ଫ୍ରେଞ୍ଚ୍ ଓପନ ଟାଇଟଲ ଜିତିଲେ ଜୋକୋଭିକ, ବିଜୟ ସହ ସବୁଠୁ ଅଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ନିଜ ନାଁରେ କଲେ

1 min read

ପ୍ୟାରିସ: ସର୍ବିଆର ଟେନିସ ଷ୍ଟାର ନୋଭାକ ଜୋକୋଭିକ ତୃତୀୟଥର ପାଇଁ ଫ୍ରେଞ୍ଚ ଓପନ ଟାଇଟଲ ଜିତିଛନ୍ତି । ୩୬ ବର୍ଷୀୟ ଜୋକୋଭିକ ନରୱେର ଟେନିସ ତାରକା କ୍ୟାପ୍ସର ରୁଡଙ୍କୁ ପୁରୁଷ ଏକକ ଫାଇନାଲରେ ୭-୬, ୬-୩, ୭-୫ ବ୍ୟବଧାନରେ ପରାଜିତ କରିଛନ୍ତି । ସେ ସପ୍ତମ ଥର ପାଇନାଲ ମୁକାବିଲା ଖେଳୁଥିଲେ । ଜୋକୋଭିକଙ୍କ ଏହା ୨୩ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଅଟେ । ସେ ରାଫେଲ ନାଡାଲଙ୍କ ୨୨ ଟାଇଟଲ ବିଜୟ ରେକର୍ଡକୁ ପଛରେ ପକାଇଛନ୍ତି । ସେ ମେନ୍ସ ଟେନିସରେ ସବୁଠୁ ଅଧିକ ଗ୍ରାଣ୍ଡ ସ୍ଲାମ ଜିତିଥିବାର ରେକର୍ଡ ନିଜ ନାଁରେ କରିଛନ୍ତି । ଜୋକୋଭିକ ଫ୍ରେଞ୍ଚ ଓପନ ଜିତିଥିବା ସବୁଠୁ ବୟସ୍କ ଖେଳାଳି ଭାବେ ମଧ୍ୟ ଜଣାଯାଇଛନ୍ତି । ସେ ୩୬ ବର୍ଷ ୨୦ ଦିନର ବୟସରେ ଏହି ସଫଳତା ଅର୍ଜନ କରିଛନ୍ତି । ଜୋକୋଭିକ ରାଫେଲ ନାଡାଲଙ୍କ ରେକର୍ଡକୁ ପଛରେ ପକାଇଛନ୍ତି ।

ରାଫେଲ ଗତ ବର୍ଷ ୩୬ ବର୍ଷ ୨ ଦିନର ବୟସରେ ଏହି ଟାଇଟଲ ଜିତିଥିଲେ । ଜୋକୋଭିକ ଲଗାତାର ଦ୍ୱିତୀୟଥର ଗ୍ରାଣ୍ଡସ୍ଲାମ ମଧ୍ୟ ଜିତିଛନ୍ତି । ସେ ଜାନୁଆରୀରେ ଆୟୋଜିତ ଅଷ୍ଟ୍ରେଲିଆ ଓପନ ଟାଇଟଲ ମଧ୍ୟ ନିଜ ନାଁରେ କରିଥିଲେ । ସେବେ ଜୋକୋଭିକ ଗ୍ରୀସର ଷ୍ଟେଫନୋସ ସିତସିପାସଙ୍କୁ ଲଗାତାର ସେଟରେ ୬-୩, ୭-୬, ୭-୬ ରେ ହରାଇଥିଲେ । ଜୋକୋଭିକ ତୃତୀୟ ଥର ଫ୍ରେଞ୍ଚ ଓପନ ଜିତିଛନ୍ତି । ସେ ସବୁଠୁ ଅଧିକ ୧୦ ଅଷ୍ଟ୍ରେଲିଆନ ଓପନ, ୭ ୱିମ୍ବଲଡନ, ୩ ୟୁଏସ୍ ଓପନ, ୩ ଫ୍ରେଞ୍ଚ ଓପନ ଟାଇଟଲ ନିଜ ନାଁରେ କରିଛନ୍ତି । ସେ ପ୍ରଥମଥର ୨୦୧୬ରେ ଫ୍ରେଞ୍ଚ ଓପନ ଜିତିଥିଲେ । ଏହାପରେ ୨୦୨୧ରେ ଦ୍ୱିତୀୟଥର ଜିତିଥିଲେ । ପ୍ରତ୍ୟେକ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ସର୍ବନିମ୍ନ ତିନୋଟି ଟାଇଟଲ ଜିତିବାରେ ରେକର୍ଡ ମଧ୍ୟ ସେ ହାସଲ କରିଛନ୍ତି ।