ଆନ୍ଦୋଳନ କରିପାରିବେ ନାହିଁ ସ୍ୱାସ୍ଥ୍ୟ କର୍ମଚାରୀ, ଲାଗୁ ହେଲା ଅତ୍ୟାବଶ୍ୟକ ସେବା ଆଇନ

ଭୁବନେଶ୍ୱର: ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ସର୍ବାଧିକ ଫୋକସ କରୁଛନ୍ତି  । ସମ୍ପ୍ରତି ରାଜ୍ୟରେ ଗ୍ରୀଷ୍ମ ଲହରୀ ଜନ ଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି  । ଏଭଳି ସମୟରେ ତତ୍କାଳ ସ୍ୱାସ୍ଥ୍ୟ ସେବାର ଯଥେଷ୍ଟ ଆବଶ୍ୟକତା ରହିଛି  । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଲମ୍ବା ଛୁଟି କିମ୍ବା ଧର୍ମଘଟ ଆନ୍ଦୋଳନକୁ ଓହ୍ଲାଇଲେ ତାହା ସ୍ୱାସ୍ଥ୍ୟ ସେବାରେ ବଡ଼ ପ୍ରତିବନ୍ଧକ ଆଣିବ  ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାରେ ଏସମା (ଅତ୍ୟାବଶ୍ୟକ ସେବା ଆଇନ) ଲାଗୁ କରିଛନ୍ତି  । ବିଧିବଦ୍ଧ ଭାବେ ଏନେଇ ଗେଜେଟ ନୋଟିଫିକେସନ ପ୍ରକାଶ ପାଇଥିବାବେଳେ ଏହା ଆସନ୍ତା ୬ ମାସ ଯାଏଁ ବଳବତ୍ତର ରହିବ  । ସମସ୍ତ ସରକାରୀ ହସ୍ପିଟାଲର ନର୍ସ ଫାର୍ମାସିଷ୍ଟ ଆରମ୍ଭ କରି ପାରା ମେଡିକ୍ସ କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବ ।

ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଏସମା ଲାଗୁ ହୋଇଛି । ସବୁ ସରକାରୀ ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ଲାଗୁହୋଇଛି ଅତ୍ୟାବଶ୍ୟକ ସେବା ଆଇନ୍ ବା  ଏସମା । ଛଅ ମାସ ପାଇଁ ବଳବତ୍ତର ରହିବ ଏସମା  । ଏହି ସମୟରେ ଡାକ୍ତରଖାନାର କୌଣସି କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ । ଗୃହବିଭାଗ ଲାଗୁ କରିଛି ଏସମା  ।