କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ ରାହୁଲଙ୍କ ଟ୍ରକ ଯାତ୍ରା, ଡ୍ରାଇଭରଙ୍କ ସହ କଲେ ଆଲୋଚନା

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ ରାହୁଲଙ୍କ ଟ୍ରକ ଯାତ୍ରା । ଦିଲ୍ଲୀରୁ ସିମଲା ଯାଉଥିବା ବେଳେ ଅମ୍ବାଲାରୁ ଚଣ୍ଡିଗଡ଼ ଯାଏଁ ଟ୍ରକରେ ଯାତ୍ରା କରିଛନ୍ତି ରାହୁଲ ଗାନ୍ଧୀ । ସୋମବାର ରାତିର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସାଧାରଣ ଲୋକଙ୍କ ସହ ରାହୁଲଙ୍କ ଏହି ଭେଟଘାଟକୁ ୟୁଜର୍ସ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି । ଟ୍ରକରେ ଯାତ୍ରା ବେଳେ ରାହୁଲ ଡ୍ରାଇଭରମାନଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି । କଂଗ୍ରେସର ବହୁ ନେତା ରାହୁଲଙ୍କ ଏହି ଭିଡିଓ ସେୟାର କରିବା ସହ ପୂରା ଦେଶ ରାହୁଲଙ୍କ ସହ ଚାଲୁଛି ବୋଲି କହିଛନ୍ତି । ଟ୍ରକରେ ଯାତ୍ରା ପୂର୍ବରୁ ନୂଆ ସଂସଦ ଭବନ ଉଦଘାଟନକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ରାହୁଲ । ରାଷ୍ଟ୍ରପତିଙ୍କ ଦ୍ବାରା ସଂସଦ ଭବନ ଲୋକାର୍ପଣ କରିବା କଥା ବୋଲି ସେ ଟୁଇଟ କରିଥିଲେ ।

୨୦୨୨ ସେପ୍ଟେମ୍ବରରୁ ରାହୁଲ କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଭାରତ ଯୋଡ ଯାତ୍ରା କରିଥିଲେ । ୧୩୬ ଦିନର ଏହି ଯାତ୍ରାରେ ୪ ହଜାର କିଲୋମିଟରରୁ ଅଧିକ ଦୂର ପଦଯାତ୍ରା କରିଥିଲେ ରାହୁଲ । ଭାରତ ଯୋଡ଼ ଯାତ୍ରା ପରେ ସାରାଦେଶରେ ରାହୁଲଙ୍କ ଛବିରେ ଅନେକ ସକାରାତ୍ମକ ପରିବର୍ତ୍ତନ ହୋଇଥିବା ପରିଲକ୍ଷିତ ହୋଇଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ଏହାର ଏକ ଉଦାହରଣ । ଦକ୍ଷିଣ ଭାରତର ଦୁର୍ଗରେ କଂଗ୍ରେସକୁ ଜନତାଙ୍କ ଦୃଢ଼ ସମର୍ଥନ ମିଳିବା ପରେ ଅନ୍ୟ ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ୨୦୨୪ ଲୋକସଭାରେ ବିଜୟୀ ହେବାକୁ କଂଗ୍ରେସ ପ୍ରୟାସ ଚଳାଇଛି ।