ସୀମା ଟପିଲା ବର୍ବରତା; ଜମି ବାଡ଼ି ବିବାଦକୁ ନେଇ ବୃଦ୍ଧଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଲେ ସମ୍ପର୍କୀୟ

ଭୁବନେଶ୍ୱର: ସୀମା ଟପିଲା ବର୍ବରତା । ରାସ୍ତା ଉପରେ ଜଣେ ବୃଦ୍ଧଙ୍କୁ ନିର୍ଧୁମ ମାଡ ମାରିଲେ ୪ ଜଣ ବ୍ୟକ୍ତି । ସେ ଦୃଶ୍ୟ ଦେଖିଲେ ଯେ କେହି ବିଚଳିତ ହୋଇଯିବେ । କଣ ସତରେ ଲୋକମାନେ ଏତେ ଅମାନୁଷିକ ହୋଇପାରନ୍ତି? ସାମାନ୍ୟ ଜମି ବାଡ଼ି ବିବାଦକୁ ନେଇ ଏତେ ବର୍ବରତା । ଏହି ଅମାନୁଷିକ କାଣ୍ଡ ଘଟାଇଛନ୍ତି ବୃଦ୍ଧଙ୍କ ଭାଇ ଓ ପୁତୁରା । ଏଭଳି ବର୍ବରତା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳିପୁର ବଜାରରେ । ଜାଗା ବାଡି ବିବାଦକୁ ନେଇ ବୃଦ୍ଧ କରୁଣାକର ବେହେରାଙ୍କୁ ତାଙ୍କ ପୁତୁରା ଏବଂ ଭାଇ ବିଚ୍ ରାସ୍ତାରେ ମାଡ ମାରିଛନ୍ତି । ବିଧା ଗୋଇଠା, ଚାପୁଡା ମାରିଚାଲିଥିଲେ । କରୁଣାକର ରାସ୍ତାରେ ପଡିଗଲା ପରେ ଗୋଇଠା ଉପରେ ଗୋଇଠା ମାରି ଚାଲିଥିଲେ ପୁତୁରା । ଏପରି କି ବୃଦ୍ଧଙ୍କୁ ରାସ୍ତା ଉପରେ ଟେକି କଚାଡି ଦେଇଥିଲେ । ଏ ନେଇ କରୁଣାକର ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ୨ ଜଣ ଆକ୍ରମଣକାରୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ୍ ।