ପାକିସ୍ତାନରେ ଲୁଟତରାଜ ; କମାଣ୍ଡରଙ୍କ ଘରେ ପଶି ଲୁଟି ନେଲେ ଖାଦ୍ୟ ସାମଗ୍ରୀ

ଲାହୋର: ଅସ୍ଥିରତା ଜର୍ଜରିତ ପାକିସ୍ତାନରେ ଲୁଟତରାଜ । ନାମୀଦାମୀ ଜିନିଷ ନୁହେଁ ବରଂ କେଉଁଠି ମୟୂର ଚୋରି କରାଯାଇଛି ତ କେଉଁଠି ମଟନ କୋର୍ମା ଲୁଟ କରୁଛନ୍ତି ଲୋକେ । ଦୁଇ ଦିନ ତଳେ ପାକିସ୍ତାନ ଲାହୋର ଅନ୍ତର୍ଗତ ଜଣେ କମାଣ୍ଡରଙ୍କ ଘରୁ ଲୋକେ କେତେକ ମୟୂରଙ୍କୁ ଚୋରାଇ ନେଇଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକେ ମଟନ କୋର୍ମା, ସସ୍, ସାଲାଡ ଆଦି ଚୋରାଇ ନେବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାର ଲାଗିଛି । ଏହାଛଡ଼ା ମସଲା, ଦହି, ଆଇସକ୍ରିମ, ମିଠା ଦହି ଆଦି ଲୁଟିବା ବି ଦେଖାଯାଉଛି । ଖାଦ୍ୟାଭାବରେ ଜର୍ଜରିତ ପାକିସ୍ତାନରେ ଲୋକେ ଅଟା ବୋହି ନେବାର ଦୃଶ୍ୟ କିଛି ଦିନ ତଳେ ଭାଇରାଲ ହୋଇଥିଲା ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆନ୍ଦୋଳନକାରୀ ମାନେ କମାଣ୍ଡରଙ୍କ ଘରେ ପଶି, ରୋଷେଇ ଘରେ ଥିବା ସମସ୍ତ ଜିନିଷ ଲୁଟି ନେଇଛନ୍ତି। ଘରର ସାମଗ୍ରୀ ଠାରୁ ଆରମ୍ଭ କରି ରନ୍ଧା ହୋଇଥିବା ଖାଦ୍ୟ ପର୍ଯ୍ୟନ୍ତ ସବୁକିଛି ଲୁଟି ନେଇଥିଲେ । ଜଣେ ବୟସ୍କ ବ୍ୟକ୍ତିଙ୍କ ହାତରେ ମଟନ କୋରମା, ଭେଣ୍ଡି ଥିବା ବେଳେ ଅନ୍ୟ ବ୍ୟକ୍ତିଙ୍କ ହାତରେ ଟମାଟୋ ସସ୍, ସାଲଡ୍, ଷ୍ଟବେରୀ, ଦହି, ମସଲା, ଆଇସକ୍ରିମ ଆଦି ଖାଦ୍ୟ ସାମଗ୍ରୀ ଥିବା ଦେଖିବାକୁ ମିଳିଛି । ଏମିତି କି ଘରେ ଥିବା ମୟୁର ଛୁଆକୁ ମଧ୍ୟ ଲୋକମାନେ ଛାଡିନାହାନ୍ତି। କିଛି ଏମିତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆକ୍ରୋଶିତ ଜନତାଙ୍କ ଏଭଳି କାଣ୍ଡ ଦେଖି ଆଗାମୀ ଦିନରେ ପାକିସ୍ତାନର ସ୍ଥିତି କିଭଳି ହେବ ଭଲ ଭାବରେ ବାରି ହେଉଛି ।

ସୂଚନା ଅନୁଯାୟୀ, ଅବସର ପ୍ରାପ୍ତ ମେଜର ଗୌରବ ଆର୍ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପାକିସ୍ତାନର ଏହି ଦୟନୀୟ ସ୍ଥିତିର ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓ ସେୟାର କରି ଲେଖିଛନ୍ତି, ଏହା ପାକିସ୍ତାନ ସଙ୍କଟର ସବୁଠାରୁ ପ୍ରତିଷ୍ଠିତ ଭିଡିଓ ହେବା ଉଚିତ୍ । ଆପଣଙ୍କୁ କହିରଖିବୁ କି ଶ୍ରୀଲଙ୍କାର ଉତ୍ତେଜିତ ଜନତା ରାଷ୍ଟ୍ରପତିଙ୍କ ବାସଭବନରେ ପଶିଯାଇଥିଲେ । କିଛି ଏମିତି ଘଟଣା ପାକିସ୍ତାନରେ ଘଟଥିବା ସାମ୍ନାକୁ ଆସିଥିଲା । ପୂର୍ବରୁ ସ୍ଥିତି ଗମ୍ଭିର ଥିବା ବେଳେ ବର୍ତ୍ତମାନ ଇମ୍ରାନ ଖାନଙ୍କୁ ନେଇ ପାକିସ୍ତାନ ଅଶାନ୍ତ ହେବାକୁ ଲାଗିଲାଣି । ଏହା ଶାହାବାଜ ସରକାରଙ୍କ ଚିନ୍ତା ବଢାଇବାରେ ଲାଗିଛି । ଆଗାମୀ ଦିନରେ ପାକିସ୍ତାନର ପରିସ୍ଥିତି କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।