IPL 2023 Final: ଅହମ୍ମଦାବାଦରେ ବର୍ଷା ଜାରି, ଏବେ ୨୦-୨୦ ଓଭରର ଖେଳ ସମ୍ଭବ ନୁହେଁ

1 min read

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସିଜିନର ଫାଇନାଲ୍ ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ଲଗାତାର ବର୍ଷା କାରଣରୁ ଏପର୍ଯ୍ୟନ୍ତ ସୁଦ୍ଧା ଖେଳ ଆରମ୍ଭ ହୋଇପାରୁନାହିଁ । ବର୍ଷା କାରଣରୁ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି । ଟସ୍ ପଡ଼ିବାକୁ ଅଧଘଣ୍ଟା ସମୟ ଥିବା ବେଳୁ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ଦାଉରୁ ପିଚ୍ କୁ ରକ୍ଷା କରିବା ପାଇଁ କଭର ପକାଯାଇଛି । ଏହା ବ୍ୟତୀତ ରନର ଅଫ୍ ଏଣ୍ଡରେ ମଧ୍ୟ କଭର ପକାଯାଇଛି । ଯଦି ୧୦ ଟା ୩୦ ସୁଦ୍ଧା ଖେଳ ଆରମ୍ଭ ହେଲେ ୧୫-୧୫ ଓଭରର ଖେଳ ହେବ ଏବଂ ୧୧ଟାରେ ଆରମ୍ଭ ହେଲେ ୧୩-୧୩ ଓଭରର ଖେଳ ହେବ ।

କୁହାଯାଉଥିଲା ଯେ ଯଦି ୯ଟା ୩୫ ସୁଦ୍ଧା ଖେଳ ଆରମ୍ଭ ହୁଏ ତେବେ ୨୦-୨୦ ଓଭରର ମ୍ୟାଚ୍ ସମ୍ଭବ ହେବ । ହେଲେ ଏହି ସମୟସୀମା ଅତିକ୍ରମ କରିଥିଲେ ମଧ୍ୟ ବର୍ଷା ଥମିନାହିଁ । ଯଦି ଆଜି ରାତି ୧୨ ଟା ୬ ମିନିଟ ସୁଦ୍ଧା ୫ ଓଭରର ମ୍ୟାଚ୍ ମଧ୍ୟ ଖେଳିବା ସମ୍ଭବ ନହୁଏ ତେବେ ପାଇନାଲ୍ କାଲି ଖେଳାଯିବ । ଯଦି କାଲି ମଧ୍ୟ ବର୍ଷା କାରଣରୁ ଖେଳ ହୋଇନପାରେ ତେବେ ଲିଗ୍ ପର୍ଯ୍ୟାୟରେ ଶୀର୍ଷରେ ରହିଥିବା ଦଳକୁ ହିଁ ବିଜୟୀ ଘୋଷଣା କରାଯିବ । ଗତଥରର ଚମ୍ପିଆନ ଗୁଜରାଟ ଟାଇଟନ୍ସ ଲିଗ ପର୍ଯ୍ୟାୟରେ ଶୀର୍ଷରେ ରହିଥିଲା ।