ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଆଇପିଏଲରୁ ସନ୍ନ୍ୟାସ ଘୋଷଣା କଲେ ସିଏସକେର ଏହି ଷ୍ଟାର କ୍ରିକେଟର

1 min read

ଅହମ୍ମଦାବାଦ: ଆଜି ଆଇପିଏଲ୍ ୨୦୨୩ ଫାଇନାଲ୍ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ହେବାକୁ ଯାଉଛି । ଏହି ମହାମୁକାବିଲା ପୂର୍ବରୁ ସିଏସକେକୁ ଜୋରଦାର ଝଟକା ଲାଗିଛି । କାରଣ ଦଳର ଷ୍ଟାର କ୍ରିକେଟର ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ତେବେ ଏହି ଷ୍ଟାର ଖେଳାଳି ଆଉ କିଏ ନୁହଁନ୍ତି ବରଂ ଇଏ ହେଉଛନ୍ତି ଅମ୍ବାତି ରାୟୁଡୁ, ଯିଏକି ମ୍ୟାଚ୍ ପୂର୍ବରୁ ଟ୍ୱିଟ୍ କରି ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଏଥିସହିତ କହିଛନ୍ତି ଆଜିର ଫାଇନାଲ୍ ତାଙ୍କର ଶେଷ ମ୍ୟାଚ୍ ହେବ ଏବଂ ଏହାପରେ ସେ ଲିଗରୁ ସନ୍ନ୍ୟାସ ନେଉଛନ୍ତି ।

ସିଏସକେର ଷ୍ଟାର ଖେଳାଳି ଅମ୍ବାତି ରାୟୁଡୁ ରବିବାର ମହାମୁକାବିଲା ପୂର୍ବରୁ ଟ୍ୱିଟ କରି ଲେଖିଛନ୍ତି, ”ଦୁଇଟି ମହାନ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ, ୨୦୪ ମ୍ୟାଚ୍, ୧୪ ସିଜିନ, ୧୧ ପ୍ଲେଅଫ୍, ୮ ଫାଇନାଲ୍ ଏବଂ ୫ ଟ୍ରଫି । ଆଶା ଅଛି ଯେ ଆଜି ଷଷ୍ଠ ଟ୍ରଫି ଜିତିବୁ । ଏହି ଯାତ୍ରା ଚମତ୍କାର ଥିଲା । ମୁଁ ନିଷ୍ପତ୍ତି କରିଛି ଯେ ଆଜି ରାତିରେ ହେବାକୁ ଥିବା ଫାଇନାଲ୍ ମୋର ଆଇପିଏଲରେ ଶେଷ ମ୍ୟାଚ୍ ହେବ । ମୋତେ ବାସ୍ତବରେ ଏହି ମହାନ ଟୁର୍ଣ୍ଣାମେଣ୍ଟ ଖେଳିବାରେ ବହୁତ ମଜା ଆସିଥିଲା । ଆପଣ ସମସ୍ତଙ୍କୁ ଧନ୍ୟବାଦ । କୌଣସି ୟୁ ଟର୍ଣ୍ଣ ନାହିଁ ।” ତାଙ୍କ କଥାରୁ ସ୍ପଷ୍ଟ ଯେ ସେ ଆଉ ଆଇପିଏଲକୁ ଫେରିବେ ନାହିଁ । ଶେଷ ଥର ପାଇଁ ଆଜିର ରାତି ମ୍ୟାଚ୍ ଖେଳିବେ ।

ୟୁ-ଟର୍ଣ୍ଣ କଥା ସେ ଏଥିପାଇଁ ଟ୍ୱିଟରେ ଯୋଡ଼ିଛନ୍ତି କାରଣ ଗତ ବର୍ଷ ଯେବେ ସେ ଏବଂ ତାଙ୍କ ଦଳ ଖରାପ ପ୍ରଦର୍ଶନ କରିଥିଲା ଏବଂ ତାଙ୍କୁ ଦଳରୁ ଡ୍ରପ୍ କରାଯାଇଥିଲା ତେବେ ସେ ଏକ ଟ୍ୱିଟ୍ କରି ରିଟାୟରମେଣ୍ଟ କଥା କହିଥିଲେ । ଅବଶ୍ୟ ପରେ ସେ ଏହି ଟ୍ୱିଟ୍ ଡିଲିଟ କରିଦେଇଥିଲେ କିନ୍ତୁ ଚଳିତଥର ସେ ସ୍ପଷ୍ଟ କରିଛନ୍ତି ଯେ ଆଇପିଏଲ ୨୦୨୩ ଫାଇନାଲ୍ ତାଙ୍କର ଶେଷ ମ୍ୟାଚ୍ ହେବ । ପ୍ରକାଶଥାଉକି, ଅନ୍ତର୍ଜାତୀୟ କ୍ରିକେଟରୁ ସେ ୨୦୧୯ରେ ହିଁ ସନ୍ନ୍ୟାସ ନେଇଥିଲେ, ଯେବେ ତାଙ୍କୁ ବିଶ୍ୱକପ୍ ଦଳରେ ସ୍ଥାନ ମିଳିନଥିଲା । ତାଙ୍କର ଆଇପିଏଲ୍ କ୍ୟାରିଅର କଥା ଦେଖିବାକୁ ଗଲେ ସେ ଏପର୍ଯ୍ୟନ୍ତ ସୁଦ୍ଧା ୨୦୩ଟି ମ୍ୟାଚ୍ ଖେଲିଛନ୍ତି । ସେଥିମଧ୍ୟରୁ ୩୩ ଅପରାଜିତ ଇନିଂସ ରହିଛି । ସେ ଆଇପିଏଲ୍ କ୍ୟାରିଅରରେ ୪୩୨୯ ରନ୍ କରିଛନ୍ତି, ଏଥିରେ ଏକ ଶତକ ମଧ୍ୟ ସାମିଲ ଅଛି ।