ସମ୍ବଲପୁର : ରାୟପୁରରେ ଓଡ଼ିଶା-ଛତିଶଗଡ ମହାନଦୀ ଜଳ ବିବାଦର ସମାଧାନ କରିବ ଟ୍ରିବ୍ୟୁନାଲ ଟିମ୍ । ଏଥିରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏ.ଏମ୍ ଖାନୱିଲକରଙ୍କ ସମେତ ୩ ଜଣିଆ ଖଣ୍ଡପୀଠ, ଉଭୟ ରାଜ୍ୟର ବିଶେଷଜ୍ଞ, ଆଇନ ବିଷାରଦ ଓ ଜଳ ସଂପଦ ଅଧିକାରୀ ମୋଟ ୫୦ ଜଣ ସାମିଲ ହୋଇଛନ୍ତି । ଆଜି ଏହି ଟିମ୍ ମହାନଦୀର ଉତ୍ପତ୍ତିସ୍ଥଳ ସିହାୱାରୁ ସର୍ଭେ କରିବେ । ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରଥମ ପର୍ଯ୍ୟାୟ ସର୍ଭେରେ ଉପରମୁଣ୍ଡର ରବିଶଙ୍କର, ବଙ୍ଗୋଡ୍ୟାମ୍ ସମେତ ମହାନଦୀ ବେସିନର ମିନିମାତା ଡିଭିଜନ ଯାଏ ସମସ୍ତ ବ୍ୟାରେଜର ଅନୁଧ୍ୟାନ କରାଯିବ ।
ଅସହ୍ୟ ଗୁଳୁଗୁଳିରେ ଆଉଟୁ ପାଉଟୁ ସାରା ରାଜ୍ୟ , ୮ ଜିଲ୍ଲାକୁ ହିଟଓ୍ବେଭ ଓ୍ବାର୍ଣ୍ଣିଂ
ଭୁବନେଶ୍ବର : ଜଳୁଛି ସାରା ଓଡ଼ିଶା। ଅସହ୍ୟ ଗରମ ଗୁଳୁଗୁଳିରେ ଆଉଟୁ ପାଉଟୁ ସାରା ରାଜ୍ୟ । ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାର ପ୍ରକୋପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଛି । ଦିନର ତାପମାତ୍ରା ଯେତିକି ରହୁଛି ତାଠାରୁ ୬ରୁ ୭ଡିଗ୍ରୀ ତାପମାତ୍ରା ଅଧିକ ଅନୂଭୂତ ହେଉଛି ।
ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି। ଆସନ୍ତା କାଲି ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାର ୮ଜିଲ୍ଲାକୁ ହିଟଓ୍ବେଭ ୱାର୍ଣ୍ଣିଂ ଦିଆଯାଇଛି। ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର।
ଉପକୂଳ ଓଡିଶାରେ ତାପମାତ୍ରା ସହ ଉଚ୍ଚ ଆର୍ଦ୍ରତା ଯୋଗୁଁ ପ୍ରବଳ ଗୁଳୁଗୁଳି ହେଉଛି । ପିକ ଆୱାରରେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ୨୧ତାରିଖ ପରେ ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ୨୨ରୁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଗତକାଲି ୪୪.୨ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିଲା ଝାରସୁଗୁଡ଼ା ଓ ବାରିପଦା । ୨୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲାବେଳେ ୧୭ ସହରର ପାରଦ ୪୨ ଓ ୧୦ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା ।
ଶ୍ରୀଜିଉଙ୍କର ହେବ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ : ଆଜି ବୈଶାଖ-କୃଷ୍ଣ ଚତୁର୍ଦ୍ଦଶୀ ତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ନୀତି ପରେ ବନକଲାଗି ହେବେ ତିନିଠାକୁର । ଦତ୍ତମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ହରିତାଳ, ହିଙ୍ଗୁଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା, ନାଲି ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ବିଶେଷନୀତି ପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ନୀତି ସମାପ୍ତ ପରେ ଶ୍ରଦ୍ଧାଳୁ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିପାରିବେ ।
ଅନୈତିକ ସମ୍ପର୍କ ସନ୍ଦେହରେ ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
ବୌଦ୍ଧ: ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ । ଅନୈତିକ ସମ୍ପର୍କ ସନ୍ଦେହରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଗାଁ ପଞ୍ଚାୟତ ବଡ଼ ଭୁର୍ତ୍ତା ଗ୍ରାମରେ । ଗାଁର ଅଭୟ ନାୟକ ତା ସ୍ତ୍ରୀ କୌମତିକୁ ଅତି ନିର୍ମମ ଭବେ ହତ୍ୟା କରିଛି । ସ୍ତ୍ରୀ ଘରେ ଥିବାବେଳେ ହଟାତ୍ ମୁଣ୍ଡକୁ ଠେଙ୍ଗାରେ ଆକ୍ରମଣ କରିଥିଲା ଅଭୟ । ଚିତ୍କାର ଶୁଣି କୌମତିଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନେଇଥିଲେ ସ୍ଥାନୀୟ ଲୋକେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ହରଭଙ୍ଗା ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟାକାରୀ ସ୍ବାମୀ ଅଭୟକୁ ଗିରଫ କରିଛି ।
ସମ୍ବଲପୁରରେ ଶାନ୍ତି ଫେରୁଥିବା ବେଳେ ବିଜେପି ଅରାଜକତା ସୃଷ୍ଟି ପାଇଁ ଉଦ୍ୟମ କରୁଛି: ବିଜେଡି
ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଅରାଜକ କହି ବାରମ୍ବାର ଅପମାନିତ କରୁଥିବା ବିଜେପି ଏବେ ପୁଣିଥରେ ସମ୍ବଲପୁରରେ ହିଂସା ଓ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଆଜି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଯେତେବେଳେ ସମ୍ବଲପୁରରେ ଏକ ସ୍ପର୍ଶକାତର ଘଟଣା ଘଟିଛି ଏବଂ ଧୀରେ ଧୀରେ ଶାନ୍ତି ଫେରି ଆସୁଛି, ସେତିକି ବେଳେ ବିଜେପି ନେତାମାନେ ସମ୍ବଲପୁରରେ ପଶି ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି ।
ବିଜେପି ଶାସିତ ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏଭଳି ସ୍ପର୍ଶକାତର ଘଟଣା ଘଟିଲେ, ସରକାର କୌଣସି ରାଜନୈତିକ ଦଳର ପ୍ରତିନିଧି ଦଳକୁ ସେଠାକୁ ଯିବାକୁ ଅନୁମତି ଦିଅନ୍ତି ନାହିଁ । ଯେତେବେଳେ ଉତ୍ତରପ୍ରଦେଶର ହାଥରସ୍, ଲଖିମପୁର ଖେରିରେ ସ୍ପର୍ଶକାତର ଘଟଣା ଘଟିଥିଲା, ବିଜେପି ସରକାର ସେଠାକୁ କୌଣସି ଦଳର ଲୋକଙ୍କୁ ଛାଡ଼ିନଥିଲା । ନିଜ ଶାସିତ ରାଜ୍ୟରେ ବିଜେପି ଗୋଟିଏ ନୀତି ଆପଣାଉଥିବା ବେଳେ ଓଡ଼ିଶାରେ ବିଜେପି ନେତାମାନେ ଏଠି ନିଜ ପାଇଁ ଭିନ୍ନ ନୀତି ଆପଣାଉଛନ୍ତି ।
ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେମାନେ କେବଳ ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ସମ୍ବଲପୁର ଯାଇ ପୁନର୍ବାର ହିଂସାକୁ ଉସୁକାଇବାକୁ ଚେଷ୍ଟା କରୁଛନ୍ତି । ଶ୍ରୀ ବାବୁ ଆହୁରି କହିଛନ୍ତି ଯେ, ଶାନ୍ତିପ୍ରିୟ ଓଡ଼ିଶାବାସୀ ବିଜେପି ନେତାଙ୍କ ଏଭଳି ହୀନ ଉଦ୍ୟମକୁ ଦେଖୁଛନ୍ତି ଏବଂ ସେମାନଙ୍କ ଅସଲ ଉଦ୍ଦେଶ୍ୟ ବୁଝିଛନ୍ତି । ତେଣୁ ଆଗାମୀ ଦିନରେ ଓଡ଼ିଶାବାସୀ ବିଜେପିକୁ ଠିକଣା ଜବାବ ଦେବେ ।

