ଏକନାଥ ସିନ୍ଦେ ଓ ତାଙ୍କ ସରକାରଙ୍କୁ ଆଶ୍ବସ୍ତି ; ବିଧାୟକଙ୍କୁ ଅଯୋଗ୍ୟ ଘୋଷଣାକୁ ମନା କଲେ ସୁପ୍ରିମକୋର୍ଟ

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ବିବାଦ ପ୍ରସଙ୍ଗ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ସରକାରଙ୍କୁ ଆଶ୍ବସ୍ତି। ସିନ୍ଦେ ଓ ତାଙ୍କର ୧୫ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବେନି ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହା ସହ ଉଦ୍ଧବ ଠାକରେଙ୍କୁ ପୁଣି ସରକାରରେ ଅବସ୍ଥାପିତ କରିବା ଲାଗି କରାଯାଇଥିବା ଅନୁରୋଧକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ସଂଖ୍ୟା ଗରିଷ୍ଠତା ପ୍ରମାଣ ବଦଳରେ ଉଦ୍ଧବ ଇସ୍ତଫା ଦେଇଥିବାରୁ ତାଙ୍କ ଅନୁରୋଧକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି କହିଛନ୍ତି କୋର୍ଟ ।
ଆଜି ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାଜ୍ୟପାଳଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ । କହିଛନ୍ତି, ଉଦ୍ଧବ ଠାକରେ ସଂଖ୍ୟା ଗରିଷ୍ଠତା ହରାଇଥିବା ନେଇ ରାଜ୍ୟପାଳ ବିଚାର କରିବା ଥିଲା ତ୍ରୁଟିଯୁକ୍ତ । ଦଳ ଭିତରେ ଅନ୍ତଃକନ୍ଦଳକୁ ନେଇ ଫୋରଟେଷ୍ଟକୁ ବ୍ୟବହାର କରାଯାଇପାରିବ ନାହିଁ । ଅନ୍ୟପଟେ  ସିଜେଆଇ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କହିଛନ୍ତି, ଶିବସେନାର ସିନ୍ଦେ ଗୋଷ୍ଠୀର ଗୋଗାଓ୍ବାଲେଙ୍କୁ ହୁଇପ ଭାବେ ବାଚସ୍ପତି ନିଯୁକ୍ତି ଦେବା ଥିଲା ବେଆଇନ । ବିଧାୟକ ଗୋଗଓ୍ବାଲେଙ୍କୁ ହୁଇପ ଭାବେ ନିଯୁକ୍ତି ଦେବାର କୌଣସି ଯଥାର୍ଥତା ନଥିଲା । ରାଜନୈତିକ ଦଳ ଦ୍ବାରା ନିଯୁକ୍ତ ହୁଇପଙ୍କୁ ହିଁ ସ୍ବୀକୃତି ମିଳିବା ଯଥାର୍ଥ ।

ତେବେ ଆଗକୁ ମାମଲାର ଶୁଣାଣି କରିବେ ୭ ଜଣିଆ ବୃହତ୍ତର ଖଣ୍ଡପୀଠ । ସେପଟେ ବାଚସ୍ପତିଙ୍କ ଭୂମିକାକୁ ବୃହତ୍ତର ଖଣ୍ଡପୀଠକୁ ପଠାଇବା ଲାଗି ନିଷ୍ପତ୍ତି ନେଇଛନ୍ତି ଖଣ୍ଡପୀଠ । ସେପଟେ ଏହା ଏକ ନୈତିକ ବିଜୟ ବୋଲି କହିଛନ୍ତି ଶିବସେନା ନେତା ସଞ୍ଜୟ ରାଓ୍ୱତ । ଉଦ୍ଧବଙ୍କ ପକ୍ଷରୁ କପିଳ ସିବଲ, ଅଭିଷେକ ମନୁ ସିଙ୍ଘଭି, ଦେବଦତ୍ତ କମାତ ମାମଲା ପରିଚାଳନା କରୁଥିବାବେଳେ ସିନ୍ଦେଙ୍କ ଓକିଲ ଅଛନ୍ତି ଏନକେ କୌଲ, ମହେଶ ଜେଠମାଲାନି ଓ ମନିନ୍ଦର ସିଂ । ମହାରାଷ୍ଟ୍ର ରାଜ୍ୟପାଳଙ୍କ ଲାଗି ପ୍ରତିନିଧିତ୍ବ କରୁଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ।