ମନି ଲଣ୍ଡରିଂ ମାମଲାରେ ତାମିଲନାଡୁ ଶକ୍ତି ଓ ଅବକାରୀ ମନ୍ତ୍ରୀ ଗିରଫ

ନୂଆଦିଲ୍ଲୀ :  ମନି ଲଣ୍ଡରିଂ ମାମଲାରେ ତାମିଲନାଡୁ ଶକ୍ତି ଓ ଅବକାରୀ ମନ୍ତ୍ରୀ ଭି. ସେନଥିଲ୍‌ ବାଲାଜୀ ଗିରଫ । କ୍ୟାସ୍‌ ଫର ଜବ୍‌ ସ୍କାମ ମାମଲାରେ ବାଲାଜୀଙ୍କୁ ଇଡି ବାନ୍ଧିବା ପରେ ଦେଖିବାକୁ ମିଳିଛି ହାଇ ଡ୍ରାମା । ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ କାର ଭିତରେ କାନ୍ଦି କାନ୍ଦି ଗଡ଼ି ଯାଇଥିଲେ ବାଲାଜୀ । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବାଲାଜୀଙ୍କୁ ହସ୍ପିଟାଲରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । ମୁଖ୍ୟମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ ହସ୍ପିଟାଲରେ ପହଞ୍ଚି ବାଲାଜୀଙ୍କୁ ଭେଟିଛନ୍ତି । ଚାକିରି ପାଇଁ ଟଙ୍କା ନେଇଥିବା ଅଭିଯୋଗ ପରେ ଇଡି ଟିମ୍ ମନ୍ତ୍ରୀଙ୍କ ବାସଭବନ ସମେତ ଅନ୍ୟକିଛି ସ୍ଥାନରେ ଚଢ଼ାଉ କରିଥିଲା । ୨୪ ଘଣ୍ଟା ଧରି ଚଢ଼ାଉ ପରେ ବାଲାଜୀଙ୍କୁ ଇଡି ଗିରଫ କରିଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଓମାନଦୂରାର ସରକାରୀ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ଉପରେ ନଜର ରଖିଛନ୍ତି । ସେଠାରେ ରାପିଡ ଆକ୍ସନ ଫୋର୍ସଙ୍କୁ ମୁତୟନ କରାଯାଇଛି ।

ବାଲାଜୀଙ୍କ ଗିରଫଦାରୀକୁ ବେଆଇନ କହିବା ସହ ନ୍ୟାୟ ପାଇଁ ଲଢ଼େଇ ଜାରି ରହିବ ବୋଲି ବାଲାଜୀଙ୍କ ଓକିଲ ଓ ଡିଏମକେ ଲିଡର ଏନ ଆର ଏଲାନଗୋ କହିଛନ୍ତି । କେନ୍ଦ୍ରର ବିଜେପି ସରକାରଙ୍କ ପ୍ରତିଶୋଧ ରାଜନୀତିକୁ ଆମେ ଭୟ କରିନୁ । ରାଜନୈତିକ ଆକ୍ରୋଶ ରଖି ବାଲାଜୀଙ୍କୁ ଟାର୍ଗେଟ କରାଯାଇଛି । ୨୪ ଘଣ୍ଟା ଧରି ତାଙ୍କୁ ଜେରା କରି ମାନବିକ ଅଧିକାରର କ୍ଷୂଣ୍ଣ କରାଯାଇଛି । ଏ ନେଇ ଇଡି କୋର୍ଟରେ ଉତ୍ତରଦାୟୀ ହେବ ବୋଲି ଡିଏମକେ ନେତା କହିଛନ୍ତି ।