ମୃତକଙ୍କ ଆତ୍ମାର ସଦଗତି ପାଇଁ ବାହାନଗାରେ ଚାଲିଛି ବେଦପାଠ

ବାଲେଶ୍ବର: ଆଜି ବାହାନଗା ସ୍କୁଲ ପଡିଆରେ ଆୟୋଜିତ ହେଉଛି ବିଶ୍ବଶାନ୍ତି ମହାଯଜ୍ଞ । ଏହାସହିତ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ସମେତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଯାଉଛି । ଭୋର ୫ଟାରୁ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଛି । ଆଉ କିଛି ସମୟ ପରେ ଅଖଣ୍ଡ ଗାୟତ୍ରୀମନ୍ତ୍ର ଜପ କରାଯିବ ।

ପରେ ସର୍ବଧର୍ମ ପ୍ରାର୍ଥନା ସଭା ଓ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ସାମୂହିକ ବେଦପାଠ ଓ ଦୀପଦାନ କରିବା କାର୍ଯ୍ୟକ୍ରମ ରହିଛି । ବାହାନଗାରେ ଲୌହ ଦାନବର ନରସଂହାର ଏବେ ବି ଲୋକଙ୍କ ମନରୁ ଯାଇନି । ମୃତକଙ୍କ ଆତ୍ମାର ସଦଗତି ଓ ଆହତଙ୍କ ଆରୋଗ୍ୟ କାମନା କରି ବାହାନଗାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଆସନ୍ତାକାଲି ସକାଳେ କଳସ ଶୋଭାଯାତ୍ରା କରାଯିବ । ଅପରାହ୍ଣରେ ବିଷ୍ଣୁପୁର ଋତମ୍ଭରା ଆର୍ନ୍ତଜାତୀୟ ସଂଘ ତରଫରୁ ୫୦୦୮ ଦୀପଦାନ କରାଯିବ ।