ଗ୍ୟାସ ଦର ବୃଦ୍ଧିର ଜୋରଦାର ପ୍ରତିବାଦ : ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ବିଜେଡି ନେତା

ଭୁବନେଶ୍ୱର : ଗ୍ୟାସ ଦର ବୃଦ୍ଧି ବିରୋଧରେ ବିଜେଡିର ଧାରଣା । ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି ବିଜେଡି ପ୍ରତିନିଧି ଦଳ । ଆଜି ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଧାରଣା ଦିଆଯାଇଛି । ଆନ୍ଦୋଳନରେ ସାମିଲ ହୋଇଛନ୍ତି ବିଜେଡିର ବହୁ ନେତା, ବିଧାୟକ, କର୍ମୀ ପ୍ରମୁଖ । ଧାରଣାସ୍ଥଳରୁ ବିଜେଡିର ଏକ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଥିଲେ ।

କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା ଅନ୍ଧାର ଯୋଜନାରେ ପରିଣତ ହୋଇଛି । ୨୦୧୪ ମସିହାରେ ଯେଉଁ ରନ୍ଧନଗ୍ୟାସ ସିଲିଣ୍ଡର ପିଛା ଦର ୪୧୦ ଟଙ୍କା ଥିଲା ତାହା ଏବେ ୧୧ ଶହ ୩୦ ଟଙ୍କାରେ ପହଞ୍ଚିଛି । ନଅ ବର୍ଷରେ ଗ୍ୟାସ ଦର ୩ ଗୁଣା ବଢିଗଲାଣି । ଫଳରେ ଓଡିଶାର ଅନେକ ପରିବାର ଏବେ ସେମାନଙ୍କର ଉଜ୍ୱଳା ସିଲିଣ୍ଡର ଫେରାଇବାରେ ଲାଗିଛନ୍ତି ।

ରାଜ୍ୟର ମା’ ଏବଂ ଭଉଣୀମାନଙ୍କ ପାଇଁ ସର୍ବଦା କାମକରୁଥିବା ବିଜୁ ଜନତାଦଳ ତୁରନ୍ତ ଏଲ୍‍ପିଜି ଗ୍ୟାସ ଦର ହ୍ରାସ ପାଇଁ ଦାବିକରି ଆସୁଛି । ହେଲେ କେନ୍ଦ୍ରସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଯଦି କେନ୍ଦ୍ରସରକାର ଗ୍ୟାସ ଦର ତୁରନ୍ତ ହ୍ରାସ ନକରନ୍ତି ତେବେ ଆଗାମୀ ଦିନରେ ବିଜୁଜନତା ଦଳ ଏହି ପ୍ରତିବାଦ ରାଜ୍ୟର ସମସ୍ତ ଆରଡିସି, ଜିଲ୍ଲାପାଳ, ବ୍ଲକ, ପଞ୍ଚାୟତ ଓ ଗାଁସ୍ତରରେ କରିବ ।