spot_img
Home Blog Page 3291

ତାଇଓ୍ବାନ ବିରୋଧରେ ଚୀନର ମେଗା ମିଲିଟାରୀ ଡ୍ରିଲ, ଆଜିଠୁ ଆସନ୍ତା ୧୦ ତାରିଖ ଯାଏ ଚାଲିବ ଅଭିଯାନ

ବେଜିଂ: ତାଇଓ୍ବାନ ବିରୋଧରେ ଚୀନର ମେଗା ମିଲିଟାରୀ ଡ୍ରିଲ୍ । ଆଜିଠାରୁ ଆସନ୍ତା ୧୦ ତାରିଖ ଯାଏ ଚାଲିବାକୁ ଥିବା ଡ୍ରିଲକୁ ନେଇ ବଢ଼ିଛି ଚୀନ-ତାଇଓ୍ବାନ ଟେନସନ୍ । ୟୁନାଇଟେଡ ସାର୍ପ ସୋର୍ଡ ନାମରେ ନାମିତ ଏହି ମିଲିଟାରି ଏକ୍ସରସାଇଜ ହେବା ନେଇ ପିପୁଲ୍ସ ଲିବରେସନ ଆର୍ମିର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଘୋଷଣା କରିଛି । ସେପଟେ ତାଇଓ୍ବାନ ଅଭିଯୋଗ କରିଛି ଆଜି ଦେଶର ସୀମା ଭିତରୁ ୧୩ଟି ଚୀନ ବିମାନ ପ୍ରବେଶ କରିବା ସହ ଦେଶ ଚାରିପଟେ ଚୀନ ୩ଟି ଯୁଦ୍ଧଜାହାଜ ମୁତୟନ କରିଛି । ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ-ଓ୍ବେନ ଆମେରିକା ଗସ୍ତ ସାରି ଫେରିବା ପରେ ପରେ ଚୀନ ଏହି ଡ୍ରିଲ୍ ନେଇ ଘୋଷଣା କରିଛି । ତାଇଓ୍ବାନ ଷ୍ଟ୍ରେଟ ଓ ଉତ୍ତର, ଦକ୍ଷିଣ, ପୂର୍ବ ତାଇଓ୍ବାନରେ ଏହି ଲଢୁଆ ଅପରେସନ କରାଯିବ ।

ଆମେରିକା ଗସ୍ତକାଳରେ ବାଚସ୍ପତି କେଭିନ ମ୍ୟାକାର୍ଥିଙ୍କୁ ସାକ୍ଷାତ କରିଥିବାରୁ ଏହାକୁ ନେଇ କ୍ଷୁବ୍ଧ ହୋଇଥିଲା ଚୀନ । ଚୀନର ବିରୋଧ ସତ୍ତ୍ବେ ଗତବର୍ଷ ଅଗଷ୍ଟରେ ଆମେରିକା ବାଚସ୍ପତି ନାନସି ପେଲୋସିଙ୍କ ତାଇପେଇ ଗସ୍ତ ପରଠାରୁ ବାରମ୍ବାର ତାଇଓ୍ବାନକୁ ଟାର୍ଗେଟ କରିଆସିଛି ଚୀନ । ବିଭିନ୍ନ ସମୟରେ ତାଇଓ୍ବାନର ଆକାଶ ସୀମାରେ ଚୀନର ଯୁଦ୍ଧବିମାନ ପ୍ରବେଶ କରିଥିବା ନେଇ ତାଇଓ୍ବାନ ଅଭିଯୋଗ କରିଆସିଛି । ତାଇଓ୍ବାନ ରାଷ୍ଟ୍ରପତି ସାଇଙ୍କ ଗସ୍ତକୁ ନେଇ ବାଇଡେନ ପ୍ରଶାସନ କହିଥିଲା- ଏହି ଗସ୍ତ ଦ୍ବିପାକ୍ଷିକ ସମ୍ପର୍କର ପ୍ରତୀକ । ଗସ୍ତବେଳେ ଉଭୟ ତାଇଓ୍ବାନ ଓ ଆମେରିକାର ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଥିଲା ଏବଂ ତାଇଓ୍ବାନର ସାର୍ବଭୌମତ୍ବର ସୁରକ୍ଷା ନେଇ ଆମେରିକା ସମର୍ଥନ ଦେଇଥିଲା ।

ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥା ଦେଶରେ ସର୍ବୋତ୍ତମ, ସବୁ ବ୍ଲକକୁ ପଛରେ ପକାଇ ଶୀର୍ଷରେ ହିଞ୍ଜିଳି

ନୂଆଦିଲ୍ଲୀ: ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥା ଦେଶରେ ସର୍ବୋତ୍ତମ । ତୃଣମୂଳ ସ୍ତରରେ ନିରନ୍ତର ବିକାଶ ଲାଗି ଓଡ଼ିଶାକୁ ମିଳିବ ସମ୍ମାନ । ଗଞ୍ଜାମ ଜିଲ୍ଲା ହୋଇଛି ଦେଶର ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ । ଏହାସହ ହିଞ୍ଜିଳି ଦେଶର ଶ୍ରେଷ୍ଠ ବ୍ଲକ ପଞ୍ଚାୟତର ମାନ୍ୟତା ପାଇଛି । ଦେଶର ସମସ୍ତ ବ୍ଲକକୁ ପଛରେ ପକାଇ ଶୀର୍ଷରେ ରହିଛି ହିଞ୍ଜିଳି । ଏନେଇ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ତାଲିକା ପ୍ରକାଶ ପାଇଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ବିକାଶ ପୁରସ୍କାରର ୯ଟି ବିଭାଗରେ ବିଜେତା ଘୋଷଣା କରାଯାଇଛି । ହିଞ୍ଜିଳି ବ୍ଲକର କଞ୍ଚୁରୁ ପଞ୍ଚାୟତ ଦେଶର ଦ୍ବିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ହୋଇଥିବା ବେଳେ, ଶାସନ ଆମ୍ବଗାଁ ଦ୍ବିତୀୟ ଶ୍ରେଷ୍ଠ ସ୍ବଚ୍ଛ ଓ ସବୁଜ ପଞ୍ଚାୟତର ମାନ୍ୟତା ପାଇଛି ।

ସେହିପରି ସାମାଜିକ ସୁରକ୍ଷା ଦୃଷ୍ଟିରୁ ଭଞ୍ଜନଗର ବ୍ଲକର କୁଲାଡ଼ ଦେଶର ଦ୍ବିତୀୟ ଶ୍ରେଷ୍ଠ ପଞ୍ଚାୟତ ଭାବେ ପୁରସ୍କାର ପାଇବ । ପାତ୍ରପୁର ବ୍ଲକର ଆଙ୍କୁଲି ଗ୍ରାମପଞ୍ଚାୟତ ଦେଶର ଦ୍ଵିତୀୟ ଶ୍ରେଷ୍ଠ ଉର୍ଜା ସ୍ବରାଜ ବିକାଶ ପଞ୍ଚାୟତ ଭାବେ ବିବେଚିତ ହୋଇଛି । ତୃଣମୂଳ ସ୍ତରରେ ରାଜ୍ୟ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟ, ଜନହିତକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଓ ନିରନ୍ତର ବିକାଶ ଫଳରେ ଓଡ଼ିଶାକୁ ଏପରି ସଫଳତା ମିଳିଛି । ଆସନ୍ତା ୧୭ ତାରିଖରେ ସମ୍ମାନିତ କରିବେ ରାଷ୍ଟ୍ରପତି । ପଞ୍ଚାୟତିରାଜ ବ୍ୟବସ୍ଥାରେ ଓଡ଼ିଶାର ସଫଳତାକୁ ନେଇ ଅଭିନନ୍ଦନ ଜଣାଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ ।

IPL ୨୦୨୩: ଆଜି ମୁମ୍ବାଇ-ଚେନ୍ନାଇ ଟକ୍କର, ପ୍ରଥମ ବିଜୟ ଲକ୍ଷ୍ୟରେ ମୁମ୍ବାଇ

ମୁମ୍ବାଇ: ଆଜି ଆଇପିଏଲରେ ଖେଳାଯିବ ମହାମୁକାବିଲା । ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ ୫ଥରର ଚାମ୍ପିଆନ ଦଳ ମୁମ୍ବାଇ ଇଣ୍ଡିଆନ୍ସ । ଆଜି ସନ୍ଧ୍ୟା ୭ଟା୩୦ରେ ଖେଳାଯିବ ଏହି ମ୍ୟାଚ୍ । ଏହି ମ୍ୟାଚ ଦେଖିବା ପାଇଁ ଉତ୍ସାହର ଚାହିଁ ରହିଛନ୍ତି ସବୁ କ୍ରିକେଟପ୍ରେମୀ । ଚଳିତ ସିଜିନରେ ଚେନ୍ନାଇ ଦୁଇଟି ମ୍ୟାଚ୍ ଖେଳିଥିବାବେଳେ ଗୋଟିଏରେ ବିଜୟ ଓ ଗୋଟିଏରେ ପରାଜୟ ବରଣ କରିଛି । ସେହିପରି ଏପର୍ଯ୍ୟନ୍ତ ବିଜୟର ସ୍ୱାଦ ଚାଖିପାରିନି ମୁମ୍ବାଇ । ତେଣୁ ଆଜିର ମ୍ୟାଚରେ ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ମୁମ୍ବାଇ । ଆଇପିଏଲ ଇତିହାସରେ ଉଭୟ ଦଳ ୩୪ ଥର ମୁହାଁମୁହିଁ ହୋଇଥିବାବେଳେ ମୁମ୍ବାଇ ୨୦ଟି ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ ଚେନ୍ନାଇ ୧୪ଟି ମ୍ୟାଚ୍ ନିଜ ନାମରେ କରିଛି ।

ଅନ୍ୟପକ୍ଷରେ ଆଜି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ୍ ଆଜି ଅପରାହ୍ମ ୩ଟା ୩୦ରେ ଗୌହାଟୀରେ ଖେଳାଯିବ । ଚଳିତ ଆଇପିଏଲରେ ଦିଲ୍ଲୀ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ଖେଳି ଖାତା ଖୋଲିପାରି ନାହିଁ । ତେଣୁ ଆଜି ମ୍ୟାଚରେ ବିଜୟ ଲାଭ କରି ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ଦିଲ୍ଲୀ । ସେହିପରି ରାଜସ୍ଥାନ ଦୁଇଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟ ଓ ଗୋଟିଏରେ ପରାଜୟ ବରଣ କରିଛି ।

ରାଜ୍ୟରେ ଟ୍ରପଲାଇନ୍ ପ୍ରଭାବରେ ବର୍ଷା ଜାରି, ଦିନରେ ତାତି ଓ ଅପରାହ୍ନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଟ୍ରପଲାଇନ୍ ପ୍ରଭାବରେ ଜାରି ରହିଛି ବର୍ଷା । ବଙ୍ଗୋପ ସାଗର ଓ ଆରବ ସାଗରରୁ ପ୍ରବେଶ କରୁଥିବା ଜଳୀୟବାଷ୍ପ କାଳବୈଶାଖୀ ପାଇଁ ସହାୟକ ହେଉଛି । ଫଳରେ ସାରା ରାଜ୍ୟରେ ଦିନରେ ତାତି ସହିତ ଅପରାହ୍ନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ହେଉଛି । ଆସନ୍ତା ୪ ଦିନ ଯାଏ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସକାଳୁ ତାପମାତ୍ରା ବଢିବା ସହିତ ଅପରାହ୍ନରେ ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହେବ ।

ଆଜି ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାକୁ କାଳବୈଶାଖୀ ସତର୍କତା ଜାରି ହୋଇଛି  । ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା ଆଦି ଜିଲ୍ଲାରେ ଅପରାହ୍ନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୭ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷା ହେବ । ସେହିପରି ଆସନ୍ତାକାଲି ଉତ୍ତର, ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୨ ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ପରବର୍ତ୍ତୀ ସମୟରେ ପାଗ ବଦଳିବା ସହ ଖରା ବଢ଼ିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ କାରବାର ମାମଲା, ଆଜି କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ

ବଲାଙ୍ଗୀର: ଆଜି କୋର୍ଟରେ ହାଜର ହେବେ ଜାଲ ସାର୍ଟିଫିକେଟ କାରବାରର ୪ ଅଭିଯୁକ୍ତ । ଗତକାଲି ତିନି ଦିନିଆ ରିମାଣ୍ଡ ସରିଥିବାବେଳେ ଆଜି ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ । ଫେକ୍ ସାର୍ଟିଫିକେଟ କାରବାରର ଲିଙ୍କ୍ ସହିତ ଆର୍ଥିକ କାରବାରର ଖୋଳତାଡ଼ କରିବାକୁ ପୁଣି ଥରେ ରିମାଣ୍ଡ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । ଗତକାଲି ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଥିଲା କ୍ରାଇମବ୍ରାଞ୍ଚ । ୪ଟି ମୂଲ୍ୟବାନ୍ ଜମି ଓ ୧୭ ଲକ୍ଷ ଟଙ୍କା ଜବତ ହୋଇଛି  । ଏହା ସହିତ ମନୋଜ ଓ ତା’ର ସ୍ତ୍ରୀ ପୂଜାର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯାଇଛି । ମନୋଜ କେଉଁଠି କଳା ଟଙ୍କା ଲଗାଇଛି ସେନେଇ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ I

ତିନିଦିନିଆ ରିମାଣ୍ଡରେ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ପାର୍ଟନର ଆଲୋକ ଉଦଗାତାଙ୍କ ସହ ୪ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିଛି କ୍ରାଇମବ୍ରାଞ୍ଚ I ଜେରାବେଳେ ମନୋଜ ଚୁପଚାପ୍ ରହିଥିବାବେଳେ ସବୁ ଗୁମର ଖୋଲିଦେଇଥିଲା ଆଲୋକ । ଅନ୍ୟ ସହଯୋଗୀ ମାନେ ମଧ୍ୟ କଳାକାରବାରର ସତ ଖୋଲିଦେଇଛନ୍ତି । ଜେରା ବେଳେ ବହୁ ସୁରାକ୍ କ୍ରାଇମବ୍ରାଞ୍ଚ ପାଇଛି I ପ୍ରମାଣ ଆଧାରରେ ଅନେକ ସ୍ଥାନରେ ଚଢାଉ ସହ ମାମଲାରେ ସମ୍ପୃକ୍ତ ଥିବା ଏକାଧିକ ଲୋକଙ୍କୁ ପଚରାଉଚରା କରାଯାଇଛି । ୧୦ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ରାକେଟର ମୂଳରେ ପହଞ୍ଚିବାକୁ ତଦନ୍ତ ଜାରି ରଖିଛି । ଅଭିଯୁକ୍ତଙ୍କୁ ପୁଣିଥରେ ରିମାଣ୍ଡରେ ଆଣି କଳାଟଙ୍କାର ଚେର ଖୋଜିପାରେ ତଦନ୍ତକାରୀ ଟିମ୍ ।

କୁହୁଡ଼ି ଯୋଗୁ ଶୁଖୁଆ ଭର୍ତ୍ତି ପିକଅପ୍ ଭ୍ୟାନ ଦୁର୍ଘଟଣା, ଜଣେ ମୃତ

ଚଣ୍ଡିଖୋଲ: ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥ ଚାରିନଙ୍ଗଳଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି । ଚଣ୍ଡିଖୋଲ ବାଲିଚନ୍ଦ୍ରପୁରରୁ ଶୁଖୁଆ ନେଇ ପାରାଦ୍ୱୀପ ଯାଉଥିବା ବେଳେ ଚାରିନଙ୍ଗଳଠାରେ ପିକଅପ୍ ଭ୍ୟାନ ଟ୍ରକକୁ ଧକ୍କା ଦେଇଥିଲା । ଅତ୍ୟଧିକ କୁହୁଡି ଯୋଗୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଫଳରେ ପିକଅପ ଡ୍ରାଇଭରଙ୍କ ସହ ଡାଲା ଗାଡ଼ି ପଛପଟେ ବସିଥିବା ମୋଟ ୯ ଜଣକ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି ।

ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି।

ଅପରେସନ୍ ଅଧାରେ ରୋଗୀକୁ ଅପରେସନ୍‌ ଟେବୁଲରେ ଛାଡ଼ି ଚାଲିଗଲେ ଡାକ୍ତର

ବାଲେଶ୍ୱର: ଅପରେସନ୍ ଅଧାରେ ରୋଗୀକୁ ଅପରେସନ୍‌ ଟେବୁଲରେ ଛାଡ଼ି ଚାଲିଗଲେ ଡ଼ାକ୍ତର । ବାଲେଶ୍ବର ଆଇଟିଆଇ ଛକରେ ଥିବା ଏକ ଘରୋଇ ନର୍ସିଂହୋମ୍‌ ବିରୁଦ୍ଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଘଟଣା ଅନୁଯାଇ କୁରୁଡ଼ାର ଗୀତାଞ୍ଜଳୀ ବିଶ୍ବାଳଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ପୂର୍ବତନ ସିଡ଼ିଏମ୍‌ଓ ଡ଼ାକ୍ତର ଅନୁପ କୁମାର ଘୋଷଙ୍କ କ୍ଲିନିକ୍‌ରେ ଭର୍ତ୍ତି କରାଯାଇଥିଲା । ତୁରନ୍ତ ଗୀତାଞ୍ଜଳୀଙ୍କ ୟୁଟେରସ୍ ବାହାର କରିବାକୁ ପରାମର୍ଶ ଦେଇଥିଲେ ଡ଼ାକ୍ତର । ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ଗୀତାଞ୍ଜଳୀଙ୍କ ସ୍ବାମୀ ରଞ୍ଜନ ବିଶ୍ବାଳ ଗତକାଲି ସ୍ଥାନୀୟ ଜୟଶ୍ରୀ ହେଲଥ କେୟାରରେ ଆଡମିସନ କରିଥିଲେ ।

ଆଜି ଡ଼ାକ୍ତର ଅନୁପ ଘୋଷ, ଗୀତାଞ୍ଜଳୀଙ୍କ ଅସ୍ତ୍ରୋପଚାର କରୁଥିବାବେଳେ ପେଟରେ ଅଧିକ ସମସ୍ୟା ଥିବା ଦେଖିବାକୁ ପାଇଥିଲେ । ଫଳରେ ଅପରେସନ୍‌କୁ ଅଧାରୁ ବନ୍ଦ କରିଦେଇ କାଟିଥିବା ପେଟରେ ପୁଣି ସିଲେଇ ପକାଇ ପଳାଇ ଯାଇଥିଲେ । ତେବେ ଆସନ୍ତାକାଲି ଯଦି ନର୍ସିଂହୋମ୍‌ ତରଫରୁ ସମସ୍ୟାର ସମାଧାନ କରାନଯାଏ ତେବେ ଥାନାରେ ଲିଖିତ ଅଭିଯୋଗ କରିବେବୋଲି କହିଛନ୍ତି ଗୀତାଞ୍ଜଳୀଙ୍କ ସ୍ବାମୀ । ସେପଟେ ରୋଗୀଙ୍କର ସମସ୍ୟାର ସମାଧାନର ବାଟ ଏଠାରେ ନଥିବାରୁ ତାଙ୍କୁ ଡ଼ାକ୍ତର ରେଫର ପାଇଁ ପରାମର୍ଶ ଦେଇଥିବା ନର୍ସିଂହୋମ୍‌ ତରଫରୁ କୁହାଯାଇଛି ।

ବୌଦ୍ଧରେ ଚାଞ୍ଚଲ୍ୟ; ମହିଳାଙ୍କୁ ଗାଁ ଦାଣ୍ଡରେ ପନିକିରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କଲା ଦଣ୍ଡୁଆ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ପଲସପାଟ ଗ୍ରାମରେ ଚାଞ୍ଚଲ୍ୟ । ମହିଳାଙ୍କୁ ଗାଁ ଦାଣ୍ଡରେ ପନିକିରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କଲା ଦଣ୍ଡୁଆ । ମୃତକ ହେଲେ ପଲସପାଟ ଗ୍ରାମର ସୂର୍ଯ୍ୟକାନ୍ତି ପ୍ରଧାନ । ହତ୍ୟାକାରୀ କମ୍ପରା ଗ୍ରାମର ଉଗ୍ରସେନ ସେଠୀକୁ କାବୁ କରି ଉତ୍ତମ ମଧ୍ୟମ ଦେବା ସହ ପୋଲିସର ଜିମା ଦେଲେ ଗ୍ରାମବାସୀ । ବାଉଁଶୁଣି ଥାନା ତାଳସରଦା ପଞ୍ଚାୟତ ଅନ୍ତର୍ଗତ ପଲସପାଟ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଚାରିସମ୍ଭୁ ଦଣ୍ଡଯାତ୍ରା ଚାଲିଥିବା ବେଳେ ଉଗ୍ରସେନ ଗାଁ ଦାଣ୍ଡରେ ପନିକି ଧରି ଗୋଡାଇ ଗୋଡାଇ ହାଣିଥିଲା । ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ବାଉଁଶୁଣି ପୋଲିସ ତଦନ୍ତ ଆରମ୍ଭ କରିଛି ।

ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲା: ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ

ବଲାଙ୍ଗୀର: ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲା I ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର ସମ୍ପତ୍ତି ଜବତ I କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କଲା କ୍ରାଇମବ୍ରାଞ୍ଚ I ଚାରୋଟି ମୂଲ୍ୟବାନ୍ ଜମି, ୧୭ ଲକ୍ଷ ଟଙ୍କା ସମେତ ମନୋଜ ଓ ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯାଇଛି I ଆଉ କେଉଁଠି କଳା ଟଙ୍କା ଲାଗାଇଛି ମନୋଜ ସେନେଇ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ I

ଖୋଲୁଛି ଆଇପିଏଲ ସଟ୍ଟା ଗୁମର, ରାଉରକେଲାରୁ ସାରା ଦେଶରେ ହେଉଥିଲା ଅପରେଟ୍

ରାଉରକେଲା: ସାରା ଦେଶରେ ଚାଲିଥିଲା ସଟ୍ଟା କାରବାର । ଘର ମହାରାଷ୍ଟ୍ର, ରାଉରକେଲାରୁ ହେଇଥିଲା ଅପରେସନ୍ । ପ୍ରତିଦିନ ଲାଗୁଥିଲା କୋଟି କୋଟି ଟଙ୍କା । ୬ ଜଣ ସଟ୍ଟା ମାଫିଆ ଗିରଫ ପରେ ଖୋଲୁଛି ଗୁମର । ସିଭିଲ ଟାଉନସିପ ଅଞ୍ଚଳରେ ଭଡା ଘରେ ରହି ଚଳାଇଥିଲେ ଅନଲାଇନ ଆଇପିଏଲ୍ ସଟ୍ଟା କାରବାର । ରାଜବୀର ଡଟ୍ କମ୍ ସାଇଟ୍ ଜରିଆରେ ତିଆରି ହେଉଥିଲା ଲୋକଙ୍କ ଆଇଡି । ସଟ୍ଟାରେ ବାଜି ଲଗାଇ ଏକାଉଣ୍ଟ୍ ଜରିଆରେ ଲୋକଙ୍କଠାରୁ ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଆଇପିଏଲ ସହ ବିଭିନ୍ନ ଅନଲାଇନ ଗେମରେ ଲାଗୁଥିଲା ଟଙ୍କା । ରଘୁନାଥପାଲି ଥାନା ପୋଲିସ ୬ ଜଣ ମାଫିଆଙ୍କୁ ଗିରଫ କରିବ ସହ ଏହି ବେଆଇନ କାରବାରର ପର୍ଦ୍ଦାଫାଶ କରିଛି ।

ଗିରଫ ଅଭିଯୁକ୍ତମାନେ ଉତ୍ତର ପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ର ଅଞ୍ଚଳର । ରାଉରକେଲାରେ ଭଡ଼ାରେ ରହି ଚଳାଇଥିଲେ ସଟ୍ଟା କାରବାର । ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ୨୦ଟି ମୋବାଇଲ ଫୋନ, ୩ଟି ଲ୍ୟାପଟପ, ୪ଟି ଏଟିଏମ ଜବତ କରାଯାଇଛି । ଅଭିଯୁକ୍ତଙ୍କ ୮ଟି ବ୍ୟାଙ୍କ ଏକାଉଣ୍ଟକୁ ପୋଲିସ ଫ୍ରିଜ୍ କରିଛି ପୋଲିସ୍ । ଗୋଟିଏ ଗୋଟିଏ ଏକାଉଣ୍ଟରେ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ଅନ ଲାଇନ କାରବାର ହେଉଥିବା ଜାଣିବାକୁ ପାଇଛି ପୋଲିସ୍ ।