ବିଧାୟିକା ଭାବେ ଶପଥ ନେଲେ ଦୀପାଳି

ଭୁବନେଶ୍ବର: ବାପା ନବକିଶୋର ଦାସଙ୍କ ଜନ୍ମଦିନରେ ବିଧାୟିକା ଭାବେ ଶପଥ ନେଲେ ଝିଅ ଦୀପାଳି ଦାସ । ବିଧାନସଭାରେ ଦୀପାଳିଙ୍କୁ ଶପଥ ପାଠ କରାଇଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂ । ମାଆ ଓ ଭାଇଙ୍କ ସହ ବିଧାନସଭାକୁ ଯାଇଥିଲେ ଦୀପାଳି ।

ଶପଥଗ୍ରହଣ ସମୟରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ରିତା ସାହୁଙ୍କ ସମେତ ବହୁ ବିଜେଡି ବିଧାୟକ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ କାମ କରିବେ ବୋଲି ଦୀପାଳି କହିଛନ୍ତି । ଝାରସୁଗୁଡ଼ାବାସୀଙ୍କ ସେବା କରିବା ସହ ବାପାଙ୍କ ସ୍ବପ୍ନକୁ ପୂରଣ କରିବେ ବୋଲି କହିଛନ୍ତି ଦୀପାଳି ।

ହାର୍ଟ, କ୍ୟାନ୍ସର, ଓଭର ବ୍ରିଜ ଓ ମହିଳାଙ୍କ ବିକାଶ ଦିଗରେ କାର୍ଯ୍ୟ କରିବି ବୋଲି ଶପଥ ନେବା ପରେ କହିଛନ୍ତି ଦୀପାଳି । ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦୀପାଳି ଆଶୀର୍ବାଦ ନେଇଥିଲେ । ଝାରସୁଗୁଡ଼ା ଲୋକଙ୍କ ପାଇଁ ସମର୍ପିତ ଭାବେ କାମ କରିବାକୁ ଦୀପାଳିଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡ଼ା ବିକାଶକୁ ଆଗକୁ ନେବା ସହ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ନବୀନ ପରାମର୍ଶ ଦେଇଥିଲେ । ଝାରସୁଗୁଡ଼ା ଉପନିର୍ବାଚନରେ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଦୀପାଳି ୪୮ ହଜାର ୭୨୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।