ଦିଲ୍ଲୀରେ ହେବ କର୍ଣ୍ଣାଟକ ଫୈସଲା, ୧୮ରେ ଶପଥ ନେଇପାରନ୍ତି ନୂଆ ସିଏମ୍

ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ କର୍ଣ୍ଣାଟକ ଫୈସଲା । ୧୭ ମେ’ ସୁଦ୍ଧା ହଟିବ ସସପେନ୍ସ । ୧୮ ତାରିଖରେ ଶପଥ ନେଇପାରନ୍ତି ନୂଆ ସିଏମ୍ । ନବ ନିର୍ବାଚିତ ବିଧାୟକଙ୍କ ସହ ଆଲୋଚନା ପରେ ଦିଲ୍ଲୀ ଫେରିଛନ୍ତି ତିନି ପର୍ଯ୍ୟବେକ୍ଷକ ।

ଆଜି ସନ୍ଧ୍ୟାରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପର୍ଯ୍ୟବେକ୍ଷକମାନେ ରିପୋର୍ଟ ପ୍ରଦାନ କରିବେ । ଡିକେ ଶିବକୁମାର ଓ ସିଦ୍ଧରମୈୟା ମଧ୍ୟ ଦିଲ୍ଲୀ ଡକାଯାଇଥିବା ଜଣାପଡ଼ିଛି । ନବ ନିର୍ବାଚିତ ବିଧାୟକମାନେ କାହାକୁ ସିଏମ କରିବାକୁ ଚାହୁଁଛନ୍ତି ସେ ନେଇ ପର୍ଯ୍ୟବେକ୍ଷକମାନେ ଭୋଟିଂ କରିଛନ୍ତି । ଦିଲ୍ଲୀରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ । ତେବେ ସିଦ୍ଧରେୈୟା ଓ ଡିକେ ଶିବକୁମାରଙ୍କ ସମର୍ଥକଙ୍କ ମଧ୍ୟରେ ଏବେ ସାମାନ୍ୟ ବିବାଦ ଦେଖିବାକୁ ମିଳିଛି ।

ଗୋଟିଏ ଗୋଷ୍ଠୀ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଥିବା ବେଳେ, ଆଉ ଗୋଟିଏ ଗୋଷ୍ଠୀ ଶିବକୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି । ବିଭିନ୍ନ ସ୍ଥାନରେ ସିଦ୍ଧରମୈୟା ଓ ଶିବକୁମାରଙ୍କ ସମର୍ଥନରେ ପୋଷ୍ଟର ଲାଗିଛି । ପୂର୍ବରୁ ପ୍ରଭାବଶାଳୀ ଭୋକାଲିଗା କମ୍ୟୁନିଟି ଶିବକୁମାରଙ୍କୁ ସମର୍ଥନ ଦେଇଥିବା ବେଳେ ଏବେ ଲିଙ୍ଗାୟତ ମଧ୍ୟ ପିସିସି ସଭାପତିଙ୍କ ପ୍ରତି ସମର୍ଥନ ଦେଇଛନ୍ତି । ସେପଟେ ଆଜି କେପିସିସି ସଭାପତି ଡି କେ ଶିବକୁମାରଙ୍କ ଜନ୍ମଦିନ ସେଲିବ୍ରେସନ ପାଇଁ ତାଙ୍କ ବାସଭବନରେ ସମର୍ଥକମାନେ ଜମା ହୋଇଛନ୍ତି ।