ରିଲିଜ ପରଠୁ ବିବାଦରେ ‘ଆଦିପୁରୁଷ’, ବଦଳିବ ଫିଲ୍ମର ଡାଇଲଗସ୍…

ନୂଆଦିଲ୍ଲୀ: ବଦଳିବ କି ଆଦିପୁରୁଷର ବିବାଦୀୟ ଡାଇଲଗସ୍ । ପ୍ରଭାସ ଓ କ୍ରିତି ସାନନ୍ ଙ୍କ ଅଭିନୀତ ଆଦିପୁରୁଷ ଜୁନ୍ ୧୬ରେ ରିଲିଜ୍ ହୋଇଥିଲା । ପ୍ରଥମ ଦିନରେ ୧୪୦ କୋଟି ଟଙ୍କା ଇନକମ୍ କରିଥିଲେ ବି ବିବାଦ ପିଛା ଛାଡୁନି । ଏହା ମଧ୍ୟରେ ଫିଲ୍ମର ଡାଇଲଗରେ ପରିବର୍ତ୍ତନ କରାଯିବା ନେଇ ସୂଚନା ଦେଇଛନ୍ତି ଫିଲ୍ମର ଲେଖକ ମନୋଜ ମୁନ୍ତଶିର ।

ଟ୍ୱିଟ୍ କରି ସେ କହିଛନ୍ତି, ୩ ଘଣ୍ଟାର ଫିଲ୍ମରେ ୩ ମିନିଟ୍ ର କିଛି ଲୋକଙ୍କ କଳ୍ପନା ବାହାରେ ଡାଇଲଗ୍ ଲେଖିଦେଇଥିବି । କିନ୍ତୁ ସେଥିପାଇଁ ମୋତେ ସନାତନ ବିରୋଧୀ କାହିଁକି କୁହାଯାଉଛି । ମୁଁ ପ୍ରଭୁ ଶ୍ରୀରାମଙ୍କ ପାଇଁ ‘ଜୟ ଶ୍ରୀରାମ’, ’ଶିବୋହମ’, ‘ରାମ ସିୟା ରାମ’ ମଧ୍ୟ ଲେଖିଛି କିନ୍ତୁ ସେଥିପ୍ରତି କାହାର ଧ୍ୟାନ ନାହିଁ ।

ତେବେ ଫିଲ୍ମକୁ ବ୍ୟାନ୍ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଛି । ଯେଉଁଥିରେ ଫିଲ୍ମର ଅନେକ ସିନ୍, ଡାଇଲଗ୍ ଓ ଚରିତ୍ରକୁ ହଟାଇବା ଲାଗି ଦାବି କରାଯାଇଛି । ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ଆବେଦନ ପରେ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଏହାକୁ ବ୍ୟାନ୍ କରିବା ପାଇଁ ଦାବି କରାଯାଉଛି ।

ଖାଲି ଏତିକି ନୁହେଁ ଓମ୍ ରାଉତଙ୍କ ଏହି ଫିଲ୍ମକୁ ନେଇ ସୋସିଆଲ୍ ମିଡିଆରେ ମିମ୍ ଭାଇରାଲ୍ ହେଉଛି । କିଛି ଡାଇଲଗ୍, ମାତା ସୀତାଙ୍କୁ ଭାରତର ଝିଅ ଭାବେ ବର୍ଣ୍ଣନା କରିବା, ନେଗେଟିଭ୍ ରିଭ୍ୟୁ ଡିଲିଟ୍ ପାଇଁ ଟଙ୍କା ଅଫର୍ କରାଯାଉଥିବା ଭଳି କିଛି ଘଟଣାକୁ ନେଇ ବିବାଦ ଥମିବାର ନାଁ ନେଉନି ।

ତେବେ ପ୍ରଥମ ଦିନରେ ସାରା ଦେଶରେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ରିଲିଜ୍ ହୋଇଛି ବାହୁବଳୀ ଫେମ୍ ପ୍ରଭାସଙ୍କ ‘ଆଦିପୁରୁଷ’। ରିଲିଜ୍ ପୂର୍ବରୁ ହିଁ ରେକର୍ଡ ପରେ ରେକର୍ଡ କରି ଚାଲିଛି ସିନେମା। ପ୍ରଥମ ଦିନ ପାଇଁ ପାଖାପାଖି ୭ ଲକ୍ଷରୁ ଅଧିକ ମଲ୍ଟି ଫ୍ଲେକ୍ସ ଓ ଅଢ଼େଇ ଲକ୍ଷରୁ ଅଧିକ ସିଙ୍ଗେଲ ସ୍କ୍ରିନ୍‌ର ଟିକେଟ୍ ଆଡଭାନ୍ସ ବୁକିଂ ହୋଇଥିଲା। ଫିଲ୍ମଟି ଦେଶବ୍ୟାପୀ ୬୫୦୦ ସ୍କ୍ରିନ୍ସରେ ରିଲିଜ ହୋଇଛି ।