spot_img
Home Blog Page 3292

ଝାରସୁଗୁଡ଼ା ଉପନିର୍ବାଚନ: ସର୍ବଦଳୀୟ ବୈଠକ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସମସ୍ତ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରିଛନ୍ତି । ଉପନିର୍ବାଚନ ଘୋଷଣା ଦିନଠାରୁ ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଉପନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନଙ୍କ ଦ୍ବାରା କୌଣସି ଲୋଭନୀୟ ପ୍ରସ୍ତାବ କିମ୍ବା ଆର୍ଥିକ ସହାୟତା ଭୋଟରଙ୍କୁ ଦିଆଯାଇପାରିବ ନାହିଁ । ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀମାନେ କିମ୍ବା ରାଜନୈତିକ ଦଳମାନେ ପ୍ରଚାର ଗାଡ଼ିରେ ମାଇକ୍ ବାନ୍ଧି ରାତି ୧୦ଟାରୁ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେ ନାହିଁ । ଆଦର୍ଶ ଆଚରଣ ବିଧି ଜିଲ୍ଲାରେ କୌଣସି ପ୍ରକାରର ଅନୁଦାନ ଅର୍ଥ ପ୍ରଦାନ କରାଯାଇପାରିବ ନାହିଁ  । ପୂର୍ବରୁ ଚାଲୁ ରହିଥିବା ସମସ୍ତ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ ଚାଲୁରହିବ । ନୂତନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇପାରିବ ନାହିଁ ।

ନିର୍ବାଚନ ମଣ୍ଡଳୀରେ ଥିବା ସବୁ ବୁଥରେ ଶତ ପ୍ରତିଶତ ଓ୍ବେବ୍ କାଷ୍ଟିଙ୍ଗର ବ୍ୟବସ୍ଥା କରାଯିବ । ଉପନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀ ଓ ବିଭିନ୍ନ ରାଜନୈତିକ ଦଳର ତାରକା ପ୍ରଚାରକମାନେ ଯେଉଁସବୁ ଗାଡ଼ି ବ୍ୟବହାର କରିବେ । ସେମାନେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରୁ ଅନୁମତି ନେଇ ନିର୍ବାଚନ ପ୍ରଚାରରେ ଗାଡ଼ି ବ୍ୟବହାର କରିପାରିବେ। ଅପରାଧପ୍ରବଣ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ସେମାନଙ୍କ ଅପରାଧ ପୃଷ୍ଠଭୂମି ସଂପର୍କରେ ଅତିକମରେ ତିନିଥର ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର କରିବେ ଏବଂ ସଂପୃକ୍ତ ରାଜନୈତିକ ଦଳମାନେ ସେମାନଙ୍କ ପ୍ରାର୍ଥୀମାନଙ୍କ ଅପରାଧ ସଂପର୍କରେ ଗଣମାଧ୍ୟମରେ ଅତିକମରେ ତିନିଥର ନିର୍ଦ୍ଧାରିତ ସମୟ ବ୍ୟବଧାନରେ ପ୍ରଚାରପ୍ରସାର କରାଇ ଜନସାଧାରଣଙ୍କୁ ଅବଗତ କରାଇବେ ।

ଫାଇନରୁ ବର୍ତ୍ତିବା ପାଇଁ ଅଭିନବ ଉପାୟ, ହ୍ୱାଟ୍ସଆପ୍ ଗ୍ରୁପ କରି ଦେଉଛନ୍ତି ଆଗୁଆ ସୂଚନା

ଅନୁଗୁଳ: ଆରଟିଓ କର୍ମଚାରୀ ଡାଳେଡାଳେ ଗଲେ ପତ୍ରେ ପତ୍ରେ ନିୟମ ଉଲଘଂନକାରୀ । ଫାଇନରୁ ବର୍ତ୍ତିବା ପାଇଁ ଆପଣାଇଛନ୍ତି ଅଭିନବ ଉପାୟ । ହ୍ବାଟ୍ସଆପ ଗ୍ରୁପ କରି ଆଗୁଆ ସୂଚନା ଆଦାନ ପ୍ରଦାନ କରୁଛନ୍ତି । ସୂଚନା ପାଇ ପୋଲିସଠୁ ବଞ୍ଚିବାକୁ ଆପଣାଉଛନ୍ତି ଗଳାବାଟ । ଅନୁଗୁଳରେ ଏଭଳି ଘଟଣା ପୋଲିସ ଓ ପରିବହନ ବିଭାଗର ଚିନ୍ତା ବଢାଇଛି । ଜିଲ୍ଲାରେ ଶୂନ ମୃତ୍ୟୁ ସପ୍ତାହ ପାଳୁଛି ଅନୁଗୁଳ ପୋଲିସ । ନାବାଳକ ଗାଡ଼ି ଚାଳକଙ୍କ ଉପରେ କଡ଼ା ନଜର ରଖାଯିବା ସହ ନିୟମ ଖିଲାପକାରୀଙ୍କ ବିରୋଧରେ କଡ଼ା ଆକ୍ସନ ନିଆଯାଉଛି ।

