କୁସ୍ତିଯୋଦ୍ଧାଙ୍କୁ ଭେଟିଲେ କେଜରିୱାଲ, କହିଲେ ଭୁଲ୍ କାମ କରୁଥିବା ଲୋକଙ୍କୁ ମିଳୁ ଫାଶୀଦଣ୍ଡ

1 min read

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ମୁଖିଆ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଜନ୍ତର-ମନ୍ତରରେ ଧାରଣା ପ୍ରଦର୍ଶନ ଜାରି ରଖିଛନ୍ତି । ଏହାରି ମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନେତା ଓ ବିଶିଷ୍ଟ ବ୍ୟକ୍ତିମାନେ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କୁ ଭେଟୁଛନ୍ତି ଏବଂ ସମର୍ଥନ ଦେଉଛନ୍ତି ।  ଆଜି ସକାଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଭଦ୍ରା ଗାନ୍ଧି କୁସ୍ତିଯୋଦ୍ଧାମାନଙ୍କୁ ଭେଟିଥିଲେ । ଏବଂ ବ୍ରିଜଭୂଷଣଙ୍କୁ ପଦରୁ ହଟାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ତେବେ ଅପରାହ୍ନରେ ଆମ ଆଦମୀ ପାର୍ଟିର ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କୁସ୍ତିଯୋଦ୍ଧାଙ୍କୁ ଭେଟିବାକୁ ଶନିବାର ଦିଲ୍ଲୀର ଜନ୍ତରମନ୍ତରରେ ପହଞ୍ଚିଥିଲେ ।

ଜନ୍ତର ମନ୍ତରରୁ ମୁଖ୍ୟମନ୍ତ୍ରୀ କେଜରିୱାଲ କୁସ୍ତିଯୋଦ୍ଧାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ସେ କହିଛନ୍ତି ଯେ, ଦେଶର ନାଁ ଉଜ୍ଜ୍ୱଳ କରିଥିବା କୁସ୍ତିଯୋଦ୍ଧାମାନେ ସମସ୍ୟାରେ ରହିଛନ୍ତି । ଏଥିସହିତ ସେ କହିଥିଲେ ଭୁଲ୍ କାମ କରୁଥିବା ଲୋକଙ୍କୁ ଫାଶୀଦଣ୍ଡ ଆବଶ୍ୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି ଯେ, ଗୋଟେ ଏଫଆଇଆର ପାଇଁ କୁସ୍ତିଯୋଦ୍ଧାଙ୍କୁ ସୁପ୍ରିମକୋର୍ଟ ଯିବାକୁ ପଡ଼ିଲା । ଯେଉଁ ଭାରତୀୟ ଲୋକମାନେ ଭାରତକୁ ଭଲ ପାଉଛନ୍ତି, ମୁଁ ଅପିଲ କରୁଛି ଛୁଟି ନେଇ ଏଠାକୁ ଆସନ୍ତୁ, ଏମାନଙ୍କୁ ସମର୍ଥନ ଦିଅନ୍ତୁ । ଯିଏ ବି ଭାରତ ସହ ଛିଡା ଅଛନ୍ତି ସେମାନେ କୁସ୍ତିଯୋଦ୍ଧାଙ୍କ ସହ ଅଛନ୍ତି ବୋଲି କହିଛନ୍ତି ଅରବିନ୍ଦ କେଜରିୱାଲ ।