୀ ଥିଲେ ରୋଜାଲିନ୍ । ୪ଟି କ୍ୟାମ୍ପସରେ ସିଲେକ୍ଟ ବି ହୋଇଥିଲେ । ତେବେ କାହିଁକି ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ସେପଟେ ଝିଅକୁ ସାଙ୍ଗସାଥି ସବୁବେଳେ ରାଗିଂ କରୁଥିବା ନେଇ ଫୋନରେ ଘରକୁ ଜଣାଇଥିବା ରୋଜାଲିନଙ୍କ ପରିବାର ଲୋକେ କହିଛନ୍ତି । ତେବେ ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ କୋରେଇ ଥାନା ଅଧିକାରୀ ଓ ଯାଜପୁର ରୋଡ ଏସଡିପିଓ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।
ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ, ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା
ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ । ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆଜି ସପ୍ତମୀ ତିଥିରେ ନେତ ଉତ୍ସବ ଅବସରରେ ରୁକୁଣା ରଥ ପ୍ରତିଷ୍ଠା କରାଯିବ । ଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତୀ ପରେ ମରିଚି କୁଣ୍ଡରୁ ପ୍ରଥମ ଗରା ପାଣି ଆଣି ପୂଜା କରାଯିବ ସହ ରଥ ପ୍ରତିଷ୍ଠା ହେବ । ପରେ ଏହି ପାଣିକୁ ନିଲାମ କରାଯିବ । ବିଶ୍ବାସ ରହିଛି, ମରିଚି କୁଣ୍ଡର ପାଣିକୁ ସେବନ କଲେ ନିଃସନ୍ତାନ ନାରୀ ସନ୍ତାନ ଲାଭ କରିଥାନ୍ତି । ରଥ ପ୍ରତିଷ୍ଠା କାର୍ଯ୍ୟ ପାଇଁ ପୁରୀରୁ ରାଜଗୁରୁ ଆସି ରଥ ପ୍ରତିଷ୍ଠା କରିବାର ବିଧି ରହିଛି । ଚଳିତ ବର୍ଷ ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି ।
ଆଜି ରଥରେ ନେତ ଲାଗି ହେବା ସହ ରଥ ପ୍ରତିଷ୍ଠା କରାଯିବ । ଆସନ୍ତାକାଲି ଅଶୋକାଷ୍ଟମୀ ତିଥିରେ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ଆରମ୍ଭ ହୋଇ ୫ ଦିନ ଧରି ଚାଲିବ । ଏଥିପାଇଁ ସମସ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ୧୨ଟାରେ ମଙ୍ଗଳା ଆଳତୀ, ୨ଟାରେ ଭୋଗ ଲାଗି ଓ ୩ଟାରୁ ସାଢ଼େ ୩ଟା ମଧ୍ୟରେ ରଥଟଣା ଆରମ୍ଭ ହେବ । ରୁକୁଣା ରଥଯାତ୍ରା ସୁରୁଖୁରୁରେ ତଥା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ମନ୍ଦିର ପ୍ରଶାସନ, ପୋଲିସ ଓ ବିଏମସି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଦୁଇଟି ପର୍ଯ୍ୟାୟରେ ପ୍ରସ୍ତୁତି ଓ ସମନ୍ୱୟ ବୈଠକ ଶେଷ ହୋଇଥିବା ବେଳେ, ସମସ୍ତଙ୍କ ସହଯୋଗ ଲୋଡିଛି ପ୍ରଶାସନ ।
ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା
ପଦ୍ମପୁର: ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା । ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ କାର୍ଯ୍ୟରତ ସିଆରପିଏଫ ଯବାନ ପ୍ରସନ୍ନଜିତ ପାଳ ଡ୍ୟୁଟିରେ ଥିବା ସମୟରେ ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ରାତିରେ ସୁରକ୍ଷା ଟାଓ୍ବାର ଉପରେ ଡ୍ୟୁଟିରେ ଥିଲେ ପ୍ରସନ୍ନଜିତ । ମୄତ ଯବାନ ଜଣକ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ CRPF ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।