କିନ୍ତୁ ଗ୍ରୁପରେ ଚେକିଂ ମେସେଜ୍ ପାଇବା ମାତ୍ରେ ସେହି ସ୍ଥାନ ଦେଇ ଲୋକ ମାନେ ଯାଉ ନଥିବା ଜଣାପଡ଼ିଛି । ଗାଡ଼ିର କାଗଜ ପତ୍ର, ଡ୍ରିଙ୍କ୍ ଏଣ୍ଡ ଡ୍ରାଇଭ୍ ଓ ହେଲମେଣ୍ଟ ଯାଞ୍ଚରୁ ବଞ୍ଚିବା ପାଇଁ ଏହିଭଳି ଉପାୟ ଅବଲମ୍ୱନ କରୁଛନ୍ତି ନିୟମ ଉଲଘଂନକାରୀ । ଅନେକ ସ୍ଥାନରେ କିଛି ଲୋକ ବେଫିକର ଭାବେ ପୋଲିସଠୁ ବଞ୍ଚିବାକୁ ଗଳାବାଟ ଆପଣାଉଥିବା ଦେଖିବାକୁ ମିଳିଛି ।

 

ଜେଲରୁ ଫେରାର ହେଲା ପରେ କେଉଁଠି ଅଛି ପୁଷ୍ପା ?

ନୂଆଦିଲ୍ଲୀ: ଜବରଦସ୍ତ ସସପେନ୍ସ ସହ ରିଲିଜ ହେଲା ବ୍ଲକବଷ୍ଟର ମୁଭି ‘ପୁଷ୍ପା ୨’ ର ଏକ ଭିଡିଓ । ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨ର ଟିଜର ରିଲିଜ ହୋଇସାରିଥିବାବେଳେ ଏବେ ପୁଷ୍ପା-୨ର ଏକ ଭିଡିଓ ରିଲିଜ ହୋଇଛି । ଯାହାକୁ ଦେଖି ଦର୍ଶକଙ୍କ ଉତ୍ସାହ ଆହୁରି ବଢିଯାଇଛି। ଟିଜରରେ ଦର୍ଶକ ଜୋରଦାର ସସପେନ୍ସ ସହ ଆକ୍ସନର ମଜା ନେଇଥିଲେ। ଏହି ଭିଡିଓ ରିଲିଜ ହେବାର ୧ ଘଣ୍ଟା ସମୟ ଭିତରେ ହିଁ ଫ୍ୟାନ୍ସଙ୍କ ଜବରଦସ୍ତ ରେସପନ୍ସ ମିଳିବା ସହ ୧୦ ଲକ୍ଷ ଲୋକ ଦେଖି ସାରିଲେଣି।

‘ପୁଷ୍ପା’: ‘ଦ ରାଇଜ’ ଫ୍ୟାନ୍ସଙ୍କୁ ମତଓ୍ବାଲା କରିଥିବା ବେଳେ ପୁଷ୍ପା ଫିଲ୍ମର ନିର୍ମାତା ପୁଣି ଥରେ ଦର୍ଶକଙ୍କ ପାଇଁ ଜୋରଦାର ସସପେନ୍ସ ସହ ଆକ୍ସନ ନେଇ କମବ୍ୟାକ୍ କରିଛନ୍ତି । ନିର୍ମାତାମାନେ ଏପ୍ରିଲ ୫ରେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଫିଲ୍ମର ମାତ୍ର ୨୦ ସେକେଣ୍ଡର ଏକ ଭିଡିଓ ସେୟାର କରିଥିଲେ। ଯାହାର ଖୁବ ଭଲ ରେସପନ୍ସ ମିଳିଥିଲା। ସେଥିରେ ଦର୍ଶକ ଦେଖିଥିଲେ ଯେ, ତିରୁପତି ଜେଲରୁ ପୁଷ୍ପା କେଉଁଆଡ଼େ ଫେରାର ହୋଇଯାଇଛି । ପୁଷ୍ପା କେଉଁଠାରେ ଅଛି ତା’ର ଠିକଣା ଟ୍ରେଲର ଜଣାପଡ଼ିବ ବୋଲି ନିର୍ମାତା ଟିଜରରେ ଜଣାଇଥିଲେ । ଅଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ରିଲିଜ୍ ହୋଇଛି ପୁଷ୍ପା-୨ର ଏକ ଭିଡିଓ ।

