ଏନସିଆରବିର ଚାଞ୍ଚଲ୍ୟକର ତଥ୍ୟ : ୫ବର୍ଷରେ ୪୦ହଜାର ମହିଳା ନିଖୋଜ

ଗାନ୍ଧିନଗର : ୫ବର୍ଷରେ ୪୦ହଜାର ମହିଳା ନିଖୋଜ । ୫ ବର୍ଷ ମଧ୍ୟରେ ଗୁଜୁରାଟରେ ୪୦ ହଜାରରୁ ଅଧିକ ମହିଳା ନିଖୋଜ ହୋଇଯିବା ଭଳି ଏକ ସ୍ପର୍ଶକାତର ବିଷୟ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଏନସିଆରବି ପ୍ରକାଶ କରିଛି । ଏହି ସଂସ୍ଥା ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୧୬ରେ ଏହି ରାଜ୍ୟରୁ ୭୧୦୫ ମହିଳା ନିଖୋଜ ହୋଇଯାଇଥିଲଲା ବେଳେ ୨୦୧୭ରେ ଏହି ସଂଖ୍ୟା ୭୭୧୨କୁ ବୃଦ୍ଧି ପାଇଥିଲା ।

ପରବର୍ତ୍ତୀ ବର୍ଷ ଗୁଡିକରେ ମଧ୍ୟ ଆହୁରି ଅଧିକ ମହିଳା ନିଖୋଜ ହୋଇଥି ଲେ । ୨୦୧୮ରେ ନିଖୋଜ ମହିଳାଙ୍କ ସଂଖ୍ୟା ୯୨୪୬କୁ ବୃଦ୍ଧି ପାଇବା ସହ ୨୦୧୯ରେ ୯୨୬୮ ଏବଂ ୨୦୨୦ରେ ଏହି ସଂଖ୍ୟା ୮୨୯୦ରେ ପହଞ୍ଚିଥିଲା । ତେବେ ୨୦୨୨ରେ ଏନସିଆରବି ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟ ଅନୁସାରେ କେବଳ ଗୁଜୁରାଟରେ ବିଗତ ୫ ବର୍ଷ ମଧ୍ୟରେ ମୋଟ ୪୧ହଜାର ୬୨୧ ଜଣ ମହିଳା ନିଖୋଜ ହୋଇଛନ୍ତି ।

ଦିନକୁ ଦିନ ଏହି ରାଜ୍ୟରେ ମହିଳା ନିଖୋଜ ହେବା ସଂଖ୍ୟା ବଢୁଥିଲେ ମଧ୍ୟ ଏହାକୁ ହତ୍ୟାଘଟଣା ଭଳି ଗୁରୁତ୍ବ ଦିଆଯାଇ ବିଚାର କରାଯାଉ ନାହିଁ ବୋଲି ରାଜ୍ୟ ମାନବାଧିକାର କମିସନ ସଦସ୍ୟ ସୁଧୀର ସିହ୍ନା କହିଛନ୍ତି ।କୌଣସି ବ୍ୟକ୍ତି ନିଖୋଜ ହେବା ମାମଲାକୁ ହତ୍ୟା ଘଟଣା ଭଳି ଗୁରୁତ୍ବ ଦେଇ ବିଚାରକୁ ନେବା ଉଚିତ୍‌ । ଅନେକ ସମୟରେ ନିଖୋଜ ଯୁବତୀଙ୍କୁ ଅନ୍ୟ ରାଜ୍ୟକୁ ପଠାଯାଇଥାଏ । ସେମାନଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରାଯାଏ । ଏହି ମାମଲା ହତ୍ୟାଠାରୁ ମଧ୍ୟ ଗୁରୁତର ।