ରାଉରକେଲା: FIH ହକି ପ୍ରୋ ଲିଗର ଚତୁର୍ଥ ମ୍ୟାଚରେ ପୁଣି ଚାଲିଲା ଭାରତର ଜାଦୁ । ପୁଣିଥରେ ବିଶ୍ବ ବିଜେତା ଜର୍ମାନୀକୁ ହରାଇଛି ଟିମ୍ ଇଣ୍ଡିଆ । ଜର୍ମାନୀକୁ ୬-୩ ଗୋଲରେ ପରାସ୍ତ କରି ମ୍ୟାଚ ଜିତିନେଇଛି ଭାରତ । ପୂର୍ବରୁ ଉଦଘାଟନୀ ମ୍ୟାଚରେ ଜର୍ମାନୀ ବିରୋଧରେ ୩-୨ ଗୋଲରେ ଜିତିଥିଲା ଟିମ ଇଣ୍ଡିଆ । କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ ଦେଖିଛନ୍ତି । ଭାରତୀୟ ଦଳ ଲଗାତାର ୩ଟି ମ୍ୟାଚ ଜିତିଥିବାରୁ ଖେଳାଳି ଓ ଅଧିନାୟକଙ୍କ ମନୋବଳ ଦୃଢ଼ ରହିଛି । ଗତକାଲି ଅଷ୍ଟ୍ରେଲିଆକୁ ୫-୪ ଗୋଲରେ ପରାସ୍ତ କରିଥିଲା ଭାରତୀୟ ଦଳ ।
ଓଡ଼ିଶା ପାଇଲା ଜାତୀୟ ପୁରସ୍କାର; ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରମିଳା
ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓସଡମାକୁ ସୁଭାଷଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୩ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ମାନ ପ୍ରଦାନ କରିବା ସହ ଏହାର ଶ୍ରେୟ ଦେଇଛନ୍ତି । ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଏସଆରସି ନିକୁଞ୍ଜ ଧଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶ୍ରେୟ ଜଣାଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଜିରୋ କାଜୁଆଲଟି ସଫଳ ହୋଇଛି । ସାରା ବିଶ୍ବ ନବୀନଙ୍କ ମଡେଲକୁ ଅନୁକରଣ କରୁଥିବାବେଳେ କେନ୍ଦ୍ର ସରକାର ମଧ୍ୟ ପୁରସ୍କାର ଦେଇଛନ୍ତି ।
ଲୋକ ଓ ଗୃହପାଳିତ ପ୍ରାଣୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବା, ମାଗଣା ଖାଦ୍ୟ ଯୋଗାଣ, ଜଳ ନିଷ୍କାସନ ବ୍ୟବସ୍ଥା, ବିପର୍ଯ୍ୟୟ ପରେ ପରେ ରାସ୍ତା ସଫା କରିବା ପରି ପ୍ରାକ୍ ପ୍ରସ୍ତୁତି ଯୋଗୁ ଏହା ସମ୍ଭବ ହୋଇଛି । ବାହାର ରାଜ୍ୟରେ ବନ୍ୟା ସମୟରେ ଓଡ୍ରାଫ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥାଏ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପାଇଁ ଓଡ଼ିଶାକୁ ସମ୍ମାନିତ କରିଛି କେନ୍ଦ୍ର । ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡିଶାକୁ ସମ୍ମାନ ଦେବା ସହିତ ପ୍ରଶଂସା କରିଥିଲେ ।
ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜଳସେଚନ ବିଭାଗ କ୍ୟାସିୟର ପ୍ରଦୀପ ରାଉତ
ବାଲେଶ୍ୱର: ଭିଜିଲାନ୍ସ ଜାଲରେ ବାଲେଶ୍ବର ଜଳସେଚନ ବିଭାଗ କ୍ୟାସିୟର ପ୍ରଦୀପ ରାଉତ । ଠିକାଦାରଙ୍କ ସିକ୍ୟୁରିଟି ଟଙ୍କା ରିଲିଜ୍ କରିବାକୁ ଲାଞ୍ଚ ନେବାବେଳେ ପ୍ରଦୀପଙ୍କୁ ଧରିଛି ଭିଜିଲାନ୍ସ । ପ୍ରଦୀପଙ୍କ ନିକଟରୁ ୫ହଜାର ଟଙ୍କା ଲାଞ୍ଚ ଅର୍ଥ ଜବତ ହୋଇଛି । ଠିକାଦାର ଲୋକନାଥ ଜେନା ଏକ ଠିକାକାମ ଶେଷ କରିବା ପରେ ସିକ୍ୟୁରିଟି ଟଙ୍କା ଫେରିପାଇବାକୁ ଆବେଦନ କରିଥିଲେ । ଟଙ୍କା ରିଲିଜ କରିବାକୁ ୫ହଜାର ଟଙ୍କା ଦାବି କରିଥିଲେ କ୍ୟାସିୟର । ଏନେଇ ଅଭିଯୋଗ ପରେ ପ୍ରଦୀପଙ୍କୁ ଟଙ୍କା ନେବାବେଳେ ଧରିଥିଲା ଭିଜିଲାନ୍ସ ।
ଲାଞ୍ଚ ନେବାବେଳେ ସମବାୟ ସମିତି ସମ୍ପାଦକଙ୍କୁ ଧରିଲା ଭିଜିଲାନ୍ସ
ଭଦ୍ରକ: ଧାନ କିଣିବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ ଭଦ୍ରକ ଜିଲ୍ଲା ଚଣ୍ଡୀଗାଁ ସେବା ସମବାୟ ସମିତିର ସମ୍ପାଦକ ତପନ ନାୟକ । ଚାଷୀଙ୍କଠୁ ଲାଞ୍ଚ ନେବାବେଳେ ତପନଙ୍କୁ ଧରିଲା ଭିଜିଲାନ୍ସ । ଚାଷୀ ଶ୍ରୀଧର ସାମଲ 240 କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ପାଇଥିଲେ । ମାତ୍ର ଏଥିପାଇଁ 9 ହଜାର 6ଶହ ଟଙ୍କା ଲାଞ୍ଚ ମାଗିଥିଲେ ତପନ । ସମ୍ପାଦକ ଜଣଙ୍କ ଟଙ୍କା ନେବାବେଳେ ଧରିଥିଲା ଭିଜିଲାନ୍ସ । ଲାଞ୍ଚ ଅର୍ଥ ଜବତ କରିବା ସହ ତପନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।
‘ଅପରାଧୀଙ୍କ ପ୍ରତି ସହାନୁଭୁତି ଦେଖାଇ ବିରୋଧୀ ହୀନ ରାଜନୀତି କରୁଛନ୍ତି’
ଭୁବନେଶ୍ୱର: ଅପରାଧୀଙ୍କ ପ୍ରତି ସହାନୁଭୁତି ଦେଖାଇ ବିରୋଧୀ ହୀନ ରାଜନୀତି କରୁଛନ୍ତି । ମମିତା ମେହେର ହତ୍ୟାକାରୀ ଗୋବିନ୍ଦ ସାହୁର ଜେଲରେ କିପରି ପ୍ରାଣ ଗଲା ସେ ନେଇ ତଦନ୍ତ ଜାରି ରହିଛି । ବିରୋଧୀଙ୍କ ଦ୍ବାରା ଆଗତ ମୁଲତବୀ ଆଲୋଚନାରେ ଭାଗ ନେଇ ଏପରି କଡ଼ା ଜବାବ ଦେଇଛି ବିଜେଡି । ବିଜେଡି ମୁଖପାତ୍ର ଅରୁଣ ସାହୁ ସାମ୍ବାଦିକ ସମ୍ମିଳନୀରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, କ୍ରିମିନାଲ ମାଇଣ୍ଡ୍ କ୍ରିମିନାଲକୁ ସପୋର୍ଟ କରନ୍ତି । ବିରୋଧୀ ଯେପରି ଘଟଣା କିପରି ଘଟିଲା, କାହିଁକି ଏପରି ନ ହୋଇ ଏପରି ହେଲା । ଏଥିରୁ ଜଣାପଡୁଛି ବିରୋଧୀ ପବିତ୍ର ବିଧାନସଭାକୁ କୋର୍ଟରୁମ୍ କରିସାରିଲେଣି ।
କୋଉଠୁ ଏପରି ଉଦ୍ଭଟ ତଥ୍ୟ ବିରୋଧୀ ପାଉଛନ୍ତି ଜଣାନାହିଁ । ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ଆଲୋଚନା ପାଇଁ ଅନେକ ପ୍ରସଙ୍ଗ ରହିଛି । କିନ୍ତୁ ବିରୋଧୀଙ୍କୁ ଏହା ଦିଶୁନି । ଜଣେ ହତ୍ୟାକାରୀର ଆତ୍ମହତ୍ୟା ପାଇଁ ସରକାରଙ୍କୁ ସମାଲୋଚନା କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଉଦ୍ୟମ ହେଉଛି । ଏଥିରେ ବିରୋଧୀ କେବେ ବି ସଫଳ ହେବେନି । ଗୋଟିଏ ପ୍ରସଙ୍ଗରେ ମୁଲତବୀ ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହେଉଛି । କିନ୍ତୁ ବିରୋଧୀ ବିଷୟବସ୍ତୁ ବାହାରକୁ ଯାଇ ଆଲୋଚନା କରୁଛନ୍ତି ବୋଲି ବିଜେଡି ବିରୋଧୀଙ୍କୁ ଟାର୍ଗେଟ୍ କରିଛି ।
ଆହ୍ଲାବାଦ ହାଇକୋର୍ଟ ପରିସରରୁ ୩ମାସ ମଧ୍ୟରେ ହଟାଯାଉ ମସଜିଦ୍: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟ ପରିସସରେ ଥିବା ଏକ ମସଜିଦକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୩ ମାସ ମଧ୍ୟରେ ଏହି ମସଜିଦକୁ ହଟାଇବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ମସଜିଦ୍ ହଟାଯିବାକୁ ବିରୋଧ କରୁଥିବା ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ କହିଛନ୍ତି ଯେ, ଢ଼ାଞ୍ଚା ଏକ ମିଆଦପୂର୍ଣ୍ଣ ଜମି ଉପରେ ଅବସ୍ଥିତ ଅଛି ଏବଂ ଏହାକୁ ଅଧିକାର ଅନୁଯାୟୀ ବଳବତ୍ତର ରଖିବା ପାଇଁ ଦାବି କରିପାରିବେ ନାହିଁ । ଆବେଦନକର୍ତ୍ତାଙ୍କ ମଧ୍ୟରେ ସାମିଲ ହାଇକୋର୍ଟ ମସଜିଦ ୱକ୍ଫ ଏବଂ ୟୁପି ସୁନ୍ନୀ ସେଣ୍ଟ୍ରାଲ ୱକ୍ଫ ନଭେମ୍ବର ୨୦୧୭ର ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ ।
ହାଇକୋର୍ଟ ସେମାନଙ୍କୁ ମସଜିଦକୁ ପରିସରରୁ ବାହାର କରିବା ପାଇଁ ୩ ମାସର ସମୟ ଦେଇଥଇଲେ । ସୋମବାର ସୁପ୍ରିମକୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟରେ ଜଷ୍ଟିସ ଏମଆର୍ ଶାହ ଏବଂ ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । ଖଣ୍ଡପୀଠ ଆବେଦନକାରୀଙ୍କୁ କହିଥିଲେ ଯେ ଜମି ଲିଜରେ ଥିଲା, ଯାହାର ଅବଧି ସମାପ୍ତ ହୋଇଯାଇଥିଲା । ତେଣୁ ସେମାନେ ଅଧିକାର ଅନୁଯାୟୀ ଏହାକୁ କାଏମ ରଖିବାକୁ ଦାବି କରିପାରିବେ ନାହିଁ । ତେଣୁ ଏହି ମସଜିଦକୁ ତିନି ମାସ ଭିତରେ ଭାଙ୍ଗିବା ପାଇଁ ସମୟ ଦିଆଯାଉଛି ଏବଂ ଯଦି ତିନି ମାସ ଅବଧି ଭିତରେ ମସଜିଦ ନହଟାଯାଏ ତେବେ ହାଇକୋର୍ଟ ସମେତ ଅଧିକାରୀମାନଙ୍କ ପାଖରେ ଏହାକୁ ଭାଙ୍ଗିବା ପାଇଁ ସମସ୍ତ ବିକଳ୍ପ ଖୋଲା ରହିବ ।
ସୁନା ଚେନ ଛିଣ୍ଡାଇ ବାଇକରେ ଫେରାର ହେଉଥିଲେ; ତେଲ ସରିଯିବାରୁ ଧରାପଡ଼ି ନିର୍ଦ୍ଧୁମ ଛେଚା ଖାଇଲେ
ସାଲେପୁର: ଲୁଟ ବେଳେ ଧରାପଡି ଛେଚା ଖାଇଲେ ଲୁଟେରା । ସାଲେପୁରରେ ଲୁଟେରାଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଛନ୍ତି ଅଞ୍ଚଳବାସୀ । ଚଳନ୍ତା ଗାଡ଼ିରୁ ଚେନ୍ ଛିଣ୍ଡାଇ ଫେରାର ମାରୁଥିବା ବେଳେ ଗାଡ଼ିରୁ ତେଲ ସରିଯାଇଥିଲା । ତେଲ ପକାଇ ଫେରୁଥିବା ବେଳେ ପିଛା କରିଆସୁଥିବା ଲୋକେ ଦୁଇ ଲୁଟେରାକୁ ମାଡି ବସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଲୋକମାନେ ନିସ୍ତୁକ ମାଡ଼ ମାରିଛନ୍ତି ।
ଲୁଟେରା ଠାରୁ ଗୋଟିଏ ଖେଳଣା ବନ୍ଧୁକ, ଗୋଟିଏ ଛୁରୀ, ନମ୍ବର ପ୍ଲେଟ ସହ ଏକ ବ୍ୟାଗ ଜବତ ହୋଇଛି । କାବୁ ହୋଇଥିବା ଲୁଟେରା ହେଲେ ଯାଜପୁରର ଶଶିକାନ୍ତ ଜେନା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପୂର୍ବରୁ ଅନେକ ରାହାଜାନୀ ମାମଲାରେ ଏମାନଙ୍କ ସମ୍ପୃକ୍ତି ରହିଥିବା କୁହାଯାଉଛି ।

