ଅସାବଧାନତାରୁ ଅଘଟଣ, ହଟମିକ୍ସ ପ୍ଲାଣ୍ଟର ଗରମ ପିଚୁରେ ପଡ଼ି ଡ୍ରାଇଭର ଜୀବନ୍ତ ଦଗ୍ଧ

ରାୟଗଡ଼ା: ଅସାବଧାନତାରୁ ଅଘଟଣ । ହଟମିକ୍ସ ପ୍ଲାଣ୍ଟର ଗରମ ପିଚୁରେ ପଡ଼ି ଡ୍ରାଇଭର ଜୀବନ୍ତ ଦଗ୍ଧ । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଦୁର୍ଗୀ ବନ୍ଧୁଗୁଡ଼ା ରାସ୍ତା ନିକଟରେ ଏକ ହଟମିକ୍ସ ପ୍ଲାଣ୍ଟର ଗରମ ପିଚୁ କୁଣ୍ଡରେ ପଡ଼ି ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ବିଷମ କଟକ ଥାନା ଅଧୀନର ଦୁର୍ଗୀ ସଦର ପଞ୍ଚାୟତର ଏକ ହଟମିକ୍ସ ପ୍ଲାଣ୍ଟ କାର୍ଯ୍ୟକ୍ଷମ ରହିଥିବା ବେଳେ ଆଜି ଅପରାହ୍ନରେ ଉକ୍ତ ପ୍ଲାଣ୍ଟକୁ ବିଶାଖାପାଟନାମରୁ ଏକ ପିଚୁ ବୋଝେଇ ଟ୍ରକ ଆସିଥିଲା । ଟ୍ରକ ଡ୍ରାଇଭର ପିଚୁ କୁଣ୍ଡରେ ପାଇପ ଯୋଗେ ପିଚୁ ଢାଳୁ ଥିବା ବେଳେ ଅସାବଧାନତା ବଶତଃ ଟ୍ରକ ଡ୍ରାଇଭର ପିଚୁ କୁଣ୍ଡ ଭିତରକୁ ଖସି ପଡ଼ିଥିଲେ ।

ତେବେ ପିଚୁ କୁଣ୍ଡରେ ଗରମ ତରଳ ପିଚୁ ରହିଥିବାରୁ ସେହି କୁଣ୍ଡ ଭିତରେ ହିଁ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଘଟଣା ସଂକ୍ରାନ୍ତରେ ଖବର ପାଇ ବିଷମ କଟକ ପୋଲିସ୍ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପିଚୁ ପ୍ଲାଂଟରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ବିଷମ କଟକ ପୋଲିସ୍ ଏକ ମାମଲା ରୁଜୁ କରି ଶବ ଜବତ କରିଛି । କେଉଁ ପରିସ୍ଥିତିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଲା ତା’ର ତଦନ୍ତ ଚଳାଇଛି । ମୃତ ଡ୍ରାଇଭର ଜଣକ ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍ ଅଞ୍ଚଳର ଏ.କ୍ରିଷ୍ଣାରାଜୁ ବୋଲି ଜଣାପଡ଼ିଛି । ମୃତକଙ୍କ ପରିବାର ଆସିବା ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।