ଶିକ୍ଷକ ନିଯୁକ୍ତି ଘୋଟାଲା ପ୍ରସଙ୍ଗ: ମୁଣ୍ଡ ନୁଆଁଇଲେ କଲିକତା ହାଇକୋର୍ଟ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ

1 min read

କୋଲକାତା: ବହୁଚର୍ଚ୍ଚିତ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା ପ୍ରସଙ୍ଗ । ଶେଷରେ ମୁଣ୍ଡ ନୁଆଁଇଛନ୍ତି କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ । ଦୁର୍ନୀତି ପ୍ରସଙ୍ଗରେ ଟିଏମସି ନେତା ଅଭିଷେକ ବାନାର୍ଜୀ ଓ ଅଭିଯୁକ୍ତ କୁନ୍ତଳ ଘୋଷଙ୍କୁ ଜେରା ଲାଗି ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଥିଲେ ବିଚାରପତି ଗଙ୍ଗୋପାଧ୍ୟାୟ । ଏହା ସହ ବିନା ଅନୁମତିରେ ଦୁଇ ସଂସ୍ଥାର କୌଣସି ଅଧିକାରୀଙ୍କ ବିରୋଧରେ FIR ରୁଜୁ ନ କରିବାକୁ ବି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଅଭିଷେକ ଅଭିଯୋଗ କରିଥିଲେ- ତାଙ୍କୁ ଫସାଇବା ଲାଗି କୁନ୍ତଳଙ୍କ ଉପରେ ତଦନ୍ତକାରୀ ସଂସ୍ଥା ଚାପ ପକାଉଛନ୍ତି । କୁନ୍ତଳ ବି କରିଥିଲେ ସମରଣର ଅଭିଯୋଗ । ଗତ ଏପ୍ରିଲ ୧୭ ତାରିଖରେ ଅଭିଷେକ ବାନାର୍ଜୀଙ୍କୁ ଜେରା ଲାଗି ସିବିଆଇ ଓ ଇଡିକୁ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା ଉପରେ ସ୍ଥଗିତାଦେଶ ଜାରି କରିଥିଲେ ସୁପ୍ରିମକୋର୍ଟ ।

ଗତ ୨୪ ତାରିଖରେ ଅଭିଷେକଙ୍କ ଆବେଦନର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ ଏବଂ ଶିକ୍ଷକ ଚୟନ ଦୁର୍ନୀତି ସମ୍ପର୍କରେ ଏକ ନ୍ୟୁଜ ଚାନେଲକୁ ଜଷ୍ଟିସ ଗଙ୍ଗୋପାଧ୍ୟାୟ ଦେଇଥିବା ସାକ୍ଷାତକାର ସମ୍ପର୍କରେ ଯାଞ୍ଚ କରି ରିପୋର୍ଟ ଦେବା ଲାଗି କଲିକତା ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଗତ ୨୮ରେ ଦୁର୍ନୀତି ମାମଲାର ବିଚାର ଭାର ଅନ୍ୟ ଜଣେ ବିଚାରପତିଙ୍କୁ ଦେବାକୁ ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।  ସିଜେଆଇଙ୍କ ଏହି ନିର୍ଦ୍ଦେଶ ପରେ ଜଷ୍ଟିସ ଗଙ୍ଗୋପାଧ୍ୟାୟ ଏକ ଜୁଡିସିଆଲ ଅର୍ଡର ଜାରି କରିବା ସହ ସେ ଦେଇଥିବା ସାକ୍ଷାତକାରର କ୍ଲିପ ସମ୍ପର୍କରେ ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲଙ୍କଠାରୁ ସବିଶେଷ ତଥ୍ୟ ତଲବ କରିଥିଲେ ।

ସେପଟେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଏସ ବୋପାନ୍ନା ଓ ଜଷ୍ଟିସ ହିମା କୋଲି ଶୁକ୍ରବାର ରାତି ୮ଟାରେ ଏକ ଜରୁରୀ ଆଦେଶନାମା ଜାରି କରି ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିଥିଲେ । ଖଣ୍ଡପୀଠ କହିଥିଲେ- ଗଙ୍ଗୋପାଧ୍ୟାୟଙ୍କ ଏହି ନିର୍ଦ୍ଦେଶ ବିଚାର ବିଭାଗୀୟ ଶୃଙ୍ଖଳାର ପରିପନ୍ଥୀ । ଶେଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନିବା ଲାଗି ସହମତି ପ୍ରକାଶ କରିଥିଲେ ଜଷ୍ଟିସ ଗଙ୍ଗୋପାଧ୍ୟାୟ ।