ଆଜି ଶପଥ ନେବେ ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ

ଭୁବନେଶ୍ବର: ଆଜି ଶପଥ ନେବେ ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ । ଦୀପାଳିଙ୍କୁ ଶପଥପାଠ କରାଇବେ ଉପବାଚସ୍ପତି ରଜନୀକାନ୍ତ ସିଂ । ସକାଳ ୧୦ଟା ୪୫ରେ ଦୀପାଳି ଶପଥ ନେବା କାର୍ଯ୍ୟକ୍ରମ ରହିଛି । ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ ଦୀପାଳି ।

ଝାରସୁଗୁଡା ଲୋକଙ୍କ ପାଇଁ ସମର୍ପିତ ହୋଇ କାମ କରିବାକୁ ଦୀପାଳିଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡ଼ା ବିକାଶକୁ ଆଗେଇ ନେବା ସହ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି । ଦୀପାଳି କହିଛନ୍ତି ଏ ବିଜୟ ଝାରସୁଗୁଡାବାସୀଙ୍କର ଓ ମୁଖ୍ୟମନ୍ତ୍ରୀଙ୍କର । ଉପନିର୍ବାଚନ ପାଇଁ ସମସ୍ତେ ବହୁତ ପରିଶ୍ରମ କରିଛନ୍ତି । ବାପାଙ୍କ ସ୍ବପ୍ନ ଥିଲା ଝାରସୁଗୁଡାର ନୂତନ ନିର୍ମାଣ । ବାପାଙ୍କ ଦ୍ବାରା କରାଯାଇଥିବା ବିକାଶ କାର୍ଯ୍ୟ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ାବାସୀଙ୍କ ସ୍ବପ୍ନ ସାକାର କରିବି ବୋଲି ଦୀପାଳି କହିଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନରେ ୪୮ ହଜାର ୭୨୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ଦୀପାଳି ।