ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଓ ଅଫଜାଲ ଦୋଷୀ ସାବ୍ୟସ୍ତ, ମୁଖତାରଙ୍କୁ ୧୦ ବର୍ଷ ଜେଲଦଣ୍ଡାଦେଶ

ଲକ୍ଷ୍ନୌ: ବାନ୍ଦା ଜେଲରେ ବନ୍ଦୀ ଗ୍ୟାଙ୍ଗଷ୍ଟରରୁ ରାଜନେତା ହୋଇଥିବା ପୂର୍ବତନ ବିଧାୟକ ମୁଖତାର ଅଂସାରୀଙ୍କୁ ଗ୍ୟାଙ୍ଗଷ୍ଟର ମାମଲାରେ ୧୦ ବର୍ଷର ଜେଲଦଣ୍ଡ ହୋଇଛି । ଏଥିସହିତ ମୁଖତାରଙ୍କ ଉପରେ ପାଞ୍ଚ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି । ବିଏସପି ସାଂସଦ ଅଫଜାଲ ଅଂସାରୀଙ୍କୁ ମଧ୍ୟ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଏବଂ ଅଫଜାଲଙ୍କୁ ୪ ବର୍ଷର ଜେଲଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟଯ । ପ୍ରକାଶ ଥାଉକି ଗାଜିପୁରର ଉପର ସେସନ ନ୍ୟାୟାଧୀଶ ପ୍ରଥମ/ଏମପି ଏମଏଲଏ କୋର୍ଟ ଦୁର୍ଗେଶ କୁମାରଙ୍କ କୋର୍ଟ ଏହି ମାମଲାରେ ୧ ଏପ୍ରିଲରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।

ରାୟକୁ ଦୃଷ୍ଟିରେ ରଖି ଆଜି ସକାଳେ ଗାଜିପୁର କୋର୍ଟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହି ମାମଲାରେ ସାଂସଦ ଅଫଜାଲ ଅଂସାରୀଙ୍କୁ ଦୁଇ ବର୍ଷରୁ ଅଧିକ ଦଣ୍ଡ ମିଳିଥିବାରୁ ତାଙ୍କର ସଂସଦ ସଦସ୍ୟତା ରଦ୍ଦ ହୋଇଯିବ । ପ୍ରକାଶ ଥାଉକି ମୁଖତାର ଅଂସରୀ ଏବଂ ଅଫଜାଲ ଅଂସାରୀଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟରର ଏହି ମାମଲାରେ କରଣ୍ଡା ଥାନା ଏବଂ ମୁହମ୍ମଦାବାଦ ଥାନାରେ ରୁଜୁ ଅପରାଧିକ ମକଦ୍ଦମା ଆଧାରରେ ବନାଯାଇଥିବା ଗ୍ୟାଙ୍ଗଚାର୍ଟ ଉପରେ ଆଧାରିତ ।

ଗ୍ୟାଙ୍ଗଚାର୍ଟରେ ଅଫଜାଲଙ୍କ ନାଁରେ କୃଷ୍ଣାନନ୍ଦ ରାୟ ହତ୍ୟାକାଣ୍ଡ ମାମଲା ରହିଛି ଯେତବେଳେ କି ମୁଖତାରଙ୍କ ବିରୋଧରେ ଏହି ମାମଲା ବ୍ୟତୀତ ରୁଙ୍ଗଟା ଅପହରଣ ଏବଂ ହତ୍ୟାକାଣ୍ଡର ମଧ୍ୟ ମାମଲା ରହିଛି । ଶନିବାର ଦଣ୍ଡ ଶୁଣାଇବା ପାଇଁ ବିଏସପି ସାଂସଦ ଅଫଜାଲ ଅଂସାରୀ କାଠଗଡ଼ାରେ ହାଜର ହୋଇଥିଲେ । ସେହିପରି ମୁଖତାର ବାନ୍ଦା ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଥିଲେ । ୟୁପିର ବହୁ ଚର୍ଚ୍ଚିତ କୃଷ୍ଣାନନ୍ଦ ରାୟ ହତ୍ୟାକାଣ୍ଡ ପରେ ମୁଖତାର ଅଂସାରୀ ଏବଂ ଅଫଜାଲ ଅଂସାରୀଙ୍କ ଉପରେ ମାମଲା ରୁଜୁ ହୋଇଥିଲା ।