spot_img
Home Blog Page 3421

ଫସର ଫାଟିଲା ନାବାଳିକାଙ୍କ ବିବାହ: ଶିଶୁପାଳ ହୋଇ କାନ୍ଦି କାନ୍ଦି ଘରକୁ ଫେରିଲେ ଦୁଇ ବର

ନୟାଗଡ଼: ନାବାଳିକାଙ୍କ ବାହାଘର ବେଳେ ହାଇଡ୍ରାମା । ସାଦା ପୋଷାକରେ ପହଞ୍ଚି ଗଲେ ପୋଲିସ ଓ ଚାଇଲ୍ଡ ଲାଇନ ସଦସ୍ୟ । ଫସର ଫାଟିଲା ନାବାଳିକା ବିବାହ ଯୋଜନା । କାନ୍ଦି କାନ୍ଦି ଶିଶୁପାଳ ହେଇ ଘରକୁ ଫେରିଲେ ଦୁଇ ବର । ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ବଧିସାହି ଶିବ ମନ୍ଦିରରେ ଏବଂ ଗୋଡ଼ିପଡ଼ା ହଟକେଶ୍ୱର ମନ୍ଦିରରେ ।

ଦୁଇଟି ମନ୍ଦିରରେ ଚାଲିଥିଲା ବାହାଘର । ବେଦୀରେ ବସିଥିଲେ ଦୁଇ ନାବାଳିକା । ସମସ୍ତଙ୍କ ମୁହଁରେ ହସ । ବ୍ରାହ୍ମଣଙ୍କ ମନ୍ତ୍ର ଧ୍ବନୀ ଓ ହୁଳହୁଳିରେ କମ୍ପୁଥିଲା ମନ୍ଦିର ପରିସର । ହୋମ ନିଆଁକୁ ସାକ୍ଷୀ ରଖି ହାତକୁ ହାତ ମିଳାଇ ବେଦୀରେ ବସିଥିଲେ ବର କନ୍ୟା l ହେଲେ କନିଆ ମୁଥାରେ ସିନ୍ଦୁର ଲାଗିବା ବେଳକୁ ପଛରୁ ଶୁଭିଲା ‘ବାହାଘର ବନ୍ଦ କର’ । ଏହା ଶୁଣି ସବୁ ହତବାକ । ବୁଝ ବୁଝ, ମନ୍ଦିରରେ ପହଞ୍ଚି ସାରିଥିଲେ ପୋଲିସ ବାବୁ ଓ ଚାଇଲ୍ଡ ଲାଇନ ସଦସ୍ୟ । ବାହାଘର ବନ୍ଦ କରିବା ପରେ ଦୁଇ ନାବାଳିକାଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରିଛି । ପରେ ଦୁଇ ବର ଶିଶୁପାଳ ହୋଇ ଘରକୁ ଫେରିଛନ୍ତି ।

ଅନ୍ୟପକ୍ଷରେ ନାବାଳିକାଙ୍କୁ ଉଦ୍ଧାର ବେଳେ ମନ୍ଦିରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତ୍ୟକ୍ତ ପରିବାର ଲୋକେ ପୋଲିସ ଓ ଚାଇଲ୍ଡ ଲାଇନ୍ ସହ ଯୁକ୍ତିତର୍କ କରିଥିଲେ ।

ବଧିସାହି ଶିବ ମନ୍ଦିରରେ ଗନ୍ଧବାରଣ ଗାଁର ଜଣେ ୨୫ ବର୍ଷୀୟ ଯୁବକ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳିକା ସହ ବିବାହ କରୁଥିଲେ l ସେହିପରି ବଡ଼ପୁଟ ଗାଁର ୨୬ ବର୍ଷୀୟ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାକୁ ବିବାହ କରୁଥିଲେ l ଖବର ପାଇଁ ନୟାଗଡ଼ ଚାଇଲ୍ଡ ଲାଇନ ଶରଣକୁଳ ପୋଲିସ ସହାୟତାରେ ବେଦୀବେଦୀରୁ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିବା ସହ ବାହାଘର ବନ୍ଦ କରିଥିଲା । ନାବାଳିକା ଦ୍ବୟଙ୍କୁ ନୟାଗଡ଼ ଶିଶୁ ମଙ୍ଗଳ ସମିତିରେ ହାଜର ପରେ ତପସ୍ୟା ଶିଶୁ ଗୃହରେ ରଖାଯାଇଛି l

ତେବେ ବାଲ୍ୟ ବିବାହ ନୟାଗଡ଼ ଅଞ୍ଚଳରେ କିଛି ନୁଆକଥା ନୁହେଁ । କେବଳ ଫଷବୃଆରୀ ମାସରେ ଚାଇଲ୍ଡ ଲାଇନ୍ ଏହି ଜିଲ୍ଲାରେ ପ୍ରାୟ ୧୫ଟି ବାଲ୍ୟ ବିବାହ ବନ୍ଦ କରିଛି । ଏହାପରେ ବି ଲୁଚାଛପାରେ ବହୁ ନାବାଳିକାଙ୍କୁ ବିବାହ କରାଇ ଦିଆଯାଉଥିବା ଅଭିଯୋଗ ହେଉଛି ।

ଘରକୁ ଫେରିଲେ ୪ ନିଖୋଜ ଛାତ୍ର

କେନ୍ଦୁଝର: ଘରକୁ ଫେରିଲେ ୪ ଜଣ ନିଖୋଜ ଛାତ୍ର । କେନ୍ଦୁଝରର KSE ଘରୋଇ କଲେଜ ହଷ୍ଟେଲରୁ ଗତକାଲି ନିଖୋଜ ହୋଇଯାଇଥିଲେ ୪ ଛାତ୍ର । ନିଖୋଜ ନେଇ ଟାଉନ ଥାନାରେ ଏତଲା ଦେଇଥିଲେ ଅଭିଭାବକ ଓ କଲେଜ କର୍ତ୍ତୃପକ୍ଷ । ଛାତ୍ରଙ୍କ ନିଖୋଜ ପରେ ପରିବାର ଲୋକେ କଲେଜରେ ପହଞ୍ଚି ସିସିଟିଭି ଯାଞ୍ଚ କରିଥିଲେ । ହେଲେ କଲେଜ ସିସିଟିଭି କାମ କରୁ ନଥିବା ଜଣାପଡିଥିଲା । ପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ ।

ଦୁଇ ଦୁର୍ଘଟଣାରେ ଦୁଇ ମୃତ, ୪ ଗୁରୁତର

ଭୁବନେଶ୍ବର: ରାଜ୍ୟର ଦୁଇଟି ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା । ପୃଥକ ପୃଥକ ସ୍ଥାନରେ ହୋଇଥିବା ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ଚାନ୍ଦପୁର ବାଇପାସ୍ ଗୌରଚନ୍ଦ୍ର ପୁର ଛକ ନିକଟରେ ପିକଅପ୍ ଭ୍ୟାନକୁ ଟ୍ରକ୍ ଧକ୍କା ଦେବାରୁ ଜଣଙ୍କ ମୃତ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଚାନ୍ଦପୁର ଥାନା କୁକୁଡା ଝରି ଗାଁର କାଳିଆ ତାଡ଼ । କୁକୁଡାଝରି ଗାଁର ୫ ଜଣ ନିର୍ମାଣ ଶ୍ରମିକ ଢଳେଇ କାମ କରିବା ପାଇଁ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଖବର ପାଇ ଚାନ୍ଦପୁର ପୋଲିସ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ସମାନ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଉଥିବା ବେଳେ ପ୍ରଶାସନର ନିଘା ନଥିବା ଅଭିଯୋଗ ହୋଇଛି । ଦୁର୍ଘଟଣା ସ୍ଥଳରେ ଓଭର ବ୍ରିଜ୍ ନିର୍ମାଣ କରିବାକୁ ଦାବି ହୋଇଛି । ଟାୟାର ଜାଳି ଉତ୍ତ୍ୟକ୍ତ ଲୋକେ ରାଜପଥ ଅବରୋଧ କରିଛନ୍ତି । ଉଭୟ କଡ଼ରେ ଶହ ଶହ ଗାଡି ଅଟକି ରହିଛି । ଆନ୍ଦୋଳନକାରୀଙ୍କୁ ପୋଲିସର ବୁଝାସୁଝା କରୁଛି ।

ସେହିପରି ଜଗତସିଂହପୁର-କଟକ ରାସ୍ତାର ତରିକୁନ୍ଦ ଫାଣ୍ଡି ନିକଟ ଧନିପୁର ଛକରେ ଘଟିଛି ଦୁର୍ଘଟଣା । ବୁଲେଟ ସହ ହାଇଓ୍ବାର ହୋଇଛି ମୁହାଁମୁହିଁ ଧକ୍କା । ଏଥିରେ ଜଣଙ୍କ ମୃତ୍ୟୁ ଘଟିଛି । କୁହୁଡି ଯୋଗୁଁ ରାସ୍ତା ଭଲ ଭାବରେ ଦେଖା ନଯିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଅନ୍ୟ ଜଣେ ଗୁରୁତରଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖଲିସ୍ତାନୀ ସମର୍ଥକ ଅମୃତପାଲଙ୍କୁ କଙ୍ଗନାଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ବିବାଦରେ ‘ଓ୍ବାରିସ ପଞ୍ଜାବ ଦେ’ ମୁଖ୍ୟ ତଥା ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ । ଅମୃତସର ଅଜନାଲ ଥାନା ଆକ୍ରମଣ ପରେ ଅମୃତପାଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ବଲିଉଡ ଷ୍ଟାର୍ କଙ୍ଗନା ରାଣାଓ୍ବତ ଖାଲିସ୍ତାନୀ ପ୍ରସଙ୍ଗରେ ତର୍କ କରିବାକୁ ଅମୃତପାଲଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ଅମୃତପାଲଙ୍କୁ କଟାକ୍ଷ କରିବା ସହ କଙ୍ଗନା କହିଛନ୍ତି, ‘ଯଦି ଖଲିସ୍ତାନୀ ମୋତେ ଗୁଳି ମାରିବେନି, ତେବେ ଏହି ପ୍ରସଙ୍ଗରେ ତର୍କ କରିବାକୁ ମୁଁ ପ୍ରସ୍ତୁତ ।’

କଙ୍ଗନା ଟୁଇଟ କରି ଲେଖିଛନ୍ତି, ‘ମହାଭାରତରେ ପାଣ୍ଡବ ରାଜସୁୟା ଯଜ୍ଞ କରିଥିଲେ । ଅର୍ଜୁନ ନିଜେ ଚୀନ ପର୍ଯ୍ୟନ୍ତ ଯାଇ ସବୁ ରାଜାଙ୍କ ପାଖରୁ କର ଆଦାୟ କରିଥିଲେ । ତା’ପରେ ସମସ୍ତ ରାଜା ଯୁଧିଷ୍ଟିରଙ୍କୁ ସମ୍ରାଟ ଘୋଷଣା କରିଥିଲେ । ଯେଉଁ ଯୁଦ୍ଧ ହୋଇଥିଲା ତାକୁ ମହାଭାରତ କୁହାଯାଇଥାଏ । ଅମୃତପାଲ ମୋ ସହ ତର୍କ କରନ୍ତୁ ।’

ଆଗକୁ ସେ ଲେଖିଛନ୍ତି, ‘ଅମୃତପାଲ ଦେଶକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । କେହି ମୋ ସହ ବୌଦ୍ଧିକ ତର୍କ କଲେ ଖାଲିସ୍ତାନୀ ଦାବିକୁ ମୁଁ ପ୍ରମାଣିତ କରିଦେବି । ଯଦି ଖଲିସ୍ତାନୀ ମୋତେ ମାରପିଟ କରିବେନି, ଆକ୍ରମଣ କରିବେନି କି ଗୁଳି ମାରିବେନି ତେବେ ମୁଁ ତର୍କ କରିବାକୁ ପ୍ରସ୍ତୁତ ଅଛି ।’

ସୂଚନାଯୋଗ୍ୟ, ଦୁଇବର୍ଷ ପୂର୍ବେ କୃଷି ବିଲ ବିରୋଧକାରୀଙ୍କୁ କଙ୍ଗନା ଆତଙ୍କବାଦୀ ଓ ଖଲିସ୍ତାନୀ କହିଥିଲେ । କଙ୍ଗନାଙ୍କ ଏହି ପୋଷ୍ଟ ସେତେବେଳେ ବିବାଦର କେନ୍ଦ୍ର ପାଲଟିଥିଲା । ଏପରିକି ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହି ବିବାଦ ପରେ କଙ୍ଗନା ଯେବେ ପଞ୍ଜବ ଯାଇଥିଲେ, ସେତେବେଳେ କୃଷକମାନେ ତାଙ୍କ କାରକୁ ଘେରି ଯାଇଥିଲେ ।

ଅଜନାଲ ପୋଲିସ ଷ୍ଟେସନରେ ଆକ୍ରମଣ ପରେ ଦୁଇ ବର୍ଷ ପୂର୍ବର କଥା କଙ୍ଗନା ମନେ ପକାଇଛନ୍ତି । ଥାନା ଆକ୍ରମଣ ଘଟଣାକୁ ନେଇ ପଞ୍ଜାବ ପୋଲିସ, ଖଲିସ୍ତାନୀ ସମର୍ଥକଙ୍କ ପ୍ରତି ନରମ ରହୁଥିବା ଅଭିଯୋଗ ହେଉଛି । ଏହାକୁ ନେଇ ପଞ୍ଜାବ ଡିଜିପି ପ୍ରତିକ୍ରିୟା ରଖିଛନ୍ତି । ପୋଲିସ ତଥ୍ୟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଅମୃତପାଲ ସିଂ ଓ ତାଙ୍କ ସମର୍ଥକଙ୍କୁ ଛଡ଼ାଯିବ ନାହିଁ ।

ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲ ହସ୍ତାନ୍ତରକୁ ବିରୋଧ: ମାର୍ଚ୍ଚ ୧ ରେ ରାଉରକେଲା ବନ୍ଦ

ରାଉରକେଲା: ରାଉରକେଲା ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଘରୋଇ ସଂସ୍ଥା ଆପୋଲୋକୁ ହସ୍ତାନ୍ତର ନିଷ୍ପତ୍ତି ପ୍ରତିବାଦରେ ମାର୍ଚ୍ଚ ୧ ତାରିଖରେ ରାଉରକେଲା ବନ୍ଦ ଡାକରା । ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ ଦିଆଯାଇଛି ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ।

୨୭ ଓ ୨୮ ତାରିଖରେ ସହରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଓ ପଦଯାତ୍ରା ଅନୁଷ୍ଠିତ ହେବ । ପରେ ମାର୍ଚ୍ଚ ୧ ତାରିଖ ବନ୍ଦ ପାଳନ କରାଯିବ । କେନ୍ଦ୍ର ସରକାର ୪ ଶହ କୋଟି ଟଙ୍କା ଖର୍ଚ୍ଚ କରି ରାଉରକେଲାରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ କରି ଏହାକୁ ସରକାରୀ ହସ୍ପିଟାଲ କରିବା ପରିବର୍ତ୍ତେ ଘରୋଇ ସଂସ୍ଥା ହାତରେ ଟେକି ଦେଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ।

ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଘରୋଇ ହସ୍ପିଟାଲକୁ ନଦେଇ ଏମ୍ସ ହସ୍ପିଟାଲ କରିବା ପାଇଁ ଦାବି ହୋଇଛି । ରାଉରକେଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବା ଅଭିଯୋଗ ହୋଇଛି । ରାଉରକେଲା ଇସ୍ପାତ ଟ୍ରଷ୍ଟ ଏବଂ ଆପୋଲୋ ହସ୍ପିଟାଲ ଏଣ୍ଟରପ୍ରାଇଜ ଲିମିଟେଡ ମଧ୍ୟରେ ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲର ପରିଚାଳନା ଓ ପ୍ରବନ୍ଧନ ପାଇଁ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ହସ୍ପିଟାଲକୁ  ୨୦୨୩ ଫେବୃଆରୀ ୧ ତାରିଖ ଠାରୁ ହସ୍ତାନ୍ତର କରାଯିବା ସହ ଅପରେସନ୍ ଏବଂ ରକ୍ଷଣାବେକ୍ଷଣର ସମ୍ପୂର୍ଣ୍ଣ କାର୍ଯ୍ୟ ୨୦୨୩ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ ବୋଲି ଚୁକ୍ତିନାମାରେ ଉଲ୍ଲେଖ ରହିଛି ।

ପୁନର୍ଗଠିତ ହେଲା ବିଜେଡି ଆଇନ ସାମ୍ମୁଖ୍ୟ, ରାଜ୍ୟ ସଭାପତି ହେଲେ ମିଲନ କାନୁନଗୋ

ଭୁବନେଶ୍ୱର: ପୁନର୍ଗଠିତ ହେଲା ବିଜେଡି ଆଇନ ସାମ୍ମୁଖ୍ୟ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଲିଗାଲ ଫ୍ରଣ୍ଟ ଗଠିତ ହୋଇଛି । ବିଜେଡି ଆଇନ ସାମ୍ମୁଖ୍ୟ ରାଜ୍ୟ ସଭାପତି ହୋଇଛନ୍ତି ମିଲନ କାନୁନଗୋ । ସେହିପରି ଶୁଭ୍ରାଂଶୁ ଶେଖର ମହାନ୍ତି ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ମନୋଜ ବର୍ମାଙ୍କୁ ରାଜ୍ୟ ସଂଯୋଜକ ଦାୟିତ୍ୱ ମିଳିଥିବାବେଳେ ୪ ଜଣ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି । ସିତାଂଶୁ ଦ୍ୱିବେଦୀ, ହରଜିନ୍ଦର ସିଂ, ଆର୍ତ୍ତତ୍ରାଣ ମିଶ୍ର ଓ ଗଗନ ଚନ୍ଦ୍ର ମେହେର ଉପଦେଷ୍ଟା ଭାବେ ଦାୟିତ୍ବ ପାଇଛନ୍ତି ।

ସେହିପରି ସଞ୍ଜୟ କୁମାର ଦାସ, ଜନ୍ମେଞ୍ଜୟ କାଟିକିଆ, ରବି ନାୟକ, ଅରୂପାନନ୍ଦ ଦାସ ଆଞ୍ଚଳିକ ସଂଯୋଜକ ଭାବେ ନିଯୁକ୍ତ ହୋଇଛନ୍ତି । ୭ ଜଣ ନେତାଙ୍କୁ ଉପସଭାପତି ଦାୟିତ୍ୱ ମିଳିଥିବାବେଳେ ୩୨ ଜଣ ନେତାଙ୍କୁ ଜିଲ୍ଲା କମିଟି ସଭାପତି ଦାୟିତ୍ୱ ଦିଆଯାଇଛି । ଲିଗାଲ ଫ୍ରଣ୍ଟ ପୁନର୍ଗଠନ ନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ।

 

ମାଲକାନଗିରି ଓ କଳାହାଣ୍ଡି ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ, ମାଲକାନଗିରି ବିମାନ ବନ୍ଦର ନିର୍ମାଣ କାମର କଲେ ସମୀକ୍ଷା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗସ୍ତରେ ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ସାଥିରେ ଅଛନ୍ତି ପ୍ରିନ୍ସିପାଲ ସେକ୍ରେଟାରୀ ଉଷା ପାଢ଼ୀ । ହେଲିକେପ୍ଟର ଯୋଗେ ଏମଭି-୩ ବିଏସଏଫ କ୍ୟାମ୍ପଠାରେ ପହଞ୍ଚିବା ପରେ ସେଠାରୁ ସିଧା ଯାଇଥିଲେ ମାଲକାନଗିରି ଜିଲ୍ଲାରେ ନିର୍ମାଣ ହେଉଥିବା ଏୟାରପୋର୍ଟ ଫିଲ୍ଡ । ଜିଲ୍ଲାପାଳ ଓ ବିଭାଗୀୟ ଯନ୍ତ୍ରୀଙ୍କ ସହ କାର୍ଯ୍ୟର ଅଗ୍ରଗତି ବିଷୟରେ ଆଲୋଚନା କରିବା ସହ ନିଜେ ଗ୍ରାଉଣ୍ଡରେ ବୁଲି ଦେଖିଥିଲେ । ଡିସେମ୍ବର ଶେଷ ସୁଦ୍ଧା ମାଲକାନଗିରି ଏୟାରପୋର୍ଟ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ ଟୁକୁନି ସାହୁ ଓ ସଚିବ ଉଷା ପାଢ଼ୀ କହିଛନ୍ତି ।

ସେହିପରି ଆସନ୍ତା ମାର୍ଚ୍ଚରୁ କଳାହାଣ୍ଡିର ଉତ୍କେଲାରୁ ଉଡ଼ିବ ବିମାନ । ରାଜ୍ୟ ସରକାରଙ୍କ ପ୍ରୟାସ ସଫଳ ହୋଇଥିବା ବେଳେ, ଆନ୍ତଃରାଜ୍ୟ ଓ ଆନ୍ତଃଜିଲ୍ଲା ବିମାନ ଉଡ଼ାଣକୁ ଅଗ୍ରାଧିକାର ଦେଉଛନ୍ତି ରାଜ୍ୟ ସରକାର । ଆସନ୍ତା ମାର୍ଚ୍ଚ ସୁଦ୍ଧା କଳାହାଣ୍ଡି ଉତ୍କେଲା ବିମାନବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ ହେବାର ସମ୍ଭାବନାକୁ ନେଇ ଆଜି ଅପରାହ୍ନରେ ମନ୍ତ୍ରୀ ଟୁକୁନି ସାହୁ ଓ ଉଷା ପାଢ଼ୀ ଉତ୍କେଲା ବିମାନ ବନ୍ଦର ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ ।

ପୁଣି ଦିଲ୍ଲୀ ମହାନଗର ନିଗମରେ ଅଚଳାବସ୍ଥା, ଷ୍ଟାଣ୍ଡିଂ କମିଟି ନିର୍ବାଚନ ଉପରେ ସ୍ଥଗିତାଦେଶ ଜାରି କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ମହାନଗର ନିଗମରେ ଅଚଳାବସ୍ଥା । ଷ୍ଟାଣ୍ଡିଂ କମିଟି ନିର୍ବାଚନ ଉପରେ ସ୍ଥଗିତାଦେଶ ଜାରି କଲେ ଦିଲ୍ଲୀ ହାଇକୋର୍ଟ । ଷ୍ଟାଣ୍ଡିଂ କମିଟି ଭୋଟ ଗଣତି ବେଳେ ଏକ ଭୋଟକୁ ମେୟର ଶେଲୀ ଓବରୟ ରଦ୍ଦ କରିବାକୁ ନେଇ ଉପୁଜିଥିଲା ଅଚଳାବସ୍ଥା । ଏହାକୁ ନେଇ ଉଭୟ ଆପ୍ ଓ ବିଜେପି କାଉନସିଲରଙ୍କ ମଧ୍ୟରେ ଗୃହ ଭିତରେ ସଂଘର୍ଷ ଘଟିଥିଲା । ଏପରିକି ମୁଥ ମରାମରି, ଚାପୁଡା ମରାମରି ପରି ଅଭାବନୀୟ କାଣ୍ଡ ଘଟିଥିଲା । ଆସନ୍ତା ସୋମବାର ପୁନଃ ନିର୍ବାଚନ କରିବାକୁ ମେୟର କରିଥିଲେ ଘୋଷଣା । ଏହି ନିଷ୍ପତ୍ତି ପ୍ରତିବାଦରେ ବିଜେପି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ।

ନିର୍ବାଚନର ଭୋଟ ଗଣତି ନ ସରୁଣୁ ପୁଣି ଥରେ ନିର୍ବାଚନ କରିବା ଲାଗି ମେୟର ନିଷ୍ପତ୍ତି ନେବାର ନିୟମ ନାହିଁ ବୋଲି କହିଛନ୍ତି କୋର୍ଟ । ଏନେଇ ମେୟର, ଏଲଜି ଓ ଏମସିଡିକୁ ନୋଟିସ ଦେଇଛନ୍ତି କୋର୍ଟ । ନିର୍ବାଚନରେ ୨୫୦ କାଉନସିଲରଙ୍କ ମଧ୍ୟରୁ ୨୪୨ ସଦସ୍ୟ ଭୋଟ ଦେଇଥିଲେ । ଆପ ପକ୍ଷରୁ ଆମିଲ ମାଲିକ, ରାମିନ୍ଦର କୌର, ମୋହିନୀ ଜେନଓ୍ବାଲ ଓ ସାରିକା ଚୌଧୁରୀ ପ୍ରାର୍ଥୀ ହେଇଛନ୍ତି । ସେହିପରି ବିଜେପି ପକ୍ଷରୁ କମଲଜିତ ସେରାଓ୍ବତ, ପଙ୍କଜ ଲୁଥ୍ରା ଓ ଆପରୁ ଯାଇ ବିଜେପିରେ ମିଶିଥିବା ଗଜେନ୍ଦ୍ର ସିଂ ଦାରାଲ । ବିଜେପିର ଆକଳନ ଅନୁସାରେ ଯଦି ଗୋଟିଏ ଭୋଟକୁ ରଦ୍ଦ କରିଦିଆଯାଏ ତେବେ ଆପ୍ ପ୍ରାର୍ଥୀ ଜିତିବା ସମ୍ଭାବନା ରହିଛି ।

ଶିକ୍ଷକ ଅଭାବ ଦୂର କରିବ ଶିକ୍ଷା ବଜେଟ, ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର

ଭୁବନେଶ୍ୱର: ରାଜ୍ୟ ବଜେଟରେ ସମାଧାନ ହେବ ଶିକ୍ଷକ ଅଭାବ ସମସ୍ୟା । ହାଇସ୍କୁଲରେ ନିଯୁକ୍ତି କରାଯିବ ଶିକ୍ଷକ । ଖୁବଶୀଘ୍ର ପ୍ରାଥମିକ ସ୍କୁଲରେ ବ୍ୟାପକ ଶିକ୍ଷକ ନିଯୁକ୍ତି କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇବେ । ପର୍ଯ୍ୟାୟକ୍ରମ ଏହି ଆକାର ୪୦ ହଜାରରେ ପହଞ୍ଚିବାର ସମ୍ଭାବନା ରହିଛି । ଏବେ ପ୍ରାଥମିକ ଓ ମାଧ୍ୟମିକ ସରକାରୀ ସ୍କୁଲରେ ୧ ଲକ୍ଷ ୫୭ ହଜାର ୪୩ ଜଣ ନିୟମିତ ଓ ୩୦ ହଜାର ୫୨୬ ଜଣ ଅସ୍ଥାୟୀ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଶିକ୍ଷକମାନଙ୍କ ପ୍ରଦର୍ଶନ ଉପରେ ବି ନଜର ରହିଛି । ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପାଇଁ ବ୍ୟୟ ବରାଦ ହୋଇଥିବା ୧୩୯ କୋଟି ଟଙ୍କାରେ ସ୍କୁଲ, ଶିକ୍ଷକ, ଛାତ୍ରଛାତ୍ରୀଙ୍କ ସମେତ ଡିଇଓ ଓ ବିଇଓଙ୍କ ପ୍ରଦର୍ଶନକୁ ପରଖିବେ ରାଜ୍ୟ ସରକାର । ପ୍ରତି ବ୍ଲକର ଶ୍ରେଷ୍ଠ ତିନୋଟି ସ୍କୁଲ ପୁରସ୍କୃତ ହେବେ । ଯାହାକୁ ଶିକ୍ଷକ ମହଲରେ ସ୍ୱାଗତ କରାଯାଇଛି ।

ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ବଜେଟ ପ୍ରସ୍ତୁତ କରାଯାଇଛି । ସରକାରୀ ସ୍କୁଲରେ ସଂପୂର୍ଣ୍ଣ ଭାବେ ମାଗଣା ପୋଷାକର ବ୍ୟବସ୍ଥା ହୋଇଛି । ଏଣିକି ନବମ ଓ ଦଶମ ଛାତ୍ରଛାତ୍ରୀ ବି ପାଇବେ ମାଗଣା ୟୁନିଫର୍ମ । ଏଥିସହ ଘରୋଇ ସ୍କୁଲ ପରି ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଶିକ୍ଷକମାନଙ୍କ ଶିକ୍ଷାଦାନର ମନିଟରିଂ ପାଇଁ ନୋଟ୍ ବୁକ୍ ମିଳିବ । ସୂଚନା ଅନୁସାରେ ଚଳିତ ବଜେଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୨ ହଜାର ୫୨୭ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ମୋ ସ୍କୁଲ ଅଭିଯାନ ପାଇଁ ୮୦୫ କୋଟି ସହ ସମୁଦାୟ ବ୍ୟୟବରାଦ ୨୩ ହଜାର ୩୩୨ କୋଟି ୯୫ ଲକ୍ଷ ଟଙ୍କାରେ ପହଞ୍ଚିଛି ।

ଯୋଗୀ ରାଜରେ ଅସୁରକ୍ଷିତ ଉତ୍ତରପ୍ରଦେଶ, ୨୦୦୫ ବିଧାୟକ ହତ୍ୟା ଘଟଣାରେ ମୁଖ୍ୟ ସାକ୍ଷୀକୁ ଦିନ ଦିପହରେ ହତ୍ୟା

ଲକ୍ଷ୍ନୌ: ଯୋଗୀ ରାଜ୍ୟରେ ଚାଞ୍ଚଲ୍ୟ । ଦିନ ଦିପହରେ ମର୍ଡର । ୨୦୦୫ରେ ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପଲଙ୍କ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପଲଙ୍କୁ ପ୍ରୟାଗରାଜରେ ହତ୍ୟା । ଫିଲ୍ମ ଷ୍ଟାଇଲରେ ଗୁଳି ମାଡ଼ ପରେ ବୋମାମାଡ଼ କଲେ ଅପରାଧୀ । ଏମିତି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ମଧ୍ୟରେ ବାକ ଯୁଦ୍ଧ ହୋଇଥିଲା । ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ସମାଜବାଦୀ ପାର୍ଟିକୁ ମାଫିଆ ବୋଲି କହିଥିଲେ । ଏଥିସହ ସେମାନଙ୍କୁ ମାଟିରେ ମିଶାଇ ଦେବି ବୋଲି କହିଛନ୍ତି ଯୋଗୀ । ଉମେଶ ପଲଙ୍କୁ ଗତକାଲି ପ୍ରୟାଗରାଜସ୍ଥିତ ଘରେ ବୋମା ମାଡ଼ କରି ହତ୍ୟା କରାଯାଇଛି । ଏହି ସମୟରେ ଗୁଳି ବିନିମୟରେ ଜଣେ ଅଭିଯୁକ୍ତର ମଧ୍ୟ ମୃତ୍ୟୁ ହୋଇଛି । ପୂର୍ବତନ ସାଂସଦ ଅଟିକ୍ ଅହମ୍ମଦଙ୍କ ସାନଭାଇ ଖଲିଦ ଆଜିମଙ୍କୁ ପରାସ୍ତ କରି ନିର୍ବାଚନରେ ଆହ୍ଲାବାଦ ବିଧାନସଭା ଆସନ ଜିତିବାର କିଛି ମାସ ପରେ ରାଜୁ ପଲଙ୍କୁ ହତ୍ୟା କରାଯାଇଥିଲା ।

ରାଜୁ ପଲ ହତ୍ୟା ମାମଲାରେ ଅଟିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ତଥା ପୂର୍ବତନ ବିଧାୟକ ଆଶରଫ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି । ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ଜେଲରେ ଅଛନ୍ତି । ପୋଲିସର ଅନୁସାରେ, ଆକ୍ରମଣକାରୀମାନେ କ୍ରମାଗତ ଭାବେ ଉମେଶ ପଲଙ୍କ କାରକୁ ପିଛା କରିଥିଲେ । ସେମାନଙ୍କ ବ୍ୟାଗରେ ବୋମା ଆଣିଥିଲେ । ଗୋଟିଏ ଭିଡିଓ କ୍ଲିପ୍‌ରେ ଜଣେ ଅଭିଯୁକ୍ତ ତାଙ୍କ ବ୍ୟାଗରୁ ବୋମା ବାହାର କରି ଉମେଶ ପଲଙ୍କୁ ଫିଙ୍ଗିବାର ନଜର ଆସିଛି । ଆଜି ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ଯୋରଦାର ହଙ୍ଗାମା ହୋଇଥିଲା । ନିଜ ରାଜ୍ୟରେ ବି କେହି ସୁରକ୍ଷିତ ନାହାନ୍ତି ବୋଲି ଅଖିଳେଶ ଯାଦବ କହିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ସମାଜବାଦୀ ପାର୍ଟି ଅପରାଧୀମାନଙ୍କୁ ପ୍ରୋତ୍ସାହିତ କରୁଛି । ସେମାନଙ୍କୁ ଫୁଲମାଳ ସହିତ ସ୍ୱାଗତ କରୁଛି ।