ଏପ୍ରିଲ ୭ରେ ପୁଷ୍ପା-୨ର ଏକ ଭିଡିଓ ରିଲିଜ୍ ହେବା ପରେ ଦର୍ଶକ ଆହୁରି ଜବରଦସ୍ତ ରେସପନ୍ସ ଦେଇଛନ୍ତି। ବର୍ତ୍ତମାନ ଏହି ଭିଡିଓ ରିଲିଜ୍ ପରେ ‘ପୁଷ୍ପା କେଉଁଠାରେ?’ ଭଳି ସସପେନ୍ସ ଉପରୁ ପରଦା ଉଠିଛି । ଏଥିରେ ଦେଖିବାକୁ ମିଳୁଛି କି ଚାରି ଆଡେ ପୁଷ୍ପାକୁ ଖୋଜା ଚାଲିଥିବା ବେଳେ, ଦଙ୍ଗା ଆରମ୍ଭ ହୋଇଯାଇଛି । ଶେଷରେ ପୁଷ୍ପା ବଞ୍ଚିଥିବା ଦେଖିବାକୁ ମିଳିଛି । ଜଙ୍ଗଲରେ ବାଘ ସହ ପୁଷ୍ପାର ଧମାକାଦାର ଏଣ୍ଟ୍ରି ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି।

ସୂଚନା ଅନୁସାରେ ‘ପୁଷ୍ପା’: ‘ଦ ରାଇଜ’ ୨୦୨୧ ଡିସେମ୍ବର ମାସ ୧୭ ତାରିଖରେ ରିଲିଜ ହୋଇଥିଲା। ଫିଲ୍ମଟି ଏତେ ମାତ୍ରାରେ ଦର୍ଶକଙ୍କୁ ପସନ୍ଦ ଆସିଥିଲା ଯେ, ଦର୍ଶକଙ୍କ ମଧ୍ୟରେ ଫିଲ୍ମର ଗୀତ ଓ ଡାଇଲଗକୁ ନେଇ ଜୋରଦାର କ୍ରେଜ୍ କମିବାର ନାଁ ନେଇନଥିଲା। ଛୋଟଠୁ ବଡ଼ ସମସ୍ତେ ଫିଲ୍ମର ଗୀତ ଓ ଡାଇଲଗକୁ ନେଇ ରିଲ୍ସ କରିବାରେ ବ୍ୟସ୍ତ ଥିଲେ। ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ଆକ୍ଟିଂ ଦର୍ଶକଙ୍କ ହୃଦୟକୁ ବେଶ୍ ଛୁଇଁଥିଲା ।

 

ଫିନାଇଲ ବିକାଳୀରୁ କୋଟିପତି, ଅଧିକ ଟଙ୍କାର ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକେଇ

ବାଲେଶ୍ୱର: ଫିନାଇଲ ବିକାଳୀରୁ କୋଟିପତି । ଅଧିକ ଟଙ୍କାର ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକେଇ । କ୍ଳାଉଡ ଫଟ କମ୍ପାନୀର ଜିଲ୍ଲା ମୁଖ୍ୟ କହି ଲୋକଙ୍କୁ ଚୂନ ଲଗାଇଥିଲେ ଠକ । ଠକ ନୀଲେଶ କରକୁ ଗିରଫ ପରେ ରିମାଣ୍ଡରେ ଆଣିଛି EOW । ବାଲେଶ୍ୱରରୁ ଏହି ଠକକୁ ଗିରଫ କରିଛି EOW । ତା ନିକଟରୁ ନକଲି ଆରବିଆଇ ସାର୍ଟିଫିକେଟ ଓ ନକଲି କାଗଜ ପତ୍ର ଜବତ କରିଛି EOW । ଓଡ଼ିଶାରୁ ୨୦୦ରୁ ଅଧିକ ଲୋକଙ୍କଠାରୁ ଠକେଇ କରିଥିବା EOW ତଦନ୍ତରୁ ଜାଣିବାକୁ ପାଇଛି ।

ଭାରତରେ ୮୦ ହଜାରରୁ ଅଧିକ ଲୋକ କ୍ଳାଉଡ ଫଟ ଆପକୁ ଡାଉନଲୋଡ କରିଛନ୍ତି । ତେବେ ଦେଶ ସାରା ୮୦ ହଜାରରୁ ଅଧିକ ଲୋକ ଠକେଇ ହୋଇଥାଇ ପାରନ୍ତି ବୋଲି ଅନୁମାନ କରୁଛି EOW । ଏହି ଠକେଇ ଘଟଣାରେ ମୁଖ୍ୟ ଅଭିଯୁକ୍ତ କେଉଁଟି ଅଛି ତାକୁ ଖୋଜୁଛି ଟିମ୍ । ଗତ ୪ ଦିନ ତଳେ ବାଲେଶ୍ୱର ମହାମାନ୍ୟ ଜେନା ଠକେଇ ନେଇ EOWରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଅର୍ଥନୈତିକ ଅପରାଧ ଶାଖା । ଠକେଇ ଘଟଣାରେ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତ ନୀଲେଶ କରକୁ ୪ ଦିନିଆ ରିମାଣ୍ଡ ଆଣି ଖୋଳ ତାଡ଼ କରିବ EOW ।

କରୋନାର ବୃଦ୍ଧି ମାମଲାକୁ ନେଇ ଦେଶରେ ଚିନ୍ତା, ରାଜ୍ୟଗୁଡ଼ିକୁ ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି କରୋନା ମାମଲାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ ହୋଇଛି । ଏନେଇ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା । ଏହି ବୈଠକରେ କରୋନା ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏହି ଅବସରରେ ଟେଷ୍ଟିଂ ଏବଂ ଜିନୋମ ସିକ୍ୱେନ୍ସିଂ ସହ କୋଭିଡ ନିୟମ ପାଳନର ପ୍ରସାର ବଢ଼ାଇବା ଉପରେ ଚର୍ଚ୍ଚା କରାଯାଇଛି । ଏହି ବୈଠକ ଦିଲ୍ଲୀରେ ବସିଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଆମକୁ ସତର୍କ ରହିବାକୁ ପଡ଼ିବ ଏବଂ ଅନାବଶ୍ୟକ ଭୟ ନବଢ଼ାଇବା ଆବଶ୍ୟକ ।

ସେ ସମସ୍ତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ଯେ ସେମାନେ ନିଜ ରାଜ୍ୟରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ସୁବିଧା ଏବଂ ଭିତ୍ତିଭୂମୀକୁ ନେଇ ସମୀକ୍ଷା ବୈଠକ କରନ୍ତୁ । ଏହି ଅବସରରେ ସେ ୧୦ ଏବଂ ୧୧ ଏପ୍ରିଲରେ ସାରା ଦେଶରେ କୋଭିଡକୁ ନେଇ ମକ ଡ୍ରିଲ କରାଇବା ପାଇଁ କହିଥିଲେ । ଏଥିସହିତ ସେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କୁ ହସ୍ପିଟାଲ ଗସ୍ତ କରିବା ପାଇଁ ମଧ୍ୟ କହିଥିଲେ । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟ ସରକାରମାନଙ୍କୁ କହିଥିଲେ ଯେ କରୋନାର ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଜୋରଦାର କର ।

ମାମଲାର ବୃଦ୍ଧିକୁ ନେଇ ଲୋକମାନଙ୍କୁ ଜାଗ୍ରତ କରାଯାଉ ଏବଂ ଲୋକମାନେ ମଧ୍ୟ ଏହାକୁ ହାଲୁକାରେ ନନିଅନ୍ତୁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୬ ଏପ୍ରିଲ ପାଇଁ ଜାରି କରୋନା ରିପୋର୍ଟ ମୁତାବିକ ଗତ ୨୪ ଘଣ୍ଟାରେ ଦେଶରେ ୫,୩୩୫ ମାମଲା ସାମ୍ନାକୁ ଆସିଛି । ଏହି ସଂଖ୍ୟା ଗତ ୧୯୫ ଦିନରେ ସର୍ବାଧିକ ଅଟେ । ଏହା ପୂର୍ବରୁ ଗତ ବର୍ଷ ୨୩ ସେପ୍ଟେମ୍ବରରେ ୫,୩୮୩ ମାମଲା ସାମ୍ନାକୁ ଆସିଥିଲା । ବର୍ତ୍ତମାନ ଦେଶରେ ସକ୍ରିୟ କୋଭିଡ ମାମଲା ସଂଖ୍ୟା ୨୫ ହଜାର ୫୮୭ରେ ପହଞ୍ଚିଛି ।

ଖୋଲିବ ପୋଷ୍ଟାଲ ଠକେଇ ଗୁମର, ରିମାଣ୍ଡରେ ଆସିବ ୪୨୦ ପୋଷ୍ଟାଲ ଏଜେଣ୍ଟ ସ୍ବର୍ଣ୍ଣଲତା

ଭୁବନେଶ୍ୱର: ବିଶ୍ବାସରେ ବିଷ ଦେଲେ ୪୨୦ ସ୍ବର୍ଣ୍ଣଲତା । ମହିଳା ଏଜେଣ୍ଟ ଖାଇଗଲେ କୋଟିଏ ଟଙ୍କା । ରିମାଣ୍ଡରେ ଆଣି ଘାଣ୍ଟିବ କମିଶନରେଟ ପୋଲିସ । କ୍ରାଇମ ସିଣ୍ଡିକେଟର ଭାଗିଦାର ସ୍ବାମୀ ଓ ଶ୍ବଶୁର । ୧ ମାର୍ଚ୍ଚ ୨୦୨୩ । ଲିଙ୍ଗରାଜ ଥାନାକୁ ଆସି  ପୋଷ୍ଟାଲ ଏଜେଣ୍ଟଙ୍କ ଦ୍ୱାରା ବଡ଼ ଧରଣର ଠକେଇ ହୋଇଥିବା ଅଭିଯୋଗ କରିଥିଲେ ପୁରୁଣା ଭୁବନେଶ୍ୱରର ସ୍ଵର୍ଣ୍ଣପ୍ରଭା ମହାସୁଆର । ଅଭିଯୋଗ ଅନୁଯାୟୀ ସ୍ବର୍ଣ୍ଣାଲତା ଦାସ ନାମକ ଜଣେ ଏଜେଣ୍ଟ ତାଙ୍କର ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଡିପୋଜିଟ ପାଇଁ ନେଇ ଚଳୁ କରି ଦେଇଛନ୍ତି। ଲିଙ୍ଗରାଜ ଥାନା ପକ୍ଷରୁ ଘଟଣାର ତଦନ୍ତ କରିବା ବେଳେ ୪୨୦ ଏଜେଣ୍ଟ ଜଣଙ୍କ RD, FD କରିବାକୁ କହି ୯୮ ଜମାକାରୀଙ୍କ ୧୨୯ଟି ଆକାଉଣ୍ଟରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଚଳୁ କରିଥିବା ଜାଣିବାକୁ ପାଇଥିଲା ପୋଲିସ। କେସ୍ ନମ୍ବର ୬୫ ଦଫା ୪୧୭, ୪୨୦, ୪୦୬, ୨୯୪, ୫୦୬ରେ ମହିଳା ପୋଷ୍ଟାଲ ଏଜେଣ୍ଟଙ୍କୁ ଗିରଫ କରିବା ସହ ୧୬୧ CRPCରେ ବୟାନ ରେକର୍ଡ କରାଯାଇଛି ।

ମ୍ୟୁନିସିପାଲ ହସ୍ପିଟାଲରେ ଆଟେନଣ୍ଡାଣ୍ଟ ଭାବେ କାମ କରିନ୍ତି ସୁବାସିନୀ ବେହେରା । ସେ ତାଙ୍କ ବୋହୁ, ନାତି, ନାତୁଣୀ ନାଁରେ ଟଙ୍କା ସଞ୍ଚିଥିଲେ। ହେଲେ ଭୁଆଁ ବୁଲାଇ କଷ୍ଟ ଅର୍ଜିତ ଟଙ୍କାକୁ ସ୍ବର୍ଣ୍ଣଲତା ନେଇଯିବା ପରେ ଥାନା ଆଇଆଇସିଙ୍କୁ ନିଜ ଦୁଃଖ ଜଣାଇଛନ୍ତି । ସେପଟେ ଘଟଣାକୁ ବେଶ ଗମ୍ଭୀରତାର ସହ ନେଇଛି କମିଶନରେଟ ପୋଲିସ । ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ଓ ଶ୍ବଶୁର ମଧ୍ୟ କ୍ରାଇମ ସିଣ୍ଡିକେଟର ଭାଗିଦାର ବୋଲି ଜଣାପଡ଼ିଛି । ଆବଶ୍ୟକ ସ୍ଥଳେ ସ୍ଵର୍ଣ୍ଣଲତାଙ୍କୁ ରିମାଣ୍ଡରେ ଆଣି ପୋଷ୍ଟାଲ ଠକେଇର ଗୁମର ଖୋଲିବ ବୋଲି କହିଛନ୍ତି ଏସିପି ।

 

କ୍ରିକେଟ ପରି ସାରା ଦେଶରେ ଚମକିବ ହକି, ଖେଳାଳିଙ୍କୁ ବଣ୍ଟନ ହେବ ୧୧ ହଜାର ହକି ଷ୍ଟିକ୍ ଓ ୩୩୦୦ ହକି ବଲ୍

ଭୁବନେଶ୍ୱର: କ୍ରିକେଟ ପରି ସାରା ଦେଶରେ ବଢ଼ିବ ହକିର ଲୋକପ୍ରିୟତା । ହକିର ବିକାଶ ପାଇଁ ଅଣ୍ଟା ଭିଡ଼ିଛି ହକି ଇଣ୍ଡିଆ । ହକି ବିକାଶ ନିମନ୍ତେ ପର୍ଯ୍ୟାୟକ୍ରମେ ୧୧ ହଜାର ହକି ଷ୍ଟିକ୍, ୩୩୦୦ ହକି ବଲ୍ ଓ ଅନ୍ୟାନ୍ୟ ଖେଳ ସରଞ୍ଜାମ ବାଣ୍ଟିବ ହକି ଇଣ୍ଡିଆ । ସମସ୍ତ ସଦସ୍ୟ ୟୁନିଟ୍ ଏବଂ ବଛାବଛା ଏକାଡେମୀ ହକି ଷ୍ଟିକ୍ ଓ ହକି ବଲ୍ ପାଇବେ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି । ଏହାଦ୍ବାରା ଦେଶର ହକି ଖେଳାଳିମାନେ ଉପକୃତ ହେବା ସାଙ୍ଗକୁ ଖେଳ ଅଧିକ ଆଦୃତ ହୋଇପାରିବ । ହକି ଖେଳାଳିମାନେ ସେମାନଙ୍କ କ୍ୟାରିୟର ଆରମ୍ଭରୁ ଉପଯୁକ୍ତ ସରଞ୍ଜାମ ପାଇପାରିବେ । ଖେଳାଳିମାନେ ନିଜକୁ କିପରି ଫିଟ୍ ରଖିପାରିବେ ସେହି ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଦିଲୀପ ତିର୍କୀ କହିଛନ୍ତି ।

ଭାରତୀୟ ହକି ତା’ର ପୂରୁଣା ଗୌରବ ଫେରିପାଇବା ଲକ୍ଷ୍ୟରେ କାମ କରୁଛି ହକି ଇଣ୍ଡିଆ । ଏଥିପାଇଁ ତୃଣମୂଳ ସ୍ତରକୁ ମଜଭୁତ କରିବାକୁ ପଡ଼ିବ ବୋଲି ହକି ଇଣ୍ଡିଆ ସଭାପତି କହିଛନ୍ତି । ଭାରତରେ ହକିର ବିକାଶ ମୂଳ ଲକ୍ଷ୍ୟ । ସମଗ୍ର ଦେଶରେ ଖେଳାଳିଙ୍କୁ ଉଚ୍ଚମାନର ହକି ସରଞ୍ଜାମ ଯୋଗାଇଦେବା କ୍ଷେତ୍ରରେ କାମ କରାଯାଉଛି । ଏହାଦ୍ବାରା ଯୁବ ହକି ଖେଳାଳିମାନେ ଉପକୃତ ହେବା ସହ ସବୁ ପ୍ରାନ୍ତକୁ ହକି ପହଞ୍ଚିପାରିବ । ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ଭାର ସମ୍ଭାଳିବା ପରେ ହକିର ବିକାଶ ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ଯାହାକୁ ଚାରିଆଡୁ ପ୍ରଶଂସା କରାଯାଉଛି ।

ଟାଇମ୍ ରିଡର ପୋଲର ଶୀର୍ଷରେ ଶାହରୁଖ ଖାନ, ଦ୍ୱିତୀୟ ସ୍ଥାନରେ ବୁର୍କାକୁ ବିରୋଧ କରୁଥିବା ଇରାନୀ ମହିଳା, ଜାଣନ୍ତୁ ସୂଚୀରେ ଆଉ କିଏ ଅଛନ୍ତି…

ନୂଆଦିଲ୍ଲୀ: ଟାଇମ୍ ମାଗାଜିନ ରିଡର ପୋଲରେ ଶାହରୁଖ ଖାନ ମୋଷ୍ଟ ଇନଫ୍ଲୁଏନସିଆଲ ପର୍ସନାଲିଟି (ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତି) ଭାବେ ନର୍ବାଚିତ ହୋଇଛନ୍ତି । ୨୦୨୩ ଟାଇମ ୧୦୦ ପୋଲରେ ପ୍ରଥମ ସ୍ଥାନରେ ରହିଥିବା କିଙ୍ଗ ଖାନଙ୍କୁ ୪ପ୍ରତିଶତ ଭୋଟ ମିଳିଛି । ସେହିପରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବୁର୍କା ଓ ହିଜାବକୁ ବିରୋଧ କରି ଆନ୍ଦୋଳନ କରିଥିବା ଇରାନୀ ମହିଳାଙ୍କ ଗ୍ରୁପ । ତୃତୀୟ ସ୍ଥାନରେ ସାରା ବିଶ୍ୱର କୋଭିଡ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି । ବ୍ରିଟେନର ପ୍ରିନ୍ସ ହାରି ଏବଂ ତାଙ୍କ ପତ୍ନୀ ଚତୁର୍ଥ ସ୍ତାନରେ ରହିଥିବାବେଳେ ଫୁଟବଲର ଲିଓନେଲ ମେସି ୫ମ ସ୍ଥାନରେ ରହିଛନ୍ତି ।

ଟାଇମ ମାଗାଜିନ ମୁତାବିକ ଏହି ସର୍ଭେରେ ସାରା ବିଶ୍ୱର ୧.୨ ମିଲିୟନ ଲୋକ ଭାଗ ନେଇ ଭୋଟ୍ ଦେଇଥିଲେ । ଶାହରୁଖ ଖାନଙ୍କୁ ଏହି ପୋଲରେ ସର୍ବାଧିକ ୪ ପ୍ରତିଶତ ଭୋଟ୍ ମିଳିଛି । ଦ୍ୱିତୀୟ ସ୍ଥାନରେ ରହିଥିବା ବୁର୍ଖାକୁ ବିରୋଧ କରୁଥିବା ଇରାନୀ ମହିଳାମାନଙ୍କୁ ୩ ପ୍ରତିଶତ ଭୋଟ୍ ମିଳିଛି । ଇରାନୀ ମହିଳାଙ୍କୁ ମାଗାଜିନର ୨୦୨୨ର ପର୍ସନ ଅଫ୍ ଦ ଇୟରର ଟାଇଟଲ ମଧ୍ୟ ମିଳିଛି । ଚତୁର୍ଥ ସ୍ଥାନରେ ପ୍ରିନ୍ସ ହାରି ଏବଂ ମେଗନ ରହିଛନ୍ତି ଯାହାଙ୍କୁ ୧.୯ ପ୍ରତିଶତ ଭୋଟ୍ ମିଳିଛି । ଚଳିତବର୍ଷ ହାରି ଯେଉଁଠି ନିଜର ବାୟୋଗ୍ରାଫୀ ସ୍ପେୟାରକୁ ନେଇ ବହୁତ ଚର୍ଚ୍ଚାରେ ରହିଥିଲେ, ସେଠି ମେଗନ ଆର୍କିଟାଇପ୍ସ ନାମକ ଏକ ପୋଡକାଷ୍ଟକୁ ହୋଷ୍ଟ କରିଥିଲେ । ଏହି କାରଣ ଥିଲା ଯେ ରୟାଲ ଫ୍ୟାମିଲିର ଦୁଇ ସଦସ୍ୟଙ୍କୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା ।

ଫୁଟବଲର ଲିୟୋନେଲ ମେସି ୧.୮ପ୍ରତିଶତ ଭୋଟ ସହ ସୂଚୀରେ ୫ମ ସ୍ଥାନରେ ରହିଛନ୍ତି । Time.com ମୁତାବକ ୨୦୨୩ର ମୋଷ୍ଟ ଇନଫ୍ଲୁଏନସାଲ ପିପୁଲର ବାର୍ଷିକ ସୂଚୀ ଚଳିତ ବର୍ଷର ୧୩ ତାରିଖରେ ଜାରି କରାଯିବ । ୨୦୨୨ରେ ଏହି ସୂଚୀରେ ଗୌତମ ଆଦାନୀ, କରୁଣା ନନ୍ଦୀ ଏବଂ ଖୁରମ ପରଭେଜଙ୍କ ଭଳି ହସ୍ତିଙ୍କ ନାଁ ରହିଥିଲା । ଟାଇମ ରିଡର ୧୦୦ ପୋଲରେ ଅଭିନେତା, ମିଚେଲେ ୟୋହ, ଆଥେଲେଟ ସେରେନା ୱିଲିୟମ୍ସ, ମେଟା ସିଇଓ ମାର୍କ ଜୁକରବର୍ଗ ଏବଂ ବ୍ରାଜିଲିଆନ ପ୍ରେସିଡେଣ୍ଟ ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କ ଭଳି ଷ୍ଟାର ପୋଲରେ ଭାଗ ନେଇଥିଲେ । ହେଲେ ଏମାନଙ୍କୁ ସମସ୍ତଙ୍କୁ ପଛରେ ପକାଇ ଶାହରୁଖ ଖାନ ଶୀର୍ଷ ସ୍ଥାନ ଅଧିଗ୍ରହଣ କରିଛନ୍ତି ।

ନୂଆପଡ଼ା ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଆରମ୍ଭ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା। ଏଥିପାଇଁ ୫ ଜଣ ବିଶେଷଜ୍ଞ ଡାକ୍ତର ଭୁବନେଶ୍ଵରରୁ ସ୍ବତନ୍ତ୍ର ବିମାନ ଯୋଗେ ଆସି ନୂଆପଡ଼ା ଗୌତମା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାକେନ୍ଦ୍ରରେ ଚିକିତ୍ସା ଆରମ୍ଭ କରିଛନ୍ତି । ପଞ୍ଜିକୃତ ରୋଗୀଙ୍କର ଚିକିତ୍ସା ଆରମ୍ଭ ହୋଇଛି । ଏହି ବିଶେଷ ଚିକିତ୍ସା ସେବା ପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଚିକିତ୍ସା ୪ ଦିନ ଧରି ଚାଲିବ ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡିର ସମରସଜ୍ଜା, ଗ୍ରାଉଣ୍ଡ ଜିରୋରେ ବରିଷ୍ଠ ନେତୃମଣ୍ଡଳୀ

ଝାରସୁଗୁଡ଼ା: ଉପନିର୍ବାଚନର ପ୍ରସ୍ତୁତି ପାଇଁ ଝାରସୁଗୁଡ଼ାରେ ବିଜେଡିର ବରିଷ୍ଠ ନେତୃମଣ୍ଡଳୀ l ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାରଦା ନାୟକ ଝାରସୁଗୁଡ଼ାରେ ପହଞ୍ଚିବା ପରେ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲରେ ଦଳିଅ ବୈଠକ ଅନୁଷ୍ଠିତ ହୋଇଛି l

ଜିଲ୍ଲା ବିଜେଡିର ବରିଷ୍ଠ କର୍ମକର୍ତ୍ତା, ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଝାରସୁଗୁଡ଼ା ପୌର ପରିଷଦ, ଝାରସୁଗୁଡ଼ା ବ୍ଲକ, କୋଲାବିରା, କିର୍ମିରା ଓ ଲଇକେରା ବ୍ଲକର କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇଛି l ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ସହ ଦଳର ବିଭିନ୍ନ କାର୍ଯ୍ୟ ବିଷୟରେ ଏହି ବୈଠକରେ ଆଲୋଚନା କରାଯାଇଛି l ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ଗତ ନିର୍ବାଚନଠୁ ବହୁ ଭୋଟରେ ବାଜିମାର କରିବ ବୋଲି କହିଛନ୍ତି